କିନ୍ନର ଗୋଷ୍ଠୀ ବିବାଦ Photograph: (OTV)
ଭଦ୍ରକରେ କିନ୍ନରଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଉଗ୍ର ହେବାରେ ଲାଗିଛି। ରାଜରାସ୍ତା, ଟୋଲପ୍ଲାଜା ଓ ରେଲୱେରେ ନିଜର ଦବଦବା ଜାହିର କରିବାକୁ ଦୁଇ ଗୋଷ୍ଠୀ ଭିତରେ ଲାଗି ରହିଥିବା ବିବାଦ ମଙ୍ଗଳବାର ହାତାହାତିରେ ପହଞ୍ଚିଥିଲା। ଭଦ୍ରକ ଚରମ୍ପାର ଡଗରାସାହିର ଉଭୟ ଗୋଷ୍ଠୀ ମଧ୍ୟରେ ବାଡାବାଡ଼ି ହେବା ସହିତ ଉଭୟ ଉଭୟଙ୍କ ଚୁଟି କାଟିବାକୁ ପଛାଇ ନଥିଲେ।
ସୂଚନାମୁତାବକ ଏକ କିନ୍ନର ଗୋଷ୍ଠୀ ଡଗରସାହି ନିକଟରେ ଘରକୁ ଫେରୁଥିବା ବେଳେ ଅପରପକ୍ଷ କିନ୍ନର ଗୋଷ୍ଠୀ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ କେତେକ କିନ୍ନର ଆହତ ହୋଇଥିଲେ। କାହାର ମୁଣ୍ଡ, ପିଠି, କାନ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା। ତେବେ ପୂର୍ବରୁ ମାଡ ଖାଇ ଆହତ ହୋଇଥିବା କିନ୍ନରମାନେ ନିକଟରେ ଜୀବନ ପ୍ରତି ବିପଦ ଥିବା ନେଇ ଟାଉନଥାନା ଅଧିକାରୀଙ୍କୁ ଜଣାଇଥିଲେ।
ଏହି ଗୋଷ୍ଠୀ ସଙ୍ଘର୍ଷରେ ଉଭୟ ଗୋଷ୍ଠୀର ୭ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଶ୍ରାବଣୀ ଗୋଷ୍ଠୀର କିନ୍ନରମାନେ ଭଦ୍ରକ ଟାଉନଥାନାରେ ପହଞ୍ଚି ସଞ୍ଜନା ଗୋଷ୍ଠୀର ସଦସ୍ୟମାନେ ସେମାନଙ୍କୁ ମାଡ଼ ମରିବା ସହିତ ଚୁଟି କାଟିଥିବା ଅଭିଯୋଗ କରିଥିଲେ। ପରେ ସଞ୍ଜନା ଗୋଷ୍ଠୀ ପହଞ୍ଚି ଶ୍ରାବଣୀ ଗୋଷ୍ଠୀ ସଦସ୍ୟଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ।
ପୋଲିସ ଉଭୟ ଗୋଷ୍ଠୀର ଅଭିଯୋଗକୁ ନେଇ ମାମଲା ରୁଜୁ କରିବା ସହିତ ସଞ୍ଜନା ଗୋଷ୍ଠୀର ୨ ଜଣ କିନ୍ନରଙ୍କୁ ଗିରଫ କରିଛି। ପୋଲିସ ମଧ୍ୟ ମଙ୍ଗଳବାର ରାତିରେ ସଞ୍ଜନା କିନ୍ନର ଗୋଷ୍ଠୀର ଆହତ ଥିବା ୩ଜଣଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/clash-erupts-2025-12-31-16-41-39.jpg)