CM-REVIEW Photograph: (OTV)
୨୦୧୫ ଭାରତ-ଦକ୍ଷିଣ ଆଫ୍ରିକା T-20 । ଗ୍ୟାଲେରିରୁ ବର୍ଷିଲା ବୋତଲ । ପ୍ରାୟ ଅଧ ଘଣ୍ଟା ଧରି ବନ୍ଦ ରହିଲା ଖେଳ। ସାରା ବିଶ୍ବରେ ବଦନାମ୍ ହେଲା ବାରବାଟୀ । ୨୦୨୫ ଭାରତ-ଇଂଲଣ୍ଡ ଦିନିକିଆ। ଅଧଘଣ୍ଟା ଧରି ଲିଭିଗଲା ଫ୍ଲଡଲାଇଟ୍। ପୁଣି କଳଙ୍କ ମୁଣ୍ଡାଇଲା ବାରବାଟୀ। ଦୁଇ ଦୁଇଟି ଘଟଣାରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୯ରେ ପୁଣିଥରେ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା T-20 ଟକ୍କର। ହେଲେ ଏଥର ଯେଭଳି କୌଣସି ବିଭ୍ରାଟ ନହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମ୍ୟାଚକୁ ତ୍ରୁଟିଶୂନ୍ୟ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି। ଏଣୁ ଭିଡ ନିୟନ୍ତ୍ରଣଠୁ ଆରମ୍ଭ କରି ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଉପଯୁକ୍ତ ଭାବେ ତଦାରଖ କରାଯାଉ। ମ୍ୟାଚ୍ ତୃଟିଶୂନ୍ୟ ହେଲେ ଓଡ଼ିଶାର ମର୍ଯ୍ୟାଦା ସୁରକ୍ଷିତ ହେବ। ଦିଲ୍ଲୀ ବିସ୍ଫୋରଣ ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷା ପ୍ରତି ଏକ ଫୁଲ୍-ପ୍ରୁଫ୍ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେପଟେ ଗତଥର ଫ୍ଲଡଲାଇଟ୍ ଲିଭିଯିବା ଘଟଣା ପରେ ଅଧିକ ସଜାଗ ହୋଇଛି ଓସିଏ। ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ନୂଆ ସପ୍ଟୱେୟାର୍ ଇନଷ୍ଟଲ କରାଯାଇଛି। ଗୋଟିଏ ଜେନ୍ ସେଟ୍ ଫେଲ୍ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଚାଲୁ ହେବ ଏବଂ ଲାଇଟିଙ୍ଗ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।
ଗତ ଫେବୃଆରୀ ୯ରେ କ୍ରୀଡ଼ା ଜଗତରେ ଓଡ଼ିଶାକୁ ଲଜ୍ଜିତ କରିଥିଲା ବାରବାଟୀ ମହାବିଭ୍ରାଟ। ଭାରତ-ଇଂଲଣ୍ଡ ଦିନିକିଆ ବେଳେ ପ୍ରାୟ ଅଧଘଣ୍ଟା ଧରି କଟିଯାଇଥିଲା ଫ୍ଲଡଲାଇଟ୍। ବନ୍ଦ ହୋଇଥିଲା ଖେଳ, ବିରକ୍ତି ପ୍ରକାଶ କରିଥିଲେ ଖେଳାଳି। ବିଶ୍ବରେ ବଦନାମ ହୋଇଥିିଲା ଓଡ଼ିଶା। ଓସିଏର ପିଲାଳିଆମୀ ସ୍ପଷ୍ଟୀକରଣକୁ ସବୁମହଲରେ କରାଯାଇଥିଲା ତୀବ୍ର ସମାଲୋଚନା । କ୍ରୀଡ଼ା ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ଏଯାଏଁ ରିପୋର୍ଟର ନାଁଗନ୍ଧ ନାହିଁ। ଖାଲି ଏଇ ଗୋଟିଏ ଘଟଣା ନୁହେଁ, ୨୦୧୫ର ବୋତଲ ମାଡ଼ ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନିନ୍ଦିତ ହୋଇଥିଲା ବାରବାଟୀ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଭାରତ ମାତ୍ର ୯୨ ରନରେ ଅଲଆଉଟ ହୋଇଯିବାରୁ ରାଗିଯାଇଥିଲେ ଫ୍ୟାନ୍ସ। ଉତକ୍ଷିପ୍ତ ହୋଇ ଷ୍ଟାଡିୟମ ଭିତରକୁ କରିଥିଲେ ପାଣି ବୋତଲ ମାଡ଼ । ପରେ ପ୍ରାୟ ୨ ବର୍ଷ ଧରି ବାରବାଟୀକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ମିଳିନଥିଲା।
ଟିକେଟ୍ ବିକ୍ରିଠୁ ଆରମ୍ଭ କରି ଅବ୍ୟବସ୍ଥିତ ମ୍ୟାଚ୍ ପରିଚାଳନା ପାଇଁ ବାରମ୍ବାର କାଠଗଡ଼ାକୁ ଆସିଛି ଓସିଏ। ୧୦ ବର୍ଷ ପରେ ବାରବାଟୀରେ ପୁଣିଥରେ ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଥର ଓସିଏ କିଭଳି ମ୍ୟାଚ୍ ପରିଚାଳନା କରୁଛି ତା ଉପରେ ପୂରା କ୍ରୀଡ଼ା ଜଗତର ନଜର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/13/cm-review-2025-11-13-06-52-23.jpg)