ଭ୍ରମଣ ସୁଖ ଭିତରେ ଲୁଚି ରହିଥିଲା ମରଣ ଯୋଗ । ଓଡ଼ିଆ ଡାକ୍ତର ଦଂପତିଙ୍କ ପାଇଁ କାଳ ହେଲା କେରଳର ଦୈବୀ ଦୁର୍ବିପାକ। ମଙ୍ଗଳବାର ଭୋରରୁ ୱାୟନାଡ଼ରେ ହୋଇଥିବା ମହାପ୍ରଳୟକାରୀ ଭୂସ୍ଖଳନରେ ଭାଙ୍ଗି ଯାଇଛି ଚୌଦ୍ବାର ଅଞ୍ଚଳର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କ ସୁନାର ସଂସାର। ରାଜସ୍ବ ମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲିର ଓୟନାଡ ଭୂସ୍ଖଳନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା । ସ୍ଥାନୀୟ ପୋଲିସ ତାଙ୍କ ମୃତଦେହ ଚିହ୍ନଟ କରିଛି । ହେଲେ ମାଟି ଓ ପାଣି-କାଦୁଅର ଏ ମହାପ୍ରଳୟ ଭିତରୁ ସୌଭାଗ୍ୟବଶତଃ ଗୁରୁତର ଅବସ୍ଥାରେ ବଞ୍ଚି ଯାଇଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ । ସେ ଏବେ ୱାୟନାଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ।