BJD Photograph: (OTV)
ବିଜେଡିରେ ପୁଣି ଭୋଜି ପଲିଟିକ୍ସ। ପୂର୍ବରୁ ଚନ୍ଦକା ଉପକଣ୍ଠ ଝୁମୁକାରେ ବହୁ ନେତା ମେଳି କରିଥିବା ବେଳେ ଆଜି ପୁରୁଣା ଭୁବନେଶ୍ବରରେ ବି ଏକାଠି ହୋଇଥିଲେ ଅନେକ ବରିଷ୍ଠ ବିଜେଡି ନେତା। ଖିଆପିଆ ଆଳରେ ବିଜେଡିରେ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ତୀବ୍ର ବିରୋଧ କରିଛନ୍ତି ଏହି ନେତାଗଣ । ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ସୁଜାତାଙ୍କୁ ଦଳକୁ ଆଣିବା ରାଜନୈତିକ ଭୁଲ ନିଷ୍ପତ୍ତି ହେବ ।
ଅନ୍ୟପକ୍ଷରେ ପାଣ୍ଡିଆନ ନେତା ନୁହଁ ବୋଲି ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ । ଏସବୁ ଭିତରେ ବ୍ୟଙ୍ଗ ଭିତରେ ସୋସିଆଲ୍ ମିଡିଆରେ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ । ...
ପୁଣି ଭୋଜି, ପୁଣି ମେଳି । ବିଜେଡି ପ୍ରତିଷ୍ଠା ଦିବସ ଯେତିକି ପାଖଉଛି, ସେତିକି ଜମିବାରେ ଲାଗିଛି ମେଳି । ଖିଆପିଆ ଭିତରେ ପାୱାର ସୋ । ପାଣ୍ଡିଆନଙ୍କୁ ଚେକ୍ ଓ ସୁଜାତାଙ୍କ ଏଣ୍ଟ୍ରିକୁ ତୀବ୍ର ବିରୋଧ। ଗତ ୧୯ ତାରିଖରେ ଭୁବନେଶ୍ବର ଉପକଣ୍ଠ ଝୁମୁକାରେ କିଛି ପୂର୍ବତନ ବିଧାୟକ ଭୋଜି ଭାତ ନାଁରେ ଏକାଠି ହୋଇଥିଲେ। ଆଉ ଆଜି ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡାଙ୍କ ଦ୍ବାରା ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏଥିରେ ବରିଷ୍ଠଙ୍କ ସମେତ ଝୁମୁକା ମେଳିର ନେତାମାନେ ବି ଉପସ୍ଥିତ ଥିଲେ।
ଚର୍ଚ୍ଚା ହେଉଛି ଯେ, ଡିସେମ୍ବର ୨୬ ପ୍ରତିଷ୍ଠା ଦିବସରେ କାଳେ ସୁଜାତା ପାଣ୍ଡିଆନ୍ ଏଣ୍ଟ୍ରି କରିଯିବେ ସେଥିପାଇଁ ଦଳର ବଡ ଗୋଷ୍ଠୀ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ବିଜେଡି କ୍ଷମତାରେ ଥିବାବେଳେ ପାଣ୍ଡିଆନ୍ ଙ୍କ ପ୍ରଶଂସାରେ ଶତମୁଖ ଥିବା ନେତା ଏବେ ପାଣ୍ଡିଆନ୍ ଆମ ନେତା ନୁହେଁ ବୋଲି ଖୋଲାଖୋଲି କହିଲେଣି। ଆଜିର ଭୋଜିରେ ସାମିଲ ସାଂସଦ ଦେବାଶିଷ ସାମନ୍ତରାୟ ବଡ ବୟାନ ଦେଇ କହିଛନ୍ତି, ସୁଜାତା ଯଦି ଦଳକୁ ଆସନ୍ତି ତେବେ ଏହା ରାଜନୈତିକ ଭୁଲ୍ ନିଷ୍ପତ୍ତି ହେବ। ପାଣ୍ଡିଆନଙ୍କ ଗ୍ରହଣୀୟତା ନଥିବାରୁ ଦଳର ବିପର୍ଯ୍ୟୟ ଘଟିଲା। ଏବେ ତାଙ୍କୁ ଦଳରେ କିପରି ସ୍ବାଗତ କରାଯିବ।
ଗତକାଲି ବିଜେଡି ନେତା ସମ୍ବିତ ରାଉତରାୟ ପାଣ୍ଡିଆନ୍ ଆମ ନେତା ନୁହଁ କହିଥିବା ବେଳେ ଆଜି ତାକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ତାସହ କହିଛନ୍ତି ଦଳ ସଂଗଠିତ ଅଛି କୌଣସି ବିଦ୍ରୋହ ନାହିଁ। ନବୀନ ବାବୁ ସବୁ ନିଷ୍ପତ୍ତି ନେଉଛନ୍ତି।...
ସୋସିଆଲ୍ ମିଡ଼ିଆରେ ପୁଣି ବାଣ ମାରିଲେ ଶ୍ରୀମୟୀ
ଗୋଟିଏ ପଟେ ବିଜେଡିରେ ବିଦ୍ରୋହ ଚାଲିଥିବା ବେଳେ ଅନ୍ୟପଟେ ଶ୍ରୀମୟୀ ମିଶ୍ର ସୋସିଆଲ୍ ମିଡିଆ ବ୍ୟଙ୍ଗ କବିତା ମାଧ୍ୟମରେ ମାରିଛନ୍ତି ତେରେଚ୍ଛା ବାଣ। ସୁଜାତାଙ୍କୁ ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ନବୀନ ଗ୍ରୀନ ସିଗନାଲ୍ ଦେଇନାହାଁନ୍ତି ବୋଲି ଶ୍ରୀମୟୀ ଲେଖିଛନ୍ତି। ନାଁ ନନେଇ ସେ ଲେଖିଛନ୍ତି, କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ବ। ଅର୍ଥାତ ଏବେ ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ମନା କରିଦେଇଛନ୍ତି ନବୀନ।
ନାଁ ନନେଇ ପାଣ୍ଡିଆନଙ୍କ ସମେତ ସୁଜାତା କାର୍ତ୍ତିକେୟନ, ବବି ଦାସ ଓ ଅନ୍ୟ ନେତାଙ୍କୁ ଶ୍ରୀମୟୀ ତାତ୍ସଲ୍ୟ କରିଛନ୍ତି। ସେ ଲେଖିଛନ୍ତି, କିଏ ଚାକିରି ଛାଡ଼ିଲା, କିଏ ମଞ୍ଚ ସଜେଇଲା, କିଏ ସନ୍ନ୍ୟାସ ନେଲା ଆଉ କିଏ ଅନୁଗତ ହେବାର ନାଟକ କଲା। ହେଲେ ସବୁଜ ମୁକୁଟ କାହାର ହେବ ତାକୁ ନେଇ ଚାଲିଛି ଛକାପଞ୍ଝା। କିଏ କାହା ଟିମରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା। ନିକଟରେ ଭୁବନେଶ୍ବର ଉପକଣ୍ଠରେ ନେତାଙ୍କ ବଣଭୋଜିକୁ ମଧ୍ୟ କଟାକ୍ଷ କରିଛନ୍ତି ଶ୍ରୀମୟୀ। ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା, ପାଣ୍ଡିଆନଙ୍କ ଦବ ଦବା ଓ ସୁଜାତାଙ୍କ ଏଣ୍ଟ୍ରିକୁ ଦଳରୁ ପ୍ରବଳ ବିରୋଧ କରାଯାଉଛି, ଯାହାକି ଦଳ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।…
ଏବେ ଦେଖିବାର କଥା ଛାଇ ଭଳି ନବୀନଙ୍କ ପାଖରେ ରହୁଥିବା ପାଣ୍ଡିଆନ ଦମ୍ପତିଙ୍କୁ ବିରୋଧ ପରେ ସୁପ୍ରିମୋ କାହାକୁ ଦଳର ମଙ୍ଗ ଧରାଉଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/22/bjd-2025-12-22-19-20-43.jpg)