ପୁଣି ଲଘୁଚାପ Photograph: (OTV)
ପାର୍ବଣକୁ ଫିକା କରିବ ବର୍ଷା । ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସମ୍ଭାବନା। ୩୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଅକ୍ଟୋବର ୧ରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।
ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଂଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ସେପଟେ ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ। ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଛୁଇଁନି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି। ସେ କହିଛନ୍ତି IMDର ଆକଳନ ଅନୁଯାୟୀ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ। ରାଜ୍ୟର କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ।
ଗତକାଲି ୪୯ ବ୍ଲକ ମୁଖ୍ୟାଳୟରେ ୫୦ ମିଲିମିଟର ଓ କାଲିମେଳା ବ୍ଲକରେ ୧୦୦ ମିଲିମିଟର ବର୍ଷା ହୋଇଛି। ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରୋତ୍ପଳା ପାଇଁ ସତର୍କତା ରହିଛି। ବଂଶଧରା ଓ ଋଷିକୂଲ୍ୟା ନଦୀରେ ଜଳସ୍ତର ବଢୁଛି କିନ୍ତୁ ବିପଦ ସଂକେତ ତଳେ ଅଛି।
ତେବେ ହୀରାକୁଦର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟଥିବାବେଳେ ଏବେ ୬୨୭. ୮୫ ଫୁଟ ପାଣି ଅଛି। ଏବେ ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି। ସ୍ଥିତି ଦେଖି ଆଉ ୬ ଟି ଗେଟ ବନ୍ଦ ହେବ। ସୁକତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳ ବୃଦ୍ଧି ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/weather-alert-2025-09-27-16-40-20.jpg)