Advertisment

ରୋହିତ ଶର୍ମାଙ୍କ ସମେତ ୫ଜଣଙ୍କୁ 'ଖେଳ ରତ୍ନ', ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନାଁ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଏଥର ୫ଜଣଙ୍କୁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିଛି। ଦୂତୀଙ୍କ ସମେତ ୨୭ଜଣଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିବା ନେଇ କ୍ରୀଡ଼ା ମନ୍ତ୍ରାଳୟ  ପକ୍ଷରୁ ସୂଚନା […]

ଅଦ୍ୟତନ ହୋଇଛି
ରୋହିତ ଶର୍ମାଙ୍କ ସମେତ ୫ଜଣଙ୍କୁ 'ଖେଳ ରତ୍ନ', ଦୂତୀଙ୍କୁ ଅର୍ଜୁନ ପୁରସ୍କାର

rohit

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନାଁ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଏଥର ୫ଜଣଙ୍କୁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି 'ଖେଳ ରତ୍ନ' ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିଛି। ଦୂତୀଙ୍କ ସମେତ ୨୭ଜଣଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିବା ନେଇ କ୍ରୀଡ଼ା ମନ୍ତ୍ରାଳୟ  ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ତାଲିକା ମଧ୍ୟ ପ୍ରକାଶିତ ହୋଇଛି।

Advertisment

ରୋହିତଙ୍କ ବ୍ୟତୀତ ପାରା ଆଥଲେଟ୍ ଟି. ମରିୟାପ୍ପାନ, ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା, ମହିଳା ରେସଲର୍ ଭିନେଶ ଫୋଗାଟ୍ ଏବଂ ଭାରତୀୟ ମହିଳା ହକି ଦଳର କ୍ୟାପଟେନ୍ ରାନୀ ରାମପଲଙ୍କୁ ମଧ୍ୟ ମିଳିବ 'ଖେଳ ରତ୍ନ'। ମଙ୍ଗଳବାର ଜାତୀୟ ସ୍ପୋର୍ଟ୍ସ ଆୱାର୍ଡ କମିଟି ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଏବଂ ଜାତୀୟ କ୍ରୀଡ଼ା ପୁରସ୍କାର ତାଲିକା କ୍ରୀଡ଼ା ମନ୍ତ୍ରାଳୟକୁ ପଠାଇଥିଲା।

ପ୍ରଥମଥର ଲାଗି ଏକାଥରକେ ୫ଜଣ କ୍ରୀଡ଼ାବିତଙ୍କୁ ଖେଳ ରତ୍ନରେ ସମ୍ମାନିତ କରାଯିବ। ଏହା ପୂର୍ବରୁ ୨୦୧୬ରେ ୪ଜଣ ଆଥଲେଟ୍ ଯଥା ରିଓ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ, ଦୀପା କର୍ମାକର, ସାକ୍ଷୀ ମଲିକ୍ ଏବଂ ଶୁଟର୍ ଜିତୁ ରାଏଙ୍କୁ 'ଖେଳ ରତ୍ନ'ରେ ସମ୍ମାନିତ କରାଯାଇଥିଲା। ରୋହିତ୍ ଚତୁର୍ଥ କ୍ରିକେଟର୍ ଭାବେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ପୂର୍ବରୁ ସଚିନ୍ ତେନ୍ଦୁଲକର (୧୯୯୮), ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ୍‌ କୋହଲିଙ୍କୁ ଏହି 'ଖେଳ ରତ୍ନ'ରେ ସମ୍ମାନ କରାଯାଇଥିଲା।

Advertisment

ଗତବର୍ଷ ଓଡ଼ିଶା ସରକାରଙ୍କ ପକ୍ଷରୁ ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଥିଲା। କିନ୍ତୁ କ୍ରୀଡ଼ା ମନ୍ତ୍ରାଳୟ ପାଖରେ ଆବେଦନ ବିଳମ୍ବରେ ପହଞ୍ଚିବାରୁ ଦୂତୀଙ୍କ ନାଁ ତାଲିକାରୁ ହଟାଯାଇଥିଲା। ଦୂତୀଙ୍କ ପାଇଁ ଗତ କିଛି ବର୍ଷ ବେଶ୍ ସଫଳ ରହିଆସିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୧୦୦ ମିଟରରେ ଭାଗ ନେଇଥିଲେ ହେଁ, ତାଙ୍କ ହାତକୁ ସଫଳତା ମିଳିନଥିଲା। ସେହିପରି ୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଦୂତୀ ୧୦୦ ମିଟର ଓ ୪ଗୁଣା ୧୦୦ ମିଟର୍ ରିଲେ ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଏହାବ୍ୟତୀତ ୨୦୧୮ରେ ଜାକର୍ତ୍ତା ଏସିଆନ୍ସ ଗେମ୍ସରେ ଦୂତୀ ଚମତ୍କାର ପ୍ରଦର୍ଶନ କରି ଉଭୟ ୧୦୦ ଓ ୨୦୦ ମିଟରେ ରୌପ୍ୟ ପଦକ ପ୍ରାପ୍ତ କରିଥିଲେ। ୨୦୧୯ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଦୂତୀ ୨୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ। ଗତବର୍ଷ ସେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ଏହି ସଫଳତା ପାଇଁ ଦୂତୀଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ସେହିପରି ଅର୍ଜୁନ ପୁରସ୍କାର ତାଲିକାରେ ଟିମ୍ ଇଣ୍ଡିଆ ପେସ୍ ବୋଲର ଈଶାନ୍ତ ଶର୍ମା ଏବଂ ମହିଳା କ୍ରିକେଟର୍ ଦୀପ୍ତି ଶର୍ମାଙ୍କ ନାଁ ଉପରେ ମୋହର ଲାଗିଛି।

Advertisment

'ଖେଳ ରତ୍ନ' ପୁରସ୍କାର:ରୋହିତ୍ ଶର୍ମା (କ୍ରିକେଟ୍), ଟି. ମରିୟାପ୍ପାନ୍ (ପାରା ଆଥଲେଟିକ୍ସ), ମନିକା ବାତ୍ରା (ଟେବୁଲ୍ ଟେନିସ୍), ଭିନେଶ ଫୋଗାଟ୍ (ରେସଲିଂ), ରାନୀ ରାମପଲ୍ (ହକି)।

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ):ଧର୍ମେନ୍ଦ୍ର ତିୱାରୀ (ଆର୍ଚେରୀ), ପୁରୁଷୋତ୍ତମ ରାଏ (ଆଥଲେଟିକ୍ସ), ଶିବ ସିଂହ (ବକ୍ସିଂ), ରମେଶ ପୋଥାନିଆ (ହକି), କ୍ରିଷନ୍ କୁମାର ହୁଡା (କବାଡି), ବିଜୟ ବାଳଚନ୍ଦ୍ର ମୁନିଶ୍ୱର (ପାରା ପାୱାରଲିଫ୍ଟିଂ), ନରେଶ କୁମାର (ଟେନିସ୍), ଓମ୍ ପ୍ରକାଶ ଦାହିୟା (ରେସଲିଂ)

ଦ୍ରୋଣାଚାର୍ଯ୍ୟ ପୁରସ୍କାର (ରେଗୁଲାର୍ କ୍ୟାଟେଗୋରୀ):ଜୁଡ୍ ଫେଲିକ୍ସ ସେବାଷ୍ଟିଆନ୍ (ହକି), ଯୋଗେଶ ମାଲଭିୟା (ମଲ୍ଲଖମ୍ବ), ଯଶପାଲ୍ ରାଣା (ଶୁଟିଂ), କୁଲଦୀପ କୁମାର ହାଣ୍ଡୁ (ଉଷୁ), ଗୌରବ ଖାନ୍ନା (ପାରା ବ୍ୟାଡମିଣ୍ଟନ୍)।

ଅର୍ଜୁନ ପୁରସ୍କାର:ଅତନୁ ଦାସ (ଆର୍ଚେରୀ), ଦୂତୀ ଚାନ୍ଦ (ଆଥଲେଟିକ୍ସ), ସାତ୍ତ୍ବିକସାଛରାଜ ରାଙ୍କିରେଡ୍ଡୀ (ବ୍ୟାଡମିଣ୍ଟନ), ଚିରାଗ ସେଟ୍ଟୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗବଂଶୀ (ବାସ୍କେଟବଲ୍), ମନିଷ କୌଶିକ୍ (ବକ୍ସିଂ), ଲଭଲିନ୍ ବୋର୍ଗୋହେନ୍ (ବକ୍ସିଂ), ଈଶାନ୍ତ ଶର୍ମା (କ୍ରିକେଟ୍‌), ଦୀପ୍ତି ଶର୍ମା (କ୍ରିକେଟ୍‌), ସାୱନ୍ତ ଅଜୟ ଅନନ୍ତ (ଇକ୍ୱେଷ୍ଟ୍ରିଆନ୍), ସନ୍ଦେଶ ଜିଙ୍ଗାନ୍ (ଫୁଟବଲ୍), ଅଦିତି ଅଶୋକ (ଗଲଫ୍), ଆକାଶଦୀପ ସିଂହ (ହକି), ଦୀପିକା (ହକି), ଦୀପକ (କବାଡି), ସାରିକା ସୁଧାକର କାଲେ (ଖୋ ଖୋ), ବବନ୍ ଭୋକାନାଲ୍‌ ଦତ୍ତୁ (ରୋଇିଂ), ମନୁ ଭାକର୍ (ଶୁଟିଂ), ସୌରଭ ଚୌଧୁରୀ (ଶୁଟିଂ), ମଧୁରିକା ସୁହାସ ପାଟକର (ଟେବୁଲ୍ ଟେନିସ୍), ଦିବିଜ୍ ଶରନ୍ (ଟେନିସ୍), ଶିବ କେଶବନ୍ (ୱିଣ୍ଟର୍ ସ୍ପୋଟ୍ସ), ଦିବ୍ୟା କାକରନ୍ (ରେସଲିଂ), ରାହୁଲ୍ ଆୱାରେ (ରେସଲିଂ), ସୁୟାଶ ନାରାୟଣ ଯାଦବ (ପାରା ସୁଇମିଂ), ସନ୍ଦୀପ (ପାରା ଆଥଲେଟିକ୍ସ), ମନିଷ ନାରୱାଲ୍ (ପାରା ଶୁଟିଂ)।

ଧ୍ୟାନଚାନ୍ଦ ଆୱାର୍ଡ: କୁଲଦୀପ ସିଂହ ଭୁଲ୍ଲାର (ଆଥଲେଟିକ୍ସ), ଜିନ୍ସି ଫିଲିପ୍ସ (ଆଥଲେଟିକ୍ସ), ପ୍ରଦୀପ ଶ୍ରୀକ୍ରିଷ୍ଣା ଗାନ୍ଧେ (ବ୍ୟାଡମିଣ୍ଟନ), ତୃପ୍ତି ମୁରଗୁଣ୍ଡେ (ବ୍ୟାଡମିଣ୍ଟନ), ଏନ୍, ଉଷା (ବକ୍ସିଂ), ଲାଖା ସିଂହ (ବକ୍ସିଂ), ସୁଖବିନ୍ଦର ସିଂହ ସାନ୍ଧୁ (ଫୁଟବଲ), ଅଜିତ୍ ସିଂହ (ହକି), ମନପ୍ରୀତ ସିଂହ (କବାଡି), ରଞ୍ଜିତ କୁମାର (ପାରା ଆଥଲେଟିକ୍ସ), ସତ୍ୟପ୍ରକାଶ ତିୱାରୀ (ପାରା ବ୍ୟାଡମିଣ୍ଟନ୍‌), ମନଜିତ୍ ସିଂହ (ରୋଇଂ), ସଚିନ୍ ନାଗ (ସୁଇମିଂ), ନନ୍ଦନ ବି. ପାଲ୍‌ (ଟେନିସ୍), ନେତ୍ରପାଲ ହୁଡା (ରେସଲିଂ)।

ତେଞ୍ଜିଂ ନର୍ଗେ ନ୍ୟାଶନାଲ୍ ଆଡଭେଞ୍ଚର୍ ଆୱାର୍ଡ:ଅନିତା ଦେବୀ (ଲ୍ୟାଣ୍ଡ୍ ଆଡଭେଞ୍ଚର୍), କର୍ଣ୍ଣେଲ୍ ସର୍ଫରାଜ ସିଂହ (ଲ୍ୟାଣ୍ଡ୍ ଆଡଭେଞ୍ଚର୍), ଟାକା ତାମୁତ୍ (ଲ୍ୟାଣ୍ଡ୍ ଆଡଭେଞ୍ଚର୍), କେଭଲ୍ ହିରେନ୍ କାକ୍କା (ଲ୍ୟାଣ୍ଡ୍ ଆଡଭେଞ୍ଚର୍), ସତେନ୍ଦ୍ର ସିଂହ (ୱାଟର୍ ଆଡଭେଞ୍ଚର୍), ଗଜାନନ୍ଦ ଯାଦବ (ଏୟାର୍ ଆଡଭେଞ୍ଚର୍), ମଗନ ବିସା (ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ)।

ମୌଲାନା ଅବୁଲ୍ କଲାମ ଆଜାଦ (ମକା) ଟ୍ରଫି:ପଞ୍ଜାବ ୟୁନିଭର୍ସିଟି

ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର:ଲକ୍ଷ୍ୟ ଇନଷ୍ଟିଚ୍ୟୁଟ୍, ଆର୍ମି ସ୍ପୋର୍ଟ୍ସ ଇନଷ୍ଟିଚ୍ୟୁଟ୍, ଓଏନଜିସି ଲିମିଟେଡ୍, ଏୟାର୍ ଫୋର୍ସ ସ୍ପୋର୍ଟ୍ସ କଣ୍ଟ୍ରୋଲ୍‌ ବୋର୍ଡ, ଇଣ୍ଟରନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ