Advertisment

Fatal Consequence of Traffic Jam: ମଝି ରାସ୍ତାରେ ମାରିଦେଲା ଟ୍ରାଫିକ୍ ଜାମ୍ ! ବିଶ୍ବକର୍ମା ପୂଜା ଭିଡ଼ରେ ଫସିଗଲା ଆମ୍ବୁଲାନସ

ପ୍ରାୟ ୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଗଲା ଅଢେଇ ଘଣ୍ଟାରୁ ଅଧିକ ସମୟ। ସଂଧ୍ୟା ସାଢ଼େ ୫ରୁ ରାତି ପ୍ରାୟ ୮ଟା। ଚାରିଆଡ଼େ ଜାମ୍। ଆମ୍ବୁଲାନ୍ସରୁ ଓହ୍ଲାଇ ଆସି କେତେବେଳେ ରାକେଶଙ୍କ ଭାଇ ତ ଆଉ କେତେବେଳେ ଅନ୍ୟ ସଂପର୍କୀୟ ଲୋକଙ୍କୁ ବାଟ ଛାଡ଼ିବାକୁ ନିବେଦନ ବି କରୁଥିଲେ।

Traffic Jam

ଟ୍ରାଫିକ ଜାମ୍ Photograph: (OTV)

Advertisment

ଦାୟିତ୍ବହୀନ ଟ୍ରାଫିକ୍ ପରିଚାଳନାରୁ ଜଣେ ଯୁବକଙ୍କୁ ପ୍ରାଣହାନୀର ଦୁଃଖଦ ଖବର। ଯାହାଙ୍କୁ ମେଡ଼ିକାଲରେ ପହଞ୍ଚିବା ଆଗରୁ ହିଁ ମଝି ରାସ୍ତାରେ ମାରିଦେଲା ଟ୍ରାଫିକ୍ ଭିଡ଼। ନିର୍ଦ୍ଦିଷ୍ଟ ସମୟ ଭିତରେ ମେଡ଼ିକାଲ୍ ପହଞ୍ଚିନପାରିବାରୁ ଆମ୍ବୁଲାନ୍ସର ଅକ୍ସିଜେନ୍ ଖତମ୍ ହେବା ପରେ ଚାଲିଗଲା ଜଣେ ନିରୀହ ଯୁବକଙ୍କ ଅମୂଲ୍ୟ ଜୀବନ। ପାରାଦୀପର ଏହି ଘଟଣା ହୁଏତ ଆପଣଙ୍କୁ ବିଚଳିତ କରିବ, କିନ୍ତୁ ହୁଗୁଳା ବ୍ୟବସ୍ଥାର ନଗ୍ନ ଚିତ୍ର ବି ସାମ୍ନାକୁ ଆଣିବ। 

Advertisment

ହଁ...ଆଉ ବା ସେ କ’ଣ କହିଥାନ୍ତେ...ଆଉ ବା କ’ଣ ସେ ବଖାଣିଥାନ୍ତେ...ଦଶ ମାସ ଗର୍ଭରେ ଧରି ଯେଉଁ ନୟନ ପିତୁଳାକୁ ଦୁନିଆକୁ ଆଣିଥିଲେ, ସେହି ସନ୍ତକକୁ ଯେ ଆଜି ମା’କୋଳରୁ ଛଡ଼ାଇ ନେବ ନଗ୍ନ ବ୍ୟବସ୍ଥା, ଆଉ ବା ମା’ଟିଏ କ’ଣ କରିଥାନ୍ତେ...କେବଳ ଏତିକି କହିଛନ୍ତି, ଯାହା ହେଲା ହେଲା, ଆଗକୁ ଆଉ କାହା ସହ ନଘଟୁ...ଆଉ କାହା କୋଳରୁ ଚାଲିନଯାଉ ଅନ୍ଧର ଲଉଡ଼ି ।

ଏହି ମା’ସହ ଆଜି ଯାହା ଘଟିଯାଇଛି, ବ୍ୟବସ୍ଥାର ମୁଖା ଖୋଲିଦେଇଛି। କାରଣ ଭିଡ଼ ମାରିଦେଇଛି ତାଙ୍କ ୨୧ ବର୍ଷିୟ ଭେଣ୍ଡିଆ ପୁଅଙ୍କୁ। ଯାହାଙ୍କ ନାଁ ରାକେଶ ଦାସ। ହୁଏତ ସଠିକ୍ ସମୟରେ ମେଡ଼ିକାଲରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ରାକେଶ ବଞ୍ଚିଯାଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ୫ କିଲୋମିଟର ରାସ୍ତା ପାରିହେବା ପାଇଁ ଅଢ଼େଇ ଘଣ୍ଟା ଧରି ଟ୍ରାଫିକ୍ ଭିଡ଼ରେ ଫସିଯାଇଥିବା ଆମ୍ବୁଲାନ୍ସର ସରିଗଲା ଅକ୍ସିଜେନ୍। ସେହି ଅକ୍ସିଜେନ୍ ସହ ଉଡ଼ିଗଲା ରାକେଶଙ୍କ ପ୍ରାଣବାୟୁ। 
ସେଦିନ ଥିଲା ରବିବାର। ବିଶ୍ବକର୍ମା ପୂଜା ପାଇଁ ପାରାଦୀପ ଥିଲା ବେଶ୍ ଚଳଚଞ୍ଚଳ। ଛୁଟିଦିନ ପାଇଁ ଜମିଥିଲା ପ୍ରବଳ ଭିଡ଼। ତାହାରି ଭିତରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ ପାରାଦୀପ ନେହରୁବଙ୍ଗଳାର ରାକେଶ। ଆଉ ଭର୍ତ୍ତି ହୋଇଥିଲେ ଅଠରବାଙ୍କି ହସ୍ପିଟାଲରେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେହି ମେଡ଼ିକାଲରୁ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ରାକେଶଙ୍କୁ ଧରି ପ୍ରାୟ ଶହେ କିଲୋମିଟର ଦୂର କଟକ ମୁହାଁ ହୋଇଥିଲେ ବାପା,ମା ଓ ଭାଇ। ଲାଗିଥିଲା ଅକ୍ସିଜେନ୍। ତଥାପି ସେହି ଆମ୍ବୁଲାନ୍ସରେ ମରଣ ସହ ଲଢ଼େଇ କରୁଥିଲେ ରାକେଶ। 

Advertisment

ପ୍ରତିଟି ସେକେଣ୍ଡ ଥିଲା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟ, ଟ୍ରାଫିକ୍ ଭିଡ଼ ଯୋଗୁ ଅଠରବାଙ୍କିରୁ ଦୋ’ଛକି ପ୍ରାୟ ୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଗଲା ଅଢେଇ ଘଣ୍ଟାରୁ ଅଧିକ। ସଂଧ୍ୟା ସାଢ଼େ ୫ରୁ ରାତି ପ୍ରାୟ ୮ଟା। ଚାରିଆଡ଼େ ଜାମ୍। ଆମ୍ବୁଲାନ୍ସରୁ ଓହ୍ଲାଇ ଆସି କେତେବେଳେ ରାକେଶଙ୍କ ଭାଇ ତ ଆଉ କେତେବେଳେ ଅନ୍ୟ ସଂପର୍କୀୟ ଲୋକଙ୍କୁ ବାଟ ଛାଡ଼ିବାକୁ ନିବେଦନ ବି କରୁଥିଲେ। ଶେଷରେ ଅଢ଼େଇ ଘଣ୍ଟାର ପ୍ରତିବନ୍ଧକ ଡେଇଁ କଟକ SCBରେ ପହଞ୍ଚିଗଲେ ସିନା, ସେତିକିବେଳକୁ ରାକେଶଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। 

ଜୀବନଟିଏ ଚାଲିଯିବା ପରେ, ଏବେ କାହାକୁ କହିବେ, କିଏ ଶୁଣିବ। କାରଣ, ସେହି ସଂଧ୍ୟାର ଭିଡ଼ବେଳେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଗାଡ଼ି ବି ଯାଇଥିଲା। ସେହି ଗାଡ଼ିକୁ ଏସକର୍ଟ କରି ପାରି କରାଇଥିଲା ପୋଲିସ। ଆଉ ମନ୍ତ୍ରୀ ଯିବାର କିଛି ସମୟ ପରେ ଅଠରବାଙ୍କୀ-ଦୋଛକି ରାସ୍ତାର ଭିଡ଼ରେ ଫସିଗଲା ଆମ୍ବୁଲାନ୍ସ। 

Advertisment

ତେବେ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ପୂର୍ବରୁ ବାରମ୍ବାର ପ୍ରସ୍ତୁତି ଚଳାଇଥିବା ପ୍ରଶାସନ କାହିଁକି ଟ୍ରାଫିକ୍ ପରିଚାଳନାରେ ଫେର୍ ମାରିଲା ? ଆମ୍ବୁଲାନ୍ସ କିମ୍ବା ଜରୁରୀ ସେବାରେ ନିୟୋଜିତ ଗାଡ଼ି ପାଇଁ କାହିଁକି ନଥିଲା ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ? ସେହି ଆମ୍ବୁଲାନ୍ସ ଯିବା ପୂର୍ବରୁ ଯଦି ମନ୍ତ୍ରୀଙ୍କ ଗାଡ଼ିକୁ ଏସକର୍ଟ କରିନିଆଯାଇଥିଲା, ତେବେ କାହିଁକି ସଂପୃକ୍ତ ଆମ୍ବୁଲାନ୍ସ ପ୍ରତି ଅଣଦେଖା ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ଏନେଇ ପୋଲିସ କିମ୍ବା ଶିଳ୍ପମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ଦାୟିତ୍ବହୀନ ବ୍ୟବସ୍ଥାର ଏହି ନଗ୍ନ ଉଦାହରଣ ପରେ ଅନ୍ତତଃ, ଆଉ କେଉଁଠି ଏଭଳି ଘଟଣାର ପୁନରାବୃତ୍ତି ନହେଉ, ତାହା ସମସ୍ତଙ୍କ ଆଶା। 

Ambulance Traffic Patient Traffic Jam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ