NITIN NABIN Photograph: (OTV)
ନିତିନ ନବୀନ ଭାରତୀୟ ଜନତା ପାର୍ଟିର ନୂଆ କ୍ୟାପଟେନ୍ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ସମ୍ଭାଳିଲେ ଦଳର କମାଣ ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦେଶର ସର୍ବ ବୃହତ୍ ଦଳର ମଙ୍ଗ ଧରିବା ପୂର୍ବରୁ ନିତିନ ପ୍ରଥମେ ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଦେଇଥିଲେ ଶ୍ରଦ୍ଧା ସୁମନ। ଏହା ପରେ ବିଦାୟୀ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କଠୁ ଗ୍ରହଣ କରିଥିଲେ ଦାୟିତ୍ବ। ଆଉ ଫୁଲତୋଡ଼ା ଦେଇ ମିଠା ଖୁଆଇ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ସ୍ବାଗତ।
ରାଜନୀତି ଏକ ଲମ୍ବା ମାରାଥନ
ସଭାପତି ଭାବେ ନିତିନ ତାଙ୍କ ପ୍ରଥମ ଅଭିଭାଷଣରେ କହିଥିଲେ- ମୋ ଭଳି ଜଣେ ସାଧାରଣ କର୍ମକର୍ତ୍ତାଙ୍କୁ ଏତେ ବଡ଼ ଦାୟିତ୍ବ ମିଳିଥିବାରୁ କୃତଜ୍ଞ, ଆଜିର ମୁହୂର୍ତ୍ତ ଏକ ସଂକଳ୍ପର ମୁହୂର୍ତ୍ତ।
ବିଦାୟୀ ଅଧ୍ୟକ୍ଷ ନଡ୍ଡାଙ୍କ କାର୍ଯ୍ୟକାଳ ତାଙ୍କ ପାଇଁ ପ୍ରେରଣା ଆଣି ଦେବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନକୁ ବି ଭୂୟସୀ ପ୍ରଶଂସା କରିଥିଲେ ନିତିନ। କହିଥିଲେ- ରାଜନୀତି ହେଉଛି ଲମ୍ବା ମାରାଥନ,ଏଥିପାଇଁ ଷ୍ଟାମିନା ଦରକାର। ଆସନ୍ତା ୫ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ କର୍ମକର୍ତ୍ତା ବିପୁଳ ସଫଳତା ଆଣିବାର ଦମ୍ଭୋକ୍ତି ବି କରିଛନ୍ତି ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ।
ନିତିନଙ୍କ ଅଭିଷେକ ଉତ୍ସବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମୋଦି ବି ରଖିଥିଲେ ଦଳର ଭବିଷ୍ୟତ ପଲିଟିକ୍ସର ବ୍ଲୁ ପ୍ରିଣ୍ଟ। କହିଥିଲେ ମୁଁ ଆଜି ବି କାର୍ଯ୍ୟକର୍ତ୍ତା ଓ ନିତିନ ନବୀନ ମୋ ବସ୍। ନୂଆ ଅଧ୍ୟକ୍ଷଙ୍କ ଦାୟିତ୍ବ କେବଳ ବିଜେପିକୁ ସମ୍ଭାଳିବା ନୁହେଁ, NDAର ସାଥୀ ଦଳମାନଙ୍କୁ ନେଇ ଚାଲିବାର କାର୍ଯ୍ୟକ୍ରମ ଜାରି ରଖିବା। ଏହା ମଧ୍ୟ କହିଥିଲେ-ନେତୃତ୍ବ ବଦଳିବ, ମାତ୍ର ବିକାଶର ଆଭିମୁଖ୍ୟ ବଦଳିବନି।
ଜନତା ଜନାର୍ଦ୍ଦନଙ୍କ ସେବା ସବୁଠୁ ଉଚ୍ଚରେ। ଭାଷଣରେ ଦଳର ପୂର୍ବ ଅଧ୍ୟକ୍ଷଙ୍କ ସହ ବାଜପେୟୀ, ଆଡ଼ଭାନୀ,ଯୋଶୀ ଓ ଗଡ଼କରୀଙ୍କ କାର୍ଯ୍ୟାଧାରାକୁ ମୋଦି ପ୍ରଶଂସା କରିବା ସହ ନିତିନଙ୍କ ପାଖରେ ସଂଗଠନ ଚଳାଇବାର ଲମ୍ବା ଅଭିଜ୍ଞତା ରହିଛି ବୋଲି କହିଥିଲେ। ତା ସହ ହରିୟାଣା, ଆସାମ, ତ୍ରିପୁରା ଓ ଓଡ଼ିଶାରେ ପ୍ରଥମ କରି ସରକାର ଗଢ଼ିଛୁ ଏବଂ ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ବିଜେପି ଲୋକଙ୍କ ସ୍ବର ବନି ପାରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।...
ସଂଗଠନ ଚଳାଇବାର ଲମ୍ବା ଅଭିଜ୍ଞତା
ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ୪୫ ବର୍ଷ ବୟସ୍କ ନିତିନ ନବୀନ। ଆଜି ବିଧିବଦ୍ଧ ଭାବେ ତାଙ୍କ ନାଁ ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଥିଲା। ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ବିଜେପିକୁ ସଶକ୍ତ କରିବାର ଦାୟିତ୍ବ ସମ୍ଭାଳିବା ପରେ ନିତିନ ନବୀନଙ୍କୁ ଦଳର ତୁଙ୍ଗ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଛୁଟିଥିଲା ଶୁଭେଚ୍ଛାର ସୁଅ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଦେଶ ସାରା ବିଜେପିର କାର୍ଯ୍ୟକର୍ତ୍ତାମାନେ ଦଳର ନୂଆ ଅଧ୍ୟକ୍ଷଙ୍କୁ ଏମିତି ବାଣ ଫୁଟାଇ ଓ ଉତ୍ସବ ମନାଇ ସ୍ବାଗତ କରିଥିଲେ। ନିତିନ ନବୀନ ପାଟନାର ବାଙ୍କିପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/nitin-nabin-2026-01-20-19-41-41.jpg)