2025-POLITICAL-PARTY Photograph: (OTV)
ତିନି ରାଜନୈତିକ ଦଳ ପାଇଁ ଘଟଣା ବହୁଳ ଥିଲା ୨୦୨୫। ଶାସକ ବିଜେପି ପ୍ରଥମ ବର୍ଷରେ ନିଜର ଅନେକ ପ୍ରତିଶ୍ରୁତିକୁ ପୂରଣ କରିବାରେ ସଫଳ ହୋଇଥିଲା । ତେବେ ଦଳ ପାଇଁ ସବୁଠାରୁ ବଡ ସଫଳତା ଥିଲା ବାଇ ଇଲେକସନରେ ନୂଆପଡା ସିଟକୁ ବିରୋଧୀ ବିଜେଡିଠାରୁ ଛଡାଇ ଆଣିବା । ସେହିପରି ଶାସକ ବିଜେପି ଓ ବିରୋଧୀ କଂଗ୍ରେସକୁ ମିଳିଥିଲା ନୂଆ ମୁଖିଆ ।
୨୪ ବିଜୟରେ ଅନ୍ୟତମ କର୍ଣ୍ଣଧାର ମନମୋହନ ସାମଲଙ୍କୁ ରିପିଟ୍ କରିଥିଲା ବିଜେପି । ଆଉ ଭେଟେରାନ୍ ଭକ୍ତଙ୍କ ଉପରେ ଭରସା କରିଥିଲା କଂଗ୍ରେସ । ତେବେ ବିଜେଡି ପାଇଁ ଏ ବର୍ଷ ଥିଲା ବିଦ୍ରୋହର ବର୍ଷ । ନେତୃତ୍ବକୁ ଚାଲେଞ୍ଜ କରି ବର୍ଷ ସାରା ଚାଲି ଆସିଥିଲା ବୟାନବାଜି । ....
୨୧ରୁ ୧୧ ପ୍ରତିଶ୍ରୁତି ପୂରଣରେ ସଫଳ ବିଜେପି
ଓଡିଶା ରାଜନୀତିରେ ଘଟଣା ବହୁଳ ଥିଲା ବର୍ଷ ୨୦୨୫ । ୨୦୨୪ ନିର୍ବାଚନରେ ଏକାକୀ କ୍ଷତାକୁ ଆସିବା ପରେ ୨୦୨୫ରେ ବିଜେପି ପାଇଁ ଥିଲା ଅନେକ ଚାଲେଞ୍ଜ । କିନ୍ତୁ ଏହାରି ଭିତରେ ପୁଣି ଥରେ ଶାସକ ଦଳ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଇଥିଲେ ମନମୋହନ ସାମଲ । ସେହିପରି ପ୍ରଥମ ଏସିଡ ଟେଷ୍ଟ ନୂଆପଡା ଉପନିର୍ବାଚନରେ ରେକର୍ଡ ବିଜୟ ମନମୋହନ-ମୋହନ ଯୋଡିକୁ ଦେଇଥିଲା ବୁଷ୍ଟର ଡୋଜ । ତେବେ ବିଦାୟୀ ବର୍ଷରେ ଡବଲ ଇଂଜିନ ସରକାରରେ ପୁଳା ପୁଳା ଜାତୀୟ ଇଭେଣ୍ଟ କରିବାରେ ସଫଳ ହେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡିଶା ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ବିଜେପି ସରକାର ।
ନିର୍ବାଚନ ପ୍ରତିଶ୍ରୁତି ପୂରଣ ସରକାରଙ୍କ ପାଇଁ ଥିଲା ବଡ଼ ଚାଲେଞ୍ଜ । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସହ ଲୋକଙ୍କ ପାଖରେ ହିସାବ ରଖିଥିଲେ ମୋହନ ସରକାର । ୨୧ରୁ ୧୧ଟି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ବଡ଼ କଥା ହେଲା ୫ ଲକ୍ଷ ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ସେହିପରି ଦେଢ଼ ବର୍ଷ ଧରି ବିଳମ୍ବ ହୋଇଥିବା ସରକାରୀ ଓକିଲ ଏବଂ ବୋର୍ଡ ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବିଦ୍ରୋହୀ ମେଳିରେ ଘାଇଲା ବିଜେଡି
ଅନ୍ୟପଟେ ବର୍ଷ ୨୦୨୫ ବିଜେଡି ପାଇଁ ଥିଲା ଅଗ୍ନି ପରୀକ୍ଷାର ବେଳ । ବର୍ଷ ତମାମ ବିଜେଡିର ପିଛା ଛାଡ଼ି ନଥିଲା ବିବାଦ । ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମେଳି ପଲିଟିକ୍ସରେ ଛନ୍ଦି ହୋଇ ରହିଥିଲା ଦଳ । ୨୦୨୫ରେ ପାଣ୍ଡିଆନ ଦମ୍ପତ୍ତିଙ୍କ ବିରୋଧରେ ତେଜିଥିଲା ଅସନ୍ତୋଷ । ଯୁବ ଏବଂ ବରିଷ୍ଠ ନେତାମାନେ ମେଳି ବାନ୍ଧି ଦଳର ପରିଚାଳନା ପଦ୍ଧତି ଉପରେ ଉଠାଇ ଥିଲେ ପ୍ରଶ୍ନ । ଏସବୁ ଭିତରେ ଏପ୍ରିଲ ୧୯ ତାରିଖରେ ନବମ ଥର ପାଇଁ ବିଜେଡି ସଭାପତି ପଦରେ ବସିଲେ ନବୀନ ପଟ୍ଟନାୟକ । ତା ସତ୍ତ୍ୱେ ବି କମି ନଥିଲା ଅସନ୍ତୋଷ ।
ପ୍ରଥମ ଥର ପାଇଁ ନବୀନ ନିବାସରେ ଶୁଭିଥିଲା ପାଣ୍ଡିଆନ ଗୋ ବ୍ୟାକ୍ ନାରା । ଜୁନ୍ ୨୦ରେ ମୁମ୍ବାଇର କୋକିଳା ବେନ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲକୁ ସର୍ଭାଇକାଲ୍ ଆର୍ଥରାଇଟିସ୍ (cervical arthritis) ଚିକିତ୍ସା ପାଇଁ ଯାଇ ୨୨ ଦିନ ପରେ ଓଡିଶା ଫେରିଥିଲେ ବିରୋଧୀ ଦଳ ନେତା ନବୀନ ।
ଅଗଷ୍ଟ ୧୬ରେ ପୁଣି ଥରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଆଉ ସେଠୁ ବାହାରିବା ବେଳେ ପାଣ୍ଡିଆନଙ୍କ ହାତ ଧରି ବାହାରିବା ଭିଡିଓ ବିଜେଡି ରାଜନୀତିକୁ ହଲଚଲ କରିଥିଲା । ହସ୍ପିଟାଲରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଇ ଆମ୍ ଡାଉନ୍, ନଟ୍ ଆଉଟ୍ କହି ପାଣ୍ଡିଆନଙ୍କ ଧମକ ଚର୍ଚ୍ଚା ଜୋର ଧରିଥିଲା । ବର୍ଷ ଶେଷରେ ପ୍ରତିଷ୍ଠା ଦିବସ ଅବସରରେ ହେଭିୱେଟ ବଦ୍ରି ପାତ୍ର, ପ୍ରଭାତ ବିଶ୍ୱାଳ, ମୁନା ଖାଁଙ୍କ ଭଳି ନେତାଙ୍କ ବୟାନ ବି ବିଜେଡି ରାଜନୀତିକୁ ହଲଚଲ କରିଥିଲା ।
୨୦୨୫ ବର୍ଷ ଆରମ୍ଭରୁ କଂଗ୍ରେସ ପାଇଥିଲା ନୂଆ ସଭାପତି। ଫେବୃୟାରୀ ୧୧ରେ ଭକ୍ତଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ ଭାବେ ଦାୟିତ୍ୱ ଦେଇଥିଲେ ହାଇକମାଣ୍ଡ । ଭକ୍ତ ଦାୟିତ୍ୱ ନେବା ପରେ ବିଧାନସଭାରେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା କଂଗ୍ରେସ ବିଧାୟକଙ୍କୁ । ଆଉ ବିଧାୟକଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସମସ୍ତ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରିଥିଲେ ବାଚସ୍ପତି ।
ଚଳିତ ବର୍ଷ ରାଜ୍ୟ କଂଗ୍ରେସକୁ ସବୁଠୁ ଅଧିକ ଉତ୍ସାହିତ କରିଥିଲା ରାହୁଲ ଗାନ୍ଧୀଙ୍କ ଭୁବନେଶ୍ୱର ଗସ୍ତ । ବରମୁଣ୍ଡା ପଡିଆରେ ହୋଇଥିବା ବଡ଼ ସମାବେଶରେ ଯୋଗ ଦେଇଥିଲେ ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ । କିନ୍ତୁ ନୂଆପଡା ପରାଜୟ ପରେ କଂଗ୍ରେସରେ ବାହାରିଥିଲା ପୁରୁଣା ରୋଗ । ଭକ୍ତଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଏଭଳି ଚିଠି ଲେଖିଲେ ଯେ କଂଗ୍ରେସରେ ବଡ଼ କଂପନ ଦେଖା ଦେଲା । ପରେ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/2025-political-party-2025-12-31-20-03-23.jpg)