Crash Photograph: (OTV)
କାହା ଭୁଲରୁ ଆକାଶରୁ ଖସିପଡ଼ିଲା ବିମାନ ? ରାଉରକେଲା ଚାର୍ଟର୍ ଟ୍ରାଜେଡିର ଚାଲିଛି କାରଣ ଖୋଜା। ଦୁର୍ଘଟଣାସ୍ଥଳରେ DGCA ଓ AAIBର ଛାନଭିନ୍ । ବ୍ଲାକ୍ ବକ୍ସ ଏବଂ ପାଇଲଟ୍ ସୁସ୍ଥ ହେବାପରେ ତାଙ୍କ ବୟାନ୍ ହିଁ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।
ରାଜ୍ୟ ପରିବହନ ସଚିବ ମଧ୍ୟ ଗ୍ରାଉଣ୍ଡକୁ ୟାଇ ଏକ୍ସପର୍ଟ ଟିମ୍ ସହିତ କରିଛନ୍ତି ଆଲୋଚନା । ଦୁଇ ଆହତଙ୍କୁ ସ୍ବଇଚ୍ଛାରେ ଏୟାରଲିପ୍ଟ କରାଯାଇଥିବାବେଳେ ଅନ୍ୟ ୪ ଜଣ ରାଉରକେଲାରେ ଚିକିତ୍ସାଧୀନ । ସେପଟେ କେମିତି ଥିଲା ଦୁର୍ଘଟଣାର ଭୟଙ୍କର ଚିତ୍ର, ଓଟିଭି ଆଗରେ ଗୋଟି ଗୋଟି କରି ବଖାଣିଛନ୍ତି ସ୍ଥାନୀୟବାସିନ୍ଦା.....
କାହିଁକି ରାଉରକେଲାରେ ଖସିପଡ଼ିଲା ବିମାନ ? କେଉଁଠି ରହିଲା ତ୍ରୁଟି ? କାହା ଭୁଲରୁ ଘଟିଗଲା ଅଘଟଣ ? ଯାନ୍ତ୍ରିକ ତ୍ରୁଟିରୁ ହେଲା କି ଫୋର୍ସ ଲ୍ୟାଣ୍ଡିଂ ? ନା ଟ୍ରାଜେଡି ପଛରେ ମନୁଷ୍ୟକୃତ ଭୁଲ୍ ?
ଇଣ୍ଡିଆ ଓ୍ୱାନ୍ ଏୟାର ନାଇନ୍ ସିଟର୍ ଏୟାରକ୍ରାପ୍ଟ ଦୁର୍ଘଟଣା ନେଇ ଜୋରଦାର ତନାଘନା। ଆଜି ଗ୍ରାଉଣ୍ଡରେ ଯାଞ୍ଚ କରିଛନ୍ତି ଉଭୟ DGCA ଏବଂ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା AAIB ।
ଦିଲ୍ଲୀ, କୋଲକାତା ଓ ଭୁବନେଶ୍ୱରରୁ ଆସିଛନ୍ତି ତିନିଟି ଟିମ୍। ଦୁର୍ଘଟଣାସ୍ଥଳକୁ ଯାଇ ତନ୍ନତନ୍ନ କରି ତଦନ୍ତ କରିଛନ୍ତି। ବିଭିନ୍ନ ଦିଗରୁ ବିମାନକୁ ନୀରିକ୍ଷଣ କରି ଦୁର୍ଘଟଣାର କାରଣ ଖୋଜୁଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ ସହିତ ଦୁର୍ଘଟଣା ବାବଦରେ ପଚରାଉଚରା କରିଛି ଟିମ୍। ସାଧାରଣତଃ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିବା ଆଶଙ୍କା କରାଯାଉଛି।
ପାଇଲଟ୍ ସୁସ୍ଥ ହେଲେ ଖୋଲିପାରେ ରହସ୍ୟ
ତେବେ ବିମାନ ଉଡ଼ାଣ ଆଗରୁ ଇଞ୍ଜିନ ଯାଞ୍ଚ କରାଯାଇଥିଲା କି ନାହିଁ ? ଠିକ୍ ଭାବେ କରାଯାଇଥିଲା ତ ଆବଶ୍ୟକ ମରାମତି ? ଯଦି ହୋଇଥିଲା, ତାହେଲେ କେଉଁଠି ସମସ୍ୟା ରହିଲା ? ଏନେଇ ତଥ୍ୟ ଖୋଜୁଛନ୍ତି ତଦନ୍ତକାରୀ ଦଳ। ପାଇଲଟ୍ ସୁସ୍ଥ ହେବାପରେ ଫୋର୍ସ ଲ୍ୟାଣ୍ଡିଂର ପ୍ରକୃତ ରହସ୍ୟ ଖୋଲିପାରିନ୍ତି। ଫ୍ଲାଇଟ୍ ଇଞ୍ଜିନିୟର୍, ଟେକ୍ନିସିଆନ, ମେଣ୍ଟେନାନ୍ସ କର୍ମଚାରୀଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯାଇପାରେ । ଏପଟେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷାପାଢୀ ମଧ୍ୟ ଘଟଣାସ୍ଥଳକୁ ଯାଇ ଏକ୍ସପର୍ଟ ଟିମ୍ ସହିତ ଆଲୋଚନା କରିଛନ୍ତି ।
ସେପଟେ ଆହତ ଦମ୍ପlତି ସୁନୀଲ ଅଗ୍ରଓ୍ୱାଲ୍ ଓ ସବିତା ଅଗ୍ରୱାଲ ହୋଇଛନ୍ତି ଏୟାରଲିଫ୍ଟ। ନିଜ ଇଚ୍ଛାରେ ଅଧିକ ଚିକିତ୍ସା ପାଇଁ ଉଭୟ ମୁମ୍ବାଇକୁ ଏୟାରଲିପ୍ଟ ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଓ ବିପଦ ମୁକ୍ତ ରହିଛି। ପରିବହନ ସଚିବଙ୍କ ସୂଚନା ଅନୁସାରେ, ଏବେ ଜେପି ହସ୍ପିଟାଲରେ ୨ ଯାତ୍ରୀ ଓ ୨ ପାଇଲଟ୍ ଚିକିତ୍ସାଧୀନ। ଜଣେ ଯାତ୍ରୀ ଗୁରୁତର ଅଛନ୍ତି, ଅନ୍ୟ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।
ଭୁବନେଶ୍ୱରରୁ ଦୁଇ ଜଣିଆ ଡାକ୍ତରୀ ଟିମ୍ ରାଉରକେଲା ଯାଇ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଯଦି ଆବଶ୍ୟକ ପଡ଼େ ଅନ୍ୟ ଚିକିତ୍ସାଧୀନଙ୍କୁ ବି ଏୟାର ଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଉଷା ପାଢୀ ।
ବିମାନ ଦୁର୍ଘଟଣାର କାରଣ ଖୋଜା ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଜଲଦାବାସିନ୍ଦା। ଚାର୍ଟରକୁ ଫୋର୍ସ ଲ୍ୟାଣ୍ଡିଂ କରି ଯାତ୍ରୀଙ୍କୁ ବଞ୍ଚାଇବାକୁ ପାଇଲଟ୍ ଉଦ୍ୟମ କରିଥିଲେ ସତ, ହେଲେ ସମସ୍ତଙ୍କୁ ନୂଆଜୀବନ ଦେଇଥିଲେ ସ୍ଥାନୀୟ ଲୋକ। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିିଯିବାର ଯଥେଷ୍ଟ ଆଶଙ୍କା ଥିଲା, ତେଲ ବି ଲିକ୍ କରୁଥିଲା। ତଥାପି ଆଗପଛ ଚିନ୍ତା ନକରି ଯାତ୍ରୀଙ୍କୁ ବଞ୍ଚାଇବାକୁ ଧାଇଁ ଯାଇଥିଲେ ଅଞ୍ଚଳବାସୀ ।
ବିଶେଷକରି ସ୍ଥାନୀୟ ମହିଳାମାନେ ପ୍ରଥମେ ଦୁର୍ଘଟଣାସ୍ଥଳକୁ ଯାଇ ଖଣ୍ଡବିଖଣ୍ଡିତ ବିମାନ ଭିତରୁ ୬ ଆହତଙ୍କୁ ଉଦ୍ଧାର କରିଥିଲେ। ବିମାନ ଦୁର୍ଘଟଣାର ଆଖିଦେଖା ଦୃଶ୍ୟ ଓ ଉଦ୍ଧାର ସମୟର ଅଙ୍ଗେନିଭା ଅନୁଭୂତି କେତେ ଭୟଙ୍କର ଥିଲା, ସେକଥାକୁ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ଦେବଦୂତମାନେ...
ରାଉରକେଲା ବିମାନ ଚଳାଚଳ ଇତିହାସରେ ଏଭଳି ଦୁର୍ଘଟଣା ପ୍ରଥମ ବୋଲି କୁହାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/crash-2026-01-11-19-44-58.jpg)