JAY-DHOLKIA Photograph: (OTV)
ସେପ୍ଟେମ୍ବର ୧୮, ୨୦୨୫। ବଜେଟ ଅଧିବେସନ ବେଳେ ହାତରେ ଗଙ୍ଗା କାର୍ଡ ଧରି ବିଧାନସଭା ଆସିଥିଲେ ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ। ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧି ଦଳର ନେତା ଓ ମନ୍ତ୍ରୀ ବିଧାୟକଙ୍କୁ ବାପାଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଗୃହର ଜଣେ ସକ୍ରିୟ ସଦସ୍ୟ ଥିବା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗ ହୋଇଥିବାରୁ ପୁଅକୁ ମିଳିଥିଲା ପୁଳାପୁଳା ସମବେଦନା। ସେତେବେଳେ ତାଙ୍କ ସାଥିରେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ବି ଆସିଥିଲେ। ବିଧାନସଭାକୁ ଆସିବା ପରେ ବାପାଙ୍କ ସିଟ ଦେଖି ବେଶ ଭାବବିହ୍ବଳ ହୋଇଥିଲେ ଜୟ। ଗୃହ ବାହାରେ ହୁଏତ ସେ କଳ୍ପନା କରିନଥିବେ ଯେ ବିଧାନସଭାର ଏହି ପବିତ୍ର ଗୃହକୁ ସେ ନିଜେ ବିଧାୟକ ହୋଇ ଫେରିବେ। ଆଉ ଏହାର ଠିକ ଦୁଇ ମାସ ପରେ ବିଧାନସଭାକୁ ଆସିଛନ୍ତି ଜୟ। ତେବେ ଏଥର ବିଧାୟକ ହୋଇ ପ୍ରବେଶ କରିଛନ୍ତି।
ସବୁ ଆକଳନ ପୂର୍ବାନୁମାନକୁ ପଛରେ ପକାଇ ଆଜି ବିଧାୟକ ଭାବରେ ଶପଥ ନେଇଛନ୍ତି ଜୟ। ନୂଆପଡା ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବାଚସ୍ପତି ସୁରମା ପାଢୀ ତାଙ୍କୁ ବିଧାୟକ ଭାବରେ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ମୁହୂର୍ତ୍ତରେ ମା କଳ୍ପନା ଢୋଲକିଆ, ପତ୍ନୀ ସୁମନଙ୍କ ସହ ଝିଅ ବି ଉପସ୍ଥିତ ଥିଲେ। କେବଳ ଜୟ କାହିଁକି ଯେକୌଣସି ପୁଅ ପାଇଁ ଏହା କମ ଗୌରବର କଥା ନୁହେଁ। ଯେଉଁ ଗୃହରେ ଲମ୍ବା ସମୟ ଧରି ବାପା ନିଜ ଅଞ୍ଚଳର ବିକାଶ ପାଇଁ ଦାବି କରୁଥିଲେ ସେହି ସ୍ଥାନରୁ ପୁଅ ଏବେ ଅଞ୍ଚଳ କଥା କହିବ।
ବୋଧହୁଏ ଏଭଳି ସୌଭାଗ୍ୟ ଖୁବ କମ ପୁଅଙ୍କ ପାଇଁ ରହିଥାଏ। ଆସନ୍ତା ୨୭ରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେସନରେ ଜୟ ପ୍ରଥମ ଥର ପାଇଁ ଗୃହକୁ ପ୍ରବେଶ କରିବେ। ଆଉ ଗୃହ କାର୍ଯ୍ୟରେ ନିଜକୁ ସାମିଲ କରିବା ସହିତ ନୂଆପଡାର ବିକାଶ ପାଇଁ ଅଣ୍ଟା ଭିଡିବେ। ତେବେ ସେଦିନର ଜୟ ଓ ଆଜିର ଜୟ କିଛି ନୂଆ ଓ ଭିନ୍ନ ଲାଗୁଥିଲେ। ଆପଣ ଏହାକୁ ଭାଗ୍ୟ କହିପାରନ୍ତି କିମ୍ବା ରାଜଯୋଗ ବି ହୋଇପାରେ। ଏବେ ଦେଖିବାର କଥା ନୂଆପଡାବାସୀଙ୍କ ସ୍ବପ୍ନ ଆଉ ଦେଇଥିବା ପ୍ରତିଶ୍ରୁତି କେମିତି ପୂରଣ କରୁଛନ୍ତି ଜୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/20/jay-dholkia-2025-11-20-22-11-37.jpg)