BBSR Youtuber Murder Photograph: (OTV)
ଖୁବ୍ ଖୁସିରେ ଦିନ କଟୁଥିଲା । ଦୁହେଁ ପ୍ରେମ ପକ୍ଷୀ ହୋଇ ପ୍ରେମର ଆକାଶରେ ଉଡ଼ି ବୁଲୁଥିଲେ । ଜଣେ ଅନ୍ୟ ଜଣକୁ କହୁଥିଲେ ମୁଁ ତୋରି ପାଇଁ । ଏ ହସଭିଜା ଖୁସି ଉପରେ ଯେମିତି କାହାର ନଜର ଲାଗିଗଲା । ବାହାଘରର ମାତ୍ର ୩ ମାସରେ ନବବଧୂର ମଥାରୁ ସିନ୍ଦୂର ଲିଭିଗଲା ।
ୟୁଟୁବର ରାହୁଲ ମହାରଣାଙ୍କ ହତ୍ୟା ପରେ ତାଙ୍କର ଏହି କିଛି ଖୁସିର ମୁହୂର୍ତ୍ତ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ରାହୁଲଙ୍କୁ ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ସବୁ ତଥ୍ୟ ପଦାକୁ ଆସିନି ।
ସେପଟେ ମୃତ ରାହୁଲଙ୍କ ପରିବାର ଓ ସଂପର୍କୀୟଙ୍କ କହିବା କଥା, ଏହି ହତ୍ୟା ଯୋଜନାବଦ୍ଧ ଭାବେ ହୋଇଛି । ରାହୁଲଙ୍କୁ ପ୍ରି-ପ୍ଲାନ୍ କରି ମର୍ଡର କରାଯାଇଛି । ଆଉ ରାହୁଲଙ୍କ ପତ୍ନୀ ସ୍ବାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ।
ଶନିବାର ରାତିରେ ମଞ୍ଚେଶ୍ବର ଥାନା ରସୁଲଗଡ଼ ଜିଜିପି କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମଦ୍ୟପାନ କରି କିଛି ଯୁବକ ରାହୁଲଙ୍କ ସହ ଯୁକ୍ତିତର୍କ କରି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ପୋଲିସ କହିଛି । ହେଲେ ପୋଲିସର ଏହି କଥାକୁ ସହଜରେ ଗ୍ରହଣ କରିପାରିନି ପରିବାର ।
ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରୁଥିଲେ ମୃତ ରାହୁଲ । ହେଲେ ଶନିବାର ରାତିରେ ଘରକୁ ଫେରିବା ପୂର୍ବରୁ ଘରକୁ ଫୋନ୍ କରିଥିଲେ । ଫୋନ୍ କରିବାର ମାତ୍ର କିଛି ମିନିଟ ପରେ ଏହି ଘଟଣା ଘଟିଥିବା ପରିବାର କହିଛି ।
ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଆଗକୁ ସଂପୂର୍ଣ୍ଣ ସତ ଆସିବ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିବ ବୋଲି ଆଶବାଦୀ ରହିଛି ପରିବାର ।
ତେବେ ଶନିବାର ରାତିରେ ପ୍ରକୃତରେ କ’ଣ ଘଟିଥିଲା ? କାହିଁକି ରହାଲଙ୍କୁ ଛୁରୀ ଭୁସି ହତ୍ୟା କରାଗଲା ? ଏମିତି ଅନେକ ପ୍ରଶ୍ନ ପରିବାର ଲୋକଙ୍କ ମନରେ ଉଙ୍କି ମାରୁଥିବାବେଳେ ପୋଲିସ ତଦନ୍ତ କଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/bbsr-youtuber-murder-2026-03-02-17-30-37.jpg)