ରାଜ୍ୟ ରାଜନୀତିରେ କାମିୟା ଜାନି ବିବାଦ । କାମିୟାଙ୍କୁ ମହାପ୍ରଭୁଙ୍କ ଅବଢା ଖୁଆଇ ଅଡୁଆରେ ପାଣ୍ଡିଆନ । ପାଣ୍ଡିଆନ ଏବଂ କାମିୟାଙ୍କ ବିରୋଧରେ ମାମଲା ପାଇଁ ଦାବି । ହିନ୍ଦୀ ବ୍ଲଗର କାମିୟା ଜାନିଙ୍କୁ ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ସହ ଦର୍ଶନ ଏବଂ ଅବଢା ଖୁଆଇଥିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ସଂସ୍କୃତି ସଂପର୍କରେ ତାଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ । ଯାହାକୁ ନିଜ ସୋସିଆଲ ମିଡିଆ ପେଜରେ ଅପଲୋଡ୍ କରିଥିଲେ କାମିୟା ।

ହେଲେ କାମିୟାଙ୍କ ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳ ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ । କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନ ଧର୍ମୀଙ୍କ ଭାବାବେଗକୁ କୁଠାରଘାତ କରିଥିବାରୁ ସେମାନଙ୍କ ବିରୋଧରେ ଆଇପିସି ୨୯୫-ଏ ଧାରା ବିରୋଧରେ ମାମଲା ରୁଜୁ କରୁ ଶ୍ରୀମନ୍ଦିର ପ୍ରଶାସନ ।