RAJYA-SABHA Photograph: (OTV)
ବିଜେପିରୁ କିଏ ଯିବେ ରାଜ୍ୟସଭା । ବିଜେଡି ଟିକେଟରେ ସଂସଦ ଯିବେ କି ସୁଜାତା କାର୍ତ୍ତିକେୟନ ? ୪ ନମ୍ବର ସିଟକୁ କିଏ କରିବ କବଜା । ରାଜ୍ୟସଭା ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହେବା ପରେ ରାଜ୍ୟ ରାଜନୀତିରେ ଏମିତି ଚର୍ଚ୍ଚା । ଆସନ୍ତା ଏପ୍ରିଲରେ ସରୁଛି ୪ ରାଜ୍ୟସଭା ସାଂସଦ ମୁନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ, ସୁଜିତ କୁମାରଙ୍କ କାର୍ଯ୍ୟକାଳ । ଏସବୁ ସିଟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।
ଓଡିଶା ସମେତ ୧୦ ରାଜ୍ୟରେ ୩୭ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କମିଶନ । ନିର୍ବାଚନ ଅଧିକାରୀ, ସହାୟକ ନିର୍ବାଚନ ଅଧିକାରୀ ନିଯୁକ୍ତି ସହ ବାଲଟ ବାକ୍ସ ପ୍ରସ୍ତୁତି ବିବରଣୀ ଦେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଯାହା ପରେ ଆରମ୍ଭ ହୋଇଛି ରାଜନୀତିକ ଚର୍ଚ୍ଚା ଆଲୋଚନା । ବିଜେପି କହିଛି ନିଷ୍ପତ୍ତି ନେବେ କେନ୍ଦ୍ର ନେତୃତ୍ୱ । ବିଜେଡିର ପ୍ରତିକ୍ରିୟା ହେଲା, ଦଳ ପାଇଁ ଆନୁଗତ୍ୟ ଥିବା ନେତାକୁ ବାଛିବେ ନବୀନ । ତେଣେ କଂଗ୍ରେସ କହିଛି, ଆମ ପାଖରେ ସଂଖ୍ୟା ନାହିଁ । ଭଲ ପ୍ରାର୍ଥୀ ଯାଆନ୍ତୁ ।
ଶାସକଦଳ ଖାତାକୁ ଯିବ କେତେ ଆସନ, ବିରୋଧୀଙ୍କୁ କେତେ ?
ଏପ୍ରିଲରେ ସରୁଥିବା ୪ ଆସନରୁ ଉଭୟ ବିଜେଡି ଏବଂ ବିଜେପିର ଦୁଇ ଜଣ ଲେଖାଏଁ ସାଂସଦ ରହିଛନ୍ତି । କିନ୍ତୁ ନିର୍ବାଚନ ଗଣିତ କହୁଛି ୪ ଆସନ ମଧ୍ୟରୁ ଶାସକ ଦଳ ଖାତାକୁ ୨ଟି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଖାତାକୁ ଗୋଟିଏ ଆସନ ଯିବ । ଚତୁର୍ଥ ଆସନ ପାଇଁ କାହା ପାଖରେ ବି ଆବଶ୍ୟକୀୟ ସଂଖ୍ୟା ନାହିଁ । ବିଜେପିରୁ ୨ଟି ଆସନରେ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର, ବସନ୍ତ ପଣ୍ଡା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନାଁ ଚର୍ଚ୍ଚାରେ ଥିବା କୁହାଯାଉଛି ।
ଅନ୍ୟପଟେ ବିଜେଡି ଆସନରେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଯିବା ନେଇ ବି ଚର୍ଚ୍ଚା ବଢିଛି । ତାଙ୍କ ବାଦ ନବୀନଙ୍କ ରାଜନୈତିକ ପରାମର୍ଶଦାତା ସଂତୃପ୍ତ ମିଶ୍ର ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ସନ୍ତୋଷ ଶତପଥୀଙ୍କ ନାଁ ବି କୁହାଯାଉଛି ।
ସେହିପରି ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନାଙ୍କ ଭଳି ନେତା ମଧ୍ୟ ରାଜ୍ୟସଭା ଯିବା ପାଇଁ ଆଶାବାଦୀ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁଠୁ ରୋଚକ ହେବ ଚତୁର୍ଥ ଆସନ। ଶାସକ ଦଳ ଏହି ଆସନ ହାତେଇବା ପାଇଁ କଳ ବଳ କୌଶଳ ଲଗାଇପାରେ ।
ଏହା ବାଦ ଦିଲ୍ଲୀପ ରାୟ ଏବଂ ଡିଆର ପଟ୍ଟନାୟକଙ୍କ ନାଁ ବି ଚତୁର୍ଥ ଆସନ ପାଇଁ ଚର୍ଚ୍ଚାରେ ରହିଛି । ଚତୁର୍ଥ ଆସନରେ ଯିଏ ପ୍ରାର୍ଥୀ ହେବ, ବିଜେଡି କନ୍ଦଳର ଫାଇଦା ନେଇପାରେ ଅର୍ଥାତ କ୍ରସ ଭୋଟିଂ ବି ହୋଇପାରେ ବୋଲି କୁହାଯାଉଛି । ନିକଟରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ପଛରେ ଏପରି ଏକ ସମୀକରଣ ଥିବା ନେଇ କହିଛନ୍ତି ରାଜନୈତିକ ସମୀକ୍ଷକ ।
ସେପଟେ ଚତୁର୍ଥ ଆସନ ପାଇଁ ନୂଆ କିଛି ସମୀକରଣ ହୋଇପାରେ । ଏବେ ଅପେକ୍ଷା ନିର୍ବାଚନ ତାରିଖକୁ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/rajya-sabha-2026-01-22-19-20-31.jpg)