Bus Fire Photograph: (OTV)
ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଚଳନ୍ତା ବସରେ ଅଗ୍ନିକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଛି। ସ୍କୁଟର ସହ ଧକ୍କା ପରେ ବସରେ ନିଆଁ ଲାଗି ୨୦ ଯାତ୍ରୀ ଜୀଅନ୍ତା ଜଳିଯାଇଛନ୍ତି। ଆହତ ହୋଇଛନ୍ତି ୨୧ ଜଣ। ମାତ୍ର କେଇ ମିନିଟରେ ପୂରା ବସକୁ ଗିଳିଦେଲା ନିଆଁ।
ସର୍ଟ ସର୍କିଟରୁ ଗେଟ୍ ଜାମ ହେବାରୁ ବାହାରକୁ ବାହାରି ନପାରି ଛଟପଟ ହୋଇ ଜଳିଗଲେ ଯାତ୍ରୀ। ନିକଟରେ ରାଜସ୍ଥାନରେ ସମାନ ଢଙ୍ଗରେ ହାଇୱେରେ ବସ୍ ଜଳି ଯାଇଥିଲା। ତେଣୁ ବାରମ୍ବାର ଅଗ୍ନିକାଣ୍ଡ ପରେ ଲକଜୁରୀ ବସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ...
ହାଇୱେରେ ଗଡୁଥିଲା ବସ୍, ନିଘୋଡ଼ ନିଦରେ ଶୋଇଥିଲେ ଯାତ୍ରୀ। ହଠାତ୍ ଚଳନ୍ତା ବସରେ ଲାଗିଲା ନିଆଁ। ତାପରେ ଯାହା ଘଟିଲା ଆପଣଙ୍କ ସାମନାରେ। ଦେଖିଲେ ଛାତି ଥରି ଉଠୁଛି, ହୃଦୟ କାନ୍ଦି ଉଠୁଛି। ଅତି ଭୟଙ୍କର ଆଉ ହୃଦୟ ବିଦାରକ। ଚାହୁଁ ଚାହୁଁ ବସକୁ ଗିଳିଦେଲା ନିଆଁ। ଜୀଅନ୍ତା ଜଳିଗଲେ ଯାତ୍ରୀ। ଗେଟ୍ ନଖୋଲିବାରୁ ବାହାରକୁ ବାହାରି ପାରିଲେନି, ଛଟପଟ ଆଉ କଲବଲ ହୋଇ ନିଆଁ ଆଁରେ ଚାଲିଗଲା ଏକାଧିକ ଅମୂଲ୍ୟ ଜୀବନ।
ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ହାଇୱେରେ ଭୋରରେ ସ୍କୁଟର ସହ ଧକ୍କା ପରେ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ମାତ୍ର କେଇ ମିନିଟରେ ବସ୍ ପାଉଁଶ ହୋଇଥିବା ବେଳେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହତ ହୋଇଛନ୍ତି ଏକାଧିକ ଯାତ୍ରୀ। ନିଆଁ ପିଣ୍ଡୁଳା ଭିତରୁ ଉଦ୍ଧାର ପାଇଁ ଯାତ୍ରୀ ଆର୍ତ୍ତ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ମୃତ୍ୟୁ ମୁହଁକୁ ଠେଲି ଚମ୍ପଟ ମାରିଥିଲେ ଡ୍ରାଇଭର। ...
ଘରୋଇ ବସଟି ୪୧ ଯାତ୍ରୀଙ୍କୁ ଧରି ହାଇଦ୍ରାବାଦରୁ ବାହାରିଥିଲା ବେଙ୍ଗାଳୁରୁ। କେହି ଭାବି ନଥିଲେ ଏରାତି ସେମାନଙ୍କ ପାଇଁ କାଳ ରାତି ହେବ। ସକାଳର ସୂର୍ଯ୍ୟ ଉଦୟ ସେମାନେ ଆଉ ଦେଖିପାରିବେନି। ପ୍ରତ୍ୟକ୍ଷଦର୍ଶୀଙ୍କ ବଖାଣିଛନ୍ତି ସେହି ସମୟର ଛାତିଥରା କାହାଣୀ। ସେମାନଙ୍କ କହିବା କଥା, ଭୋର୍ ୩ଟା ବେଳେ କୁର୍ଣ୍ଣୁଲ ଜିଲ୍ଲା ଚିନ୍ନାଟେକୁର ନିକଟରେ ବସ୍ ସହ ସ୍କୁଟରର ଧକ୍କା ହୋଇଥିଲା। ସ୍କୁଟରଟି ବସ୍ ତଳେ ଲାଖି ଯିବାରୁ ବିସ୍ଫୋରଣ ହୋଇ ଲାଗିଥିଲା ନିଆଁ। ଜୀବନ ବଞ୍ଚାଇବାକୁ ସମସ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ।
ସର୍ଟ ସର୍କିଟରୁ ଖୋଲି ନଥିଲା ବସ୍ ଗେଟ୍। କେହି କେହି ଏମର୍ଜେନ୍ସୀ ଗେଟ୍ ପଟେ ତ ଆଉ କିଏ ଝରକା କାଚ ଭାଙ୍ଗି ବାହାରକୁ ଡେଇଁଥିଲେ। ଯେଉଁମାନେ ବାହାରି ପାରିଲେନି ନିଆଁରେ ପୋଡ଼ିଗଲେ। ମୃତ ଯାତ୍ରୀଙ୍କ ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ କରାଯିବ। ...
କୁର୍ଣ୍ଣୁଲ ବସ୍ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ପୂର୍ବରୁ ରାଜସ୍ଥାନରେ ବି ଚଳନ୍ତା ବସରେ ନିଆଁ ଲାଗି ୧୯ ଯାତ୍ରୀଙ୍କ ଜୀବନ ଯାଇଥିଲା। ବାରମ୍ବାର କାହିଁକି ବସରେ ନିଆଁ ଲାଗୁଛି। ବସ୍ ମାଲିକଙ୍କ ମତରେ, ଲକଜୁରୀ ବସରେ ଅଟୋମେଟିକ୍ ଲକ୍ ସିଷ୍ଟମ ଓ ସେନସର ରହୁଛି। ନିଆଁ ଲାଗିଲେ ସେନସର କାମ କରୁନି କି ଗେଟ ଖୋଲୁନି। ଡୋରକୁ ସେନସର ବେଡସ୍ ନକରିବା ଓ ମାନୁଆଲ୍ କରିବା ଉପରେ ମତ ରଖିଛନ୍ତି ବସ ମାଲିକ। ...
କେମିତି ଓ କେଉଁ ପରିସ୍ଥିତିରେ ବସରେ ଲାଗିଲା ନିଆଁ ? କୁହାଯାଉଛି ସ୍କୁଟି ସହ ଧକ୍କା ପରେ ତେଳ ଲିକରୁ ବସରେ ନିଆଁ ଲାଗିଯାଇଥିଲା। ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/bus-fire-2025-10-24-21-13-56.jpg)