Bihar-Politics Photograph: (OTV)
ରାଜନୀତିର ଗେମ୍ ଚେଞ୍ଜର ନୀତିଶ ! ନିର୍ବାଚନ ନଲଢ଼ି ପୁଣି ମୁଖ୍ୟମନ୍ତ୍ରୀ । ନୁହଁନ୍ତି ବିଧାୟକ, ପିନ୍ଧିଲେ ମୁଖିଆ ମୁକୁଟ । ବିହାରରେ ନୂଆ ସରକାର ଗଢ଼ିଛି ଏନଡିଏ । ଆଉ ୧୦ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ବିହାରର ଇତିହାସରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ନୀତିଶ । କିନ୍ତୁ ବିଧାନସଭା ନିର୍ବାଚନ ନଲଢ଼ି ନୀତିଶ ମୁଖ୍ୟମନ୍ତ୍ରୀ ହେବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ବିହାରରେ ଏହା କେମିତି ହୋଇଛି ଆସନ୍ତୁ ଜାଣିବା…
ଅନେକ ଲୋକଙ୍କର ଭୁଲ ଧାରଣା ରହିଛି, ମୁଖ୍ୟମନ୍ତ୍ରୀ ହେବାକୁ ନିର୍ବାଚିତ ହେବା ନିହାତି ଆବଶ୍ୟକ । ହେଲେ ନାଇଁ, ଭାରତର ସମ୍ବିଧାନ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି, ମୁଖ୍ୟମନ୍ତ୍ରୀ ହେବାକୁ କେବଳ ବିଧାନମଣ୍ଡଳର ସଦସ୍ୟ ହେବା ଜରୁରୀ । ଅର୍ଥାତ୍ ନେତା ଜଣକ ନିର୍ବାଚିତ ହୋଇ ବିଧାୟକ ହୋଇଥିବେ କିମ୍ବା ବିଧାନ ପରିଷଦର ସଦସ୍ୟ ରହିଥିବେ । ବିହାରରେ ବିଧାନସଭା ସହ ବିଧାନ ପରିଷଦ ରହିଛି । ଅର୍ଥାତ୍ ଦୁଇଟି ଗୃହ ଅଛି । ତେଣୁ ଜଣେ ବ୍ୟକ୍ତି ବିଧାନପରିଷଦର ସଦସ୍ୟ ବା MLC ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ ।
ଭାରତୀୟ ସମ୍ବିଧାନ ଆହୁରି କହିଛି ଯେ, ଯଦି ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ସମୟରେ ବିଧାନସଭା କିମ୍ବା ବିଧାନସଭା ପରିଷଦର ସଦସ୍ୟ ନୁହଁନ୍ତି, ତେବେ ସେ ମାତ୍ର ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇପାରିବେ । ଏବଂ ତାଙ୍କୁ ଆଗକୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଏହି ୬ ମାସ ମଧ୍ୟରେ ନିର୍ବାଚନ ଜିତିବାକୁ ପଡ଼ିବ । ଏହି ନିୟମର ଉଦ୍ଦେଶ୍ୟ ହେଉଛି କୌଣସି କାରଣରୁ ସରକାର ଗଠନରେ ବିଳମ୍ବ ଏବଂ ପ୍ରଶାସନିକ କାର୍ଯ୍ୟରେ ବାଧାକୁ ରୋକିବା । ତେଣୁ ବର୍ତ୍ତମାନ ନୀତୀଶ କୁମାର ବିଧାନ ପରିଷଦର ସଦସ୍ୟ ରହିଛନ୍ତି । ତେଣୁ ସମ୍ବିଧାନର ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ।
ଖାଲି ବିହାର ନୁହେଁ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଏହି ବ୍ୟବସ୍ଥା ରହିଛି । ସେଠାରେ ବିଧାନସଭା ଓ ବିଧାନ ପରିଷଦ ଭଳି ଦୁଇ-ସଦନ ବିଶିଷ୍ଟ ଗୃହ ଥିବାରୁ ଜଣେ ନେତା ନିର୍ବାଚନ ନଲଢ଼ି ବିଧାନ ପରିଷଦର ସଦସ୍ୟ ହୋଇ ମୁଖ୍ୟମନ୍ତ୍ରୀ ହୋଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/21/bihar-politics-2025-11-21-17-40-35.jpg)