Mohan Majhi Photograph: (OTV)
ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଖୁବଶୀଘ୍ର କରାଯିବ ବୋଲି ଗତ କିଛି ମାସ ଧରି ଆଲୋଚନା ହେଉଥିଲା ।
ଆଲୋଚନା ବେଳେ ଉପସ୍ଥିତ ଥିଲେ ରାଜ୍ୟ ପ୍ରଭାରୀ
ଦଶହରା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଉ ବେଶି ଡେରି ନୁହେଁ । ଖୁବ୍ ଶୀଘ୍ର ହେବ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ ।
ତେବେ ମୁଖ୍ୟମନ୍ତ୍ରୀ କରିଥିବା ଟ୍ୱିଟରେ ସେ ଅନେକ ସଙ୍କେତ ଦେଇଛନ୍ତି । ସରକାର ଓ ଦଳ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସରକାରରେ ବଡ଼ ପରିବର୍ତ୍ତନ ନେଇ ମଧ୍ୟ କଥାବାର୍ତ୍ତା ହୋଇଥିବା ଖବର ଆସୁଛି। ସରକାରକୁ ଆହୁରି ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଆବଶ୍ୟକତା ରହିଥିବା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି । ଏବେ ବି ମନ୍ତ୍ରୀମଣ୍ଡଳରେ ଅନେକ ମନ୍ତ୍ରୀପଦ ଖାଲି ପଡିଛି । ତେଣୁ ଖୁବ୍ ଶୀଘ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ ବୋଲି ଅନୁମାନ କରାଯାଉଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି । କେଉଁ ବିଭାଗର ମନ୍ତ୍ରୀ କିଭଳି କାମ କରୁଛନ୍ତି, ସେ ନେଇ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ତେଣୁ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥାଇପାରେ । କେଉଁ ମନ୍ତ୍ରୀମାନେ ଭଲ କାମ କରୁଛନ୍ତି ଓ କେଉଁ ମାନେ ଠିକରେ କାମ କରିନପାରୁ ନାହାନ୍ତି, ତାହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି । ବେଳେ ବେଳେ କିଛି ମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ବୟାନ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।
ତେଣୁ ନୂଆଦିଲ୍ଲୀରେ ଚାଲିଛି ଓଡ଼ିଶା ଶାସନର ନୂଆ ପ୍ଲାନ୍। ଆଗରୁ ଥରେ ମଧ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ କିଛି ଦିନ ସ୍ଥିତି ଗରମ ରହିବା ପରେ ପୁଣି ଥଣ୍ଡା ପଡ଼ି ଯାଇଥିଲା। କିନ୍ତୁ ରାଜନୈତିକ ପଣ୍ଡିତମାନଙ୍କ ଭିତରେ ଆକଳନ ଜାରି ରହିଥିଲା। ଆଉ ଏପରି ଆକଳନ ଭିତରେ ଦିଲ୍ଲୀରୁ ପୁଣି ଆସିଛି ବଡ଼ ଖବର।
କେଉଁ ଆଧାରରେ ହେବ ସଂପ୍ରସାରଣ
ଏହି ଖବର ଆସିବା ପରେ ସ୍ୱାଭାବିକ ଭାବରେ ଓଡ଼ିଶା ବିଜେପିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ କିଏ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ଆଉ କିଏ ଖସିବେ, ନୂଆ ମୁହଁ ନା ପୁରୁଣା ମୁହଁ କାହାକୁ ଦିଆଯିବ ପ୍ରାଧାନ୍ୟ, ଏ ଆଲୋଚନା ବି ହୋଇଥିବାର କୁହାଯାଉଛି । କାହାର ପରଫର୍ମାନ୍ସ ଭଲ ଓ କାହାର ଖରାପ, କାହା ରିପୋର୍ଟ କାର୍ଡ ଦମଦାର କାହାର ଉତ୍ସାହଜନକ ନୁହେଁ, ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । କେବଳ ସେତିକି ନୁହେଁ, କେଉଁମାନଙ୍କୁ ସଂଗଠନ କାମରେ ଅଧିକ ଲଗାଯିବ ଓ କିଏ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ, ସେ ନେଇ ମୋଟାମୋଟି ଭାବେ ଆଲୋଚନା ହୋଇଥିବା ଜଣାପଡିଛି । ନୂଆପଡା ଉପନିର୍ବାଚନ ସଂପର୍କରେ ମଧ୍ୟ ପଚାରି ବୁଝିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/04/mohan-majhi-2025-10-04-14-32-58.jpg)