GOLD Photograph: (OTV)
ଖୁସି ଖବର, ଖସି ଚାଲିଛି ସୁନା-ରୁପା ଦର। ଦୀପାବଳି ପରଠୁ ଏ ଟ୍ରେଣ୍ଡ ଜାରି ରହିଛି। ସପ୍ତାହକ ଭିତରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭ ହଜାର ଟଙ୍କା କମି ଲକ୍ଷେ ୧୪ ହଜାରରେ ପହଞ୍ଚିଲାଣି। ସେମିତି ରୁପା (Silver) କିଲୋ ପିଛା ୩୨ ହଜାର ଟଙ୍କା କମିଲାଣି। ଯାହାକି ମଧ୍ୟବିତ୍ତ ଶ୍ରେଣୀ ଓ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଥିବାବେଳେ ନିବେଶକଙ୍କୁ କିନ୍ତୁ କରିଛି ନିରାଶ। ତେବେ ସୁନା ଭାଉ କମିବା ପଛରେ ତିନିଟି ପ୍ରମୁଖ କାରଣକୁ ଦାୟୀ କରିଛନ୍ତି ବଜାର ବିଶେଷଜ୍ଞ।...
ଦିୱାଲି ପରଠୁ ଧାଏଁ ଧାଏଁ ଖସୁଛି ସୁନା ଦର (Gold Price) । ରୁପା ରେଟ୍ ରେ ତଳ ମୁହାଁ । ଗଲା ୫ଦିନରେ ୭ ହଜାର ଟଙ୍କାରୁ ଅଧିକ ଶସ୍ତା ହେଲାଣି ସୁନା ।
ରୁପା କିଲୋ ପିଛା କମିଲାଣି ୩୨ ହଜାର । ଧନତେରସ୍ ପୂର୍ବଦିନ ଅର୍ଥାତ୍ ଅକ୍ଟୋବର ୧୭ରେ ୨୨ କ୍ୟାରେଟ୍ ସୁନା ଭରି ରେଟ୍ ଥିଲା ୧ ଲକ୍ଷ ୨୧ ହଜାର, ହେଲେ ଆଜି ୧ ଲକ୍ଷ ୧୪ ହଜାର ୬୫୦ ଟଙ୍କାରେ ବିକ୍ରି ହେଉଛି। ଗତକାଲି ସୁନା ଦରରେ ବଡ଼ ହ୍ରାସ ଘଟି ୧୦ ଗ୍ରାମ ପିଛା ସର୍ବକାଳୀନ ୪ ହଜାର ୬୯୦ଟଙ୍କା କମି ଯାଇଥିଲା। ଏହି ନିମ୍ନଗାମୀ ଟ୍ରେଣ୍ଡ ଜାରି ରହିଛି, ଆଜି ଦରରେ ଆଉ ୭୫୦ ଟଙ୍କା ହ୍ରାସ ପାଇଛି।
ଗତ ଏପ୍ରିଲ ୨୨ ତାରିଖରେ ସୁନା ଭରି ଲକ୍ଷେ ପାର୍ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିଲେ ମଧ୍ୟବିତ୍ତ। ବାହାଘର ଓ ଉପହାରରେ ସୁନା ଦେବାକୁ କୁଣ୍ଠାବୋଧ କରିଥିଲେ। ସେମିତି ସୁନାକୁ ପଛରୁ ଗୋଡ଼ାଇ ଅମୂଲ ମୂଲ ହୋଇଥିବା ଚାନ୍ଦି ବି ଚମକ ହରାଇଛି। ସପ୍ତାହକ ଭିତରେ ରୁପା କିଲୋ ପିଛା ୩୨ ହଜାର ଟଙ୍କାରୁ ଅଧିକ ଖସିଲାଣି। ୧୭ ଅକ୍ଟୋବରରେ ରୁପା କିଲୋ ପିଛା ୨ ଲକ୍ଷ ୩ ହଜାର ଟଙ୍କା ଥିବାବେଳେ ଆଜି ୧ ଲକ୍ଷ ୭୪ ହଜାର ଭାଉରେ ଚାଲିଛି।
ଏବେ ସୁନା କିଣିବା ସମୟ ?
ସୁନା-ରୁପାର ଦର ହ୍ରାସ ଦେଖି ଯଦିଓ ଗ୍ରାହକ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି, ତେବେ ସୁନା ଲକ୍ଷେ ଭିତରେ ରହିଲେ ଭଲ ବୋଲି କହିଛନ୍ତି। ତେଣେ ବ୍ୟବସାୟୀ କିନ୍ତୁ ଏଭଳି ନିମ୍ନଗାମୀ ଟ୍ରେଣ୍ଡକୁ ନେଇ ବିଚଳିତ ନୁହଁନ୍ତି। ବରଂ ଦର ଆଗକୁ ଆହୁରି ବଢ଼ିବା ଅନୁମାନ ଥିବାରୁ ଏବେଠୁ ଗ୍ରାହକମାନେ ବାହାଘର ପାଇଁ କିଣାକିଣି କରିଦେବା ଉଚିତ୍ ବୋଲି କହିଛନ୍ତି।....
ତେବେ ଏଠି ପ୍ରଶ୍ନ ହୁ ହୁ ହୋଇ ବଢି ଚାଲିଥିବା ସୁନା-ରୁପା ଦରରେ ହଠାତ୍ ବ୍ରେକ୍ ଲାଗିଲା କାହିଁକି ? ଧନତେରସ-ଦୀପାବଳି ଘଡ଼ି ନସରୁଣୁ ଭାଉ କମିବାର କି କାରଣ ?
ବଜାର ବିଶେଷଜ୍ଞଙ୍କ ମତରେ- ବର୍ଷକ ଭିତରେ ସୁନା ଦରରେ ୬୫ ପ୍ରତିଶତ ବୃଦ୍ଧି ଘଟିଲାଣି। ଯାହାକି ସର୍ବକଳୀନ। ଗତ ଧନତେରସ ବେଳେ ଦେଶରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ସୁନା-ରୁପା ବେପାର ହୋଇଛି।
ହେଲେ ହଠାତ୍ ଏହାର ଭାଉ ହ୍ରାସ ପଛରେ ତିନିଟି ବଡ଼ କାରଣ ରହିଛି- ଯେମିତିକି ଭାରତ-ଆମେରିକା ଓ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟିକ ତିକ୍ତତା ହ୍ରାସ ସହ ଟ୍ରେଡ୍ ଡିଲ୍ ପାଇଁ ଟ୍ରଂପ୍ଙ୍କ ସବୁଜ ସଙ୍କେତ, ଧନତେରସ୍ ଓ ଦୀପାବଳି ପରେ ହଠାତ୍ ଗ୍ରାହକଙ୍କ ଚାହିଦା ହ୍ରାସ ଓ ସେୟାର ବଜାର ସୂଚକାଙ୍କରେ ବୃଦ୍ଧି।
ଏଥିସହ ଟ୍ରଂପଙ୍କ ଟାରିଫ୍ ମାଡ଼ ଦେଖି ଯେଉଁ ନିବେଶକ ସୁନାରେ ନିବେଶକୁ ଅଧିକ ସୁରକ୍ଷିତ ମଣିଥିଲେ, ଏବେ କା ସ୍ଥିତି ଦେଖି- ସେମାନେ କିଣିଥିବା ଗୋଲ୍ଡବଣ୍ଡ ଓ ଗୋଲଡ ସେୟାର ବିକ୍ରି କରି ପୁଣି ଇକ୍ବିଟିରେ ନିବେଶ ପାଇଁ ମନ ବଳାଇଲେଣି। ଯାହାର ପ୍ରଭାବ ସିଧା ସୁନା ଦରକୁ ମାଡ଼ କରିଛି।...
କୁହାଯାଏ ବଜାର ସବୁବେଳେ ଅସ୍ଥିର। ତେଣୁ ଏଭଳି ସ୍ଥିତିରେ ଆଗକୁ ସୁନାର ନିମ୍ନଗାମୀ ଟ୍ରେଣ୍ଡ ଚାଲୁ ରହିବ ନା ବାହାଘର ସିଜିନ୍ ରେ ପୁଣି ଆକାଶଛୁଆଁ ହେବ, ତାହା ଉପରେ ଗ୍ରହକଙ୍କ ନଜର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/gold-2025-10-23-21-30-59.jpg)