SUJATA Photograph: (OTV)
ବିଜୁ ଜନତା ଦଳର ଉତ୍ତରାଧିକାରୀ ଘୋଷଣାକୁ ନେଇ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ବଡ଼ ବୟାନ। ଏ ନେଇ ଯଦି ସେଭଳି କିଛି ବିଧିବଦ୍ଧ ନିଷ୍ପତ୍ତି ହୁଏ ବା ଦଳର ସଭାପତି ନିର୍ଦ୍ଦେଶ ଦିଅନ୍ତି ତେବେ ସମସ୍ତେ ଜାଣି ପାରିବେ। ଦେବୀ ମିଶ୍ରଙ୍କ ଏଭଳି ମନ୍ତବ୍ୟ ପରେ ବିଜେଡିର ଉତ୍ତରାଧିକାରୀ ଘୋଷଣା ଚର୍ଚ୍ଚାକୁ ଆହୁରି ବଳ ମିଳିଛି।...
ଦଳର ପ୍ରତିଷ୍ଠା ଦିବସରେ ପ୍ରବେଶ କରିବେ କି ସୁଜାତା କାର୍ତ୍ତିକେୟନ ? ନେବେ କି ବିଜେଡିର ନେତୃତ୍ବ ?
ଡିସେମ୍ବର ୨୬ ବିଜେଡି ପ୍ରତିଷ୍ଠା ଦିବସରେ ସୁପ୍ରିମୋ ନବୀନ ପଟ୍ଟନାୟକ କରିପାରନ୍ତି ଉତ୍ତରାଧିକାରୀ ଘୋଷଣା। ସୁଜାତାଙ୍କୁ ଦେଇପାରନ୍ତି ଦଳର ଦାୟିତ୍ବ। ନେତା ଓ କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠଙ୍କ ଯାଏ ସମସ୍ତଙ୍କ ଭିତରେ ଉତ୍ତରାଧିକାରୀ ଚୟନକୁ ନେଇ ଅନେକ ପ୍ରଶ୍ନ। ଯେହେତୁ ପାଣ୍ଡିଆନ୍ ଦମ୍ପତି ଛାଇ ଭଳି ନବୀନଙ୍କ ପାଖରେ ଅଛନ୍ତି ସେଥିପାଇଁ ଚର୍ଚ୍ଚା ଅଧିକ ହେଉଛି। ୨୦୨୪ ନିର୍ବାଚନରେ ଦଳ ବିପର୍ଯ୍ୟୟର କାରଣ ପାଣ୍ଡିଆନ୍ ଙ୍କୁ ଦର୍ଶାଇ ନେତା ବିଦ୍ରୋହ କରିଥିଲେ। ଯେଉଁଥିପାଇଁ ସୁଜାତାଙ୍କ ଏଣ୍ଟ୍ରି ନେଇ ଅଡୁଆ ବଢିଥିଲା। ମାତ୍ର ଏବେ ନୂଆପଡା ଉପନିର୍ବାଚନରେ ପାଣ୍ଡିଆନ୍ ସାମ୍ନାକୁ ନଆସିବା ଓ ନବୀନ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବା ପରେ ବି ଦଳ ୩ ନମ୍ବରରେ ରହିଲା। ଯେଉଁଥିପାଇଁ ଏବେ ବିଦ୍ରୋହୀ ନେତା ବି ମୁହଁ ଖୋଲି ପାରୁନାହାଁନ୍ତି। ଆଉ ଏହି ସନ୍ଧିକାଳରେ ସୁଜାତା ଦଳ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳର କିଛି ବରିଷ୍ଠ ଗୋଷ୍ଠୀ ସୁଜାତାଙ୍କ ଗୃହ ପ୍ରବେଶକୁ ଭିତିରି ସମର୍ଥନ ଦେବା ବି ଆରମ୍ଭ କଲେଣି। ଆଉ କିଛି କହୁଛନ୍ତି ଉତ୍ତରାଧିକାରୀ କିଏ ହେବ ସେ ନିଷ୍ପତ୍ତି ନବୀନ ବାବୁ ଘୋଷଣା କରିବେ। ତେବେ ସୁଜାତା ବିଜେଡିର ଉତ୍ତରାଧିକାରୀ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ଦେବୀ ମିଶ୍ର ନା ହଁ କହିଥିଲେ ନା ନାହିଁ କହିଥିଲେ ।
ନବୀନ କିନ୍ତୁ ପୂର୍ବରୁ କହିସାରିଛନ୍ତି ମୋ ଉତ୍ତରାଧିକାରୀ ଓଡିଶାବାସୀ ବାଛିବେ। ମାତ୍ର ଏବେ ଦଳର ବିପର୍ଯ୍ୟୟ ଘଟିଥିବାରୁ ଆଉ ସେ ସ୍ଥିତି ନାହିଁ। ଦିନ ଥିଲା ତୁଣ୍ଡ ଖୋଲିଲେ ମୁଣ୍ଡ ଗଡିବା ଭୟରେ ନେତାଏ ଚୁପ୍ ରହି ନବୀନ ଓ ପାଣ୍ଡିଆନ୍ ଙ୍କ ନିଷ୍ପତ୍ତି କୁ ମାନିନେଉଥିଲେ। ମାତ୍ର ଏବେ ପ୍ରତିଦିନ ବରିଷ୍ଠ ମୁହଁ ଖୋଲି ଦଳ ବିରୋଧରେ ଓ ନେତୃତ୍ବକୁ ନେଇ ଚାଲେଞ୍ଜ ଦେଉଛନ୍ତି। ଏଭଳିସ୍ଥଳେ ନବୀନଙ୍କ ନିଷ୍ପତ୍ତି ଯଦି ପାଣ୍ଡିଆନ ଦମ୍ପତ୍ତି ସପକ୍ଷରେ ଯାଏ ତେବେ ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଦ୍ରୋହ ଡାକରା ଦେଇପାରନ୍ତି। ଯାହାକି ଦଳକୁ ଦୋହଲାଇଦେବା ସହ ବିଭାଜିତ କରିଦେଇପାରେ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ।...
ଏହାରି ଭିତରେ ସୁଜାତାଙ୍କ ରାଜ୍ୟସଭା ଯିବା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଖାଲି ହେବାକୁ ଯାଉଛି ୩ ରାଜ୍ୟସଭା ଆସନ । ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଆସନ ବିଜେଡି ଭାଗରେ ପଡିବା ସମ୍ଭାବନା ଥିବାରୁ ସୁଜାତା ଏଥିରେ ଯିବେ ବୋଲି କୁହାଯାଉଛି । ତେବେ ଏସବୁ ଚର୍ଚ୍ଚାର ଅବସାନ ସେତିକି ବେଳେ ଘଟିବ ଯେତିକି ବେଳେ ନବୀନ ମୁହଁ ଖୋଲି ସ୍ପଷ୍ଟୀକରଣ ରଖିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/23/sujata-2025-11-23-21-10-57.jpg)