kaeandip Photograph: (OTV)
ଉତ୍ତରାଖଣ୍ଡର ଡେରାଡୁନରେ ରହୁଥିବା ୨୨ ବର୍ଷୀୟ ସିନିୟର ଡେକ କ୍ୟାଡେଟ କରନଦୀପ ସିଂହ ରାଣା ଏକ ମର୍ଚେଣ୍ଟ ନେଭି ଜାହାଜରୁ ନିଖୋଜ ହୋଇଯାଇଛନ୍ତି। ସେ ‘MT Front Princess’ ନାମକ ଏକ ଜାହାଜରେ ନିଯୁକ୍ତ ଥିଲେ। ଏହି ଜାହାଜ ଇରାକରୁ ଚୀନ ଅଭିମୁଖେ ଯାଉଥିଲା। କରନଦୀପ ସିଂହଙ୍କ ସହ ତାଙ୍କ ପରିବାରର ଶେଷ କଥାବାର୍ତ୍ତା ଗତ ମାସ ୨୦ ସେପ୍ଟେମ୍ବରରେ ହୋଇଥିଲା। ତା’ପରେ ପରିବାରର ତାଙ୍କ ସହ କୌଣସି ସମ୍ପର୍କ ହୋଇପାରି ନାହିଁ। ପରିବାରର କହିବା ଅନୁଯାୟୀ, ସିପିଂ କମ୍ପାନୀ ସେମାନଙ୍କୁ ସମ୍ପୂର୍ଣ୍ଣ ଓ ସ୍ପଷ୍ଟ ସୂଚନା ଦେଉ ନାହିଁ। ଅନ୍ୟପଟେ, କମ୍ପାନୀ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି । କମ୍ପାନୀ କହିଛି ଯେ ଜାହାଜ ଚୀନ ପହଞ୍ଚିବା ପରେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ।
ରିପୋର୍ଟ ଅନୁଯାୟୀ, କରନଦୀପଙ୍କ ପିତା ନରେନ୍ଦ୍ର ରାଣାଙ୍କ କହିବା ଅନୁସାରେ, ୨୦ ସେପ୍ଟେମ୍ବର ସନ୍ଧ୍ୟାରେ ଶିପିଂ କମ୍ପାନୀ Executive Ship Management Pvt Ltd ରୁ ତାଙ୍କୁ ଏକ ଫୋନ କଲ ଆସିଥିଲା। କମ୍ପାନୀ ସୂଚନା ଦେଇଥିଲା ଯେ କରନଦୀପ ସିଂହ ଶ୍ରୀଲଙ୍କା ଓ ସିଙ୍ଗାପୁର ମଧ୍ୟରେ ଜାହାଜରୁ ନିଖୋଜ ହୋଇଯାଇଛନ୍ତି। ଜାହାଜଟି ଇରାକରୁ ଯାତ୍ରା ଆରମ୍ଭ କରି ଶ୍ରୀଲଙ୍କା ଓ ସିଙ୍ଗାପୁର ଦେଇ ଚୀନ ଅଭିମୁଖେ ଯାଉଥିଲା। ପିତାଙ୍କ କହିବା ଅନୁସାରେ, ଅଧିକାରୀମାନେ ପରେ ଜଣାଇଥିଲେ ଯେ କରନଦୀପ ଜାହାଜରେ ଫୋଟୋ ଉଠାଉଥିବା ସମୟରେ ତଳକୁ ଖସି ପଡ଼ିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଅଧିକାରୀମାନେ ଦୁଇ ପ୍ରକାରର କଥା କହୁଛନ୍ତି ଏବଂ ଘଟଣା ସମ୍ପର୍କରେ ସଠିକ ସୂଚନା ଦେଉ ନାହାନ୍ତି।‘
କରନଦୀପଙ୍କ ପରିବାର ଆହୁରି କହିଛନ୍ତି ଯେ ସେମାନେ ଜାହାଜରେ ଥିବା CCTV ଫୁଟେଜ ଓ VDR (Voyage Data Recorder) ରେକର୍ଡିଂ ମାଗିଥିଲେ। ଏହାର ଜବାବରେ କମ୍ପାନୀ କହିଛି ଯେ କରନଦୀପ ଯେଉଁଠାରୁ ଖସିଥିଲେ, ସେଠାରେ କ୍ୟାମେରା ଲାଗି ନଥିଲା। ଏହା ସହିତ, ଅନ୍ୟ ସ୍ଥାନର CCTV ଫୁଟେଜ ଓ VDR ପ୍ରଦାନ କରିବାକୁ କମ୍ପାନୀ ମନା କରିଦେଇଛି। ପିତା କହିଛନ୍ତି ଯେ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ପୋର୍ଟାଲରେ ମଧ୍ୟ ତାଙ୍କ ପୁଅର ସନ୍ଧାନ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ଅନ୍ୟପଟେ, ସିପିଂ କମ୍ପାନୀ କରନଦୀପଙ୍କ ନିଖୋଜ ହେବାର ପୁଷ୍ଟି କରିଛି। କମ୍ପାନୀ କହିଛି ଯେ, “ଆମେ ବହୁତ ଦୁଃଖର ସହ କ୍ୟାଡେଟ କରନଦୀପ ସିଂହ ରାଣାଙ୍କର ଦୁଃଖଦ ନିଧନର ସୂଚନା ଦେଉଛୁ।” କମ୍ପାନୀ ସନ୍ଦେହ କରିଛି ଯେ କରନଦୀପ ୨୦ ସେପ୍ଟେମ୍ବର ସନ୍ଧ୍ୟାରେ ପାଣିରେ ଖସି ପଡ଼ିଥିଲେ। କମ୍ପାନୀର ବୟାନ ଅନୁଯାୟୀ, ଜାହାଜର କ୍ରୁ ଚାରି ଦିନ ଧରି କରନଦୀପଙ୍କୁ ଖୋଜିଥିଲେ। ଶ୍ରୀଲଙ୍କାର ପ୍ରତିରକ୍ଷା ହେଲିକପ୍ଟର ଏବଂ ଅନ୍ୟ ଜାହାଜମାନେ ମଧ୍ୟ ଖୋଜ ଅଭିଯାନରେ ସାହାଯ୍ୟ କରିଥିଲେ। ଖୋଜ ଅଭିଯାନ ୯୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। କମ୍ପାନୀ କହିଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଜାହାଜ ଚୀନ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ତଦନ୍ତ କରାଯିବ। କମ୍ପାନୀ ଅନୁରୋଧ କରିଛି ଯେ ତଦନ୍ତ ସମ୍ପୂର୍ଣ୍ଣ ହେବା ପୂର୍ବରୁ କୌଣସି ପ୍ରକାରର ଅନୁମାନ କରାନଯାଉ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/04/kaeandip-2025-10-04-20-12-49.jpg)