Blood Group
- AB ଏବଂ B ବ୍ଲଡ୍ ଗ୍ରୁପ୍ ଲୋକଙ୍କୁ କରୋନା ସଂକ୍ରମଣର ଅଧିକ ଆଶଙ୍କା
- O ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ କରୋନା ସଂକ୍ରମଣର ଆଶଙ୍କା କମ୍
- ଦେଶବ୍ୟାପୀ ସେରୋ ସର୍ଭେ ରିପୋର୍ଟ ବିଶ୍ଳେଷଣରୁ ନିଷ୍କର୍ସ
- ସେରୋ ସର୍ଭେ ରିପୋର୍ଟ ବିଶ୍ଳେଷଣ କରି ତଥ୍ୟ ଦେଇଛି CSIR
- ଏତେ କମ୍ ସଂଖ୍ୟକ ସାମ୍ପଲ୍ରୁ ନିଷ୍କର୍ସ ବାହାରିବା ମୁସ୍କିଲ: ବିଶେଷଜ୍ଞ
ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ କରୋନା ମହାମାରୀ ସମ୍ପୂର୍ଣ୍ଣ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏହାର ବିଭିନ୍ନ ଦିଗ ଓ ଭୂତାଣୁର ବିଭିନ୍ନ ବୈଶିଷ୍ଟ୍ୟ ବା ଗୁଣ ସଂପର୍କରେ ଜାଣିବାକୁ ଅହରହ ଗବେଷଣା ଚଳାଇଛନ୍ତି ଗବେଷକ। ଏ ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେମିତି ଏକ ତଥ୍ୟ ଦେଇଛି CSIR। କହିଛି କିଛି ବ୍ଲଡ୍ ଗ୍ରୁପ୍ ପାଇଁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଆଉ କିଛି ପାଇଁ କମ୍ ରହିଛି।
ରକ୍ତର ରହିଛି ୪ଟି ମୁଖ୍ୟ ଗ୍ରୁପ୍। ଯଥା, A,B, AB ଏବଂ O। ତେବେ କିଛି ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ କରୋନା ହେବାର ଅଧିକ ଆଶଙ୍କା ରହିଛି, ଏବଂ କିଛି ବ୍ଲଡ୍ ଗ୍ରୁପକୁ କମ୍ ରହିଛି ବୋଲି ନିଜ ରିପୋର୍ଟରେ ଅନୁମାନ କରିଛି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରୌଦ୍ୟୋଗିକ ମନ୍ତ୍ରାଳୟ ଅଧୀନସ୍ଥ କାଉନ୍ସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା CSIR। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ରିପୋର୍ଟ କହୁଛି, AB ଏବଂ B ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ ଅନ୍ୟ ଗ୍ରୁପ୍ ଅପେକ୍ଷା କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି।
O ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କୁ କରୋନା ସଂକ୍ରମଣର ରହିଛି ସବୁଠୁ କମ୍ ଆଶଙ୍କା ରହିଛି। O ଗ୍ରୁପ୍ ରକ୍ତ ଥିବା ଲୋକ କରୋନା ସଂକ୍ରମିତ ହେଲେ ବି, ସେମାନଙ୍କ ଠାରେ ହୁଏତ ସ୍ୱଳ୍ପ ଲକ୍ଷଣ ପ୍ରକାଶ ପାଉଛି, କିମ୍ବା ସେମାନେ ଲକ୍ଷଣବିହୀନ ବା ଆସିମ୍ପ୍ଟମାଟିକ୍ ରହୁଛନ୍ତି। ଦେଶବ୍ୟାପୀ ସେରୋ-ପଜିଟିଭିଟି ସର୍ଭେରୁ ଉପଲବ୍ଧ ତଥ୍ୟକୁ ବିଶ୍ଳେଷଣ କରି କିଛି ଏଭଳି ନିଷ୍କର୍ସ ମିଳିଛି
ତେବେ ଏଭଳି ନନ୍-ପିଅର୍ ରିଭ୍ୟୁଡ୍ ରିପୋର୍ଟକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ହୁଏତ ଜେନେଟିକ୍ ଷ୍ଟ୍ରକ୍ଚରର ପାର୍ଥକ୍ୟ ଯୋଗୁଁ ଏଭଳି ହେଉଥାଇ ପାରେ ବୋଲି କେତେଜଣ କହିଥିବା ବେଳେ, ଆଉ କିଛି ବିଶେଷଜ୍ଞ ବ୍ଲଡ୍ ଗ୍ରୁପ୍ ସହ କରୋନା ପ୍ରତିରୋଧକ ଶକ୍ତିର ସଂପର୍କ ଥିବା ଦାବିକୁ ସିଧାସଳଖ ଖଣ୍ଡନ କରିଛନ୍ତି। ଏଥିସହ ଚେତାଇ ଦେଇଛନ୍ତି ଯେ, AB କିମ୍ବା B ବ୍ଲଡ୍ ଗ୍ରୁପ୍ ରକ୍ତ ଥିବା ଲୋକେ ଯେତେ ସତର୍କ ରହିଲେ ବି ଯେ କରୋନା ହେବା ନିଶ୍ଚିତ କିମ୍ବା O ବ୍ଲଡ୍ ଗ୍ରୁପ୍ ଲୋକ କିଛି ସତର୍କତା ନମାନିଲେ ବି ଯେ କରୋନା ହେବ ନାହିଁ, ଏଭଳି ଭାବିବା ନିହାତି ଭୁଲ୍ ଏବଂ ବିପଜ୍ଜନକ ମଧ୍ୟ।
ଏହସହ ଆମିଷାସୀଙ୍କୁ ରହିଛି କରୋନା ସଂକ୍ରମଣର ଅଧିକ ଆଶଙ୍କା? ନିରାମିଷାସୀଙ୍କୁ କୋଭିଡ୍ ହେବାର ଭୟ କମ୍ ଅଛି କି? CSIR ରିପୋର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏହାକୁ ଖଣ୍ଡନ କରିଛି CSIR। କୁହାଯାଇଛି ଯେ, ଆମିଷ ଖାଇଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ଓ ନିରାମିଷ ଖାଇଲେ କମ୍ ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇନାହିଁ ପ୍ରକୃତରେ ଏହା ପ୍ରସ୍ତାବ ଦିଆଯାଇଛି ଯେ, ଅଧିକ ତନ୍ତୁ ବା ଫାଇବର୍ ଯୁକ୍ତ ଖାଦ୍ୟରେ ଆଣ୍ଟି-ଇନ୍ଫ୍ଲାମେଟୋରି ବା ପ୍ରଦାହରୋଧୀ ଶକ୍ତି ଥିବାରୁ, କୋଭିଡ୍ ବେଳେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରେ।
ଦେଶର ୧୦ ହଜାର ଲୋକଙ୍କ ସେରୋ ସର୍ଭେ ରିପୋର୍ଟର ବିଶ୍ଳେଷଣରୁ ଏସବୁ ତଥ୍ୟ ମିଳିଥିବା ବେଳେ, ଏହାକୁ ୧୪୦ ଜଣ ଡାକ୍ତର ସମୀକ୍ଷା କରିଛନ୍ତି। ତେବେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ କରୋନା ଆକ୍ରାନ୍ତ ହେବାର କମ୍ ଆଶଙ୍କା ରହିଛି ବୋଲି ହେଉଥିବା ଚର୍ଚ୍ଚାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି CSIR। ରିପୋର୍ଟର କୌଣସି ସ୍ଥାନରେ ଏଭଳି କିଛି କୁହାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/y_1621139499.jpg)