CB_RAID_VANIK Photograph: (OTV)
ରାଜଧାନୀର ଛାତି ଉପରେ ଥିବା ‘ବଣିକ୍’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍। ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ଛାପା ମାରିଛି ତଦନ୍ତକାରୀ ସଂସ୍ଥା। ମାମଲାରେ ଗିରଫ କିଛି ଆଶାୟୀଙ୍କ ସହ ‘ବଣିକ୍’ର ଲିଙ୍କ ସଂପର୍କରେ ସୁରାକ୍ ପାଇବା ପରେ ଆଜି ଅପରାହ୍ନରେ ଚଢଉ ହୋଇଛି। ତେବେ ଏହି ସ୍କାମ୍ ସହ ‘ବଣିକ୍’ର କୌଣସି ସମ୍ପର୍କ ନାହିଁ ବୋଲି ପ୍ରତିଷ୍ଠାନ ମୁଖ୍ୟ ସ୍ପଷ୍ଟୀକରଣ ଦେଇଥିବାବେଳେ, ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି OPRB।..
ବଣିକ୍ ଚଲାଇଥିଲା କି ସରକାରୀ ଚାକିରିର ବଣିଜ ?
ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀର ହବ୍ ସାଜିଥିଲା କି ବଣିକ୍ ?
ରାଜଧାନୀର ଛାତି ଉପରେ କୋଚିଂ ସେଣ୍ଟର ନାଁରେ ସଜାଇଥିଲା କି କେଳେଙ୍କାରୀ ସେଣ୍ଟର ?
କ୍ରାଇମବ୍ରାଞ୍ଚର ନନ୍ ଷ୍ଟପ୍ ରେଡ୍, ଦସ୍ତାବିଜ୍ ସିଜ କରି ଘନ ଘନ ପ୍ରଶ୍ନବାଣ। ସମୟ ଠିକ୍ ଅପରାହ୍ନ ୩ଟା ୪୫ ମିନିଟ୍। ହଠାତ୍ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିଲା ଭୁବନେଶ୍ବର ସିଆରପି ଛକ ନିକଟରେ ଥିବା ବଣିକ୍ କୋଚିଂ ସେଣ୍ଟରରେ।
ଏସଆଇ ପରୀକ୍ଷା କେଳେଙ୍କାରୀରେ ଗିରଫ ଶତାଧିକ ଆଶାୟୀଙ୍କ ମଧ୍ୟରୁ କିଛି ଜଣଙ୍କର ଲିଙ୍କ୍ ବଣିକ୍ ସହ ଥିବା ଜଣାପଡିବା ପରେ ଆଜି ଏମିତି ହଠାତ୍ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ବଣିକର କର୍ମଚାରୀଙ୍କୁ ଗୁରେଇ ତୁରେଇ ପଚାରିଥିଲା। ବଣିକର ୫ ବର୍ଷର ରେକର୍ଡ ସଂଗ୍ରହ କରିଥିଲେ ତଦନ୍ତକାରୀ ଟିମ୍। ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ସହ ବଣିକ୍ ମାଲିକ ସୁବ୍ରତ ଛାଟୋଇଙ୍କ ସହ କଣ ଥିଲା ସମ୍ପର୍କ ଥିବା ତାହା ଜାଣିବାକୁ ଚାହିଁଥିଲା କ୍ରାଇମବ୍ରାଞ୍ଚ। ତେବେ ଚଢାଉ ବେଳେ ସୁବ୍ରତ ଛାଟୋଇ ଉପସ୍ଥିତ ନଥିଲେ। ଅନ୍ୟପଟେ ବଣିକର କର୍ମଚାରୀ କହିଛନ୍ତି ଏସଆଇ ପରୀକ୍ଷା ସହ ବଣିକର ନେଣଦେଣ ନାହିଁ।...
ପୂର୍ବରୁ କ୍ରାଇମବ୍ରାଞ୍ଚ ଗତ ୫ ତାରିଖରେ ଭୁବନେଶ୍ବର ରଘୁନାଥପୁରରେ ଥିବା ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରି ସିଲ୍ କରିଥିଲା। ଶଙ୍କର ପୃଷ୍ଟି ଏଠାକୁ ଆସୁଥିବା ଏବଂ ପରିକ୍ଷାର୍ଥୀଙ୍କ ପାଇଁ ଏଠାରେ ଫିକ୍ସିଂ କରିଥିବା ନେଇ ଜାଣିବାକୁ ପାଇଥିଲା। ସେପଟେ ଏସଆଇ ପରୀକ୍ଷା ମହାକେଳେଙ୍କାରୀକୁ ନେଇ ଆଜି ଗର୍ଜିଛି କଂଗ୍ରେସ। ଲୋୟର ପିଏମଜିରେ ଯୁବ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ତେଣେ ଆଇନ ମନ୍ତ୍ରୀ କହିଛନ୍ତି ଏସଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆଜି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି, କ୍ରାଇମବାଞ୍ଚ ଘଟଣାର ତଦନ୍ତ କରୁଛି ଏବଂ ମାମଲାରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସମସ୍ତ ପ୍ରାର୍ଥୀଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି ଏହାର ଅଧ୍ୟକ୍ଷ ସୁଶାନ୍ତ ନାଥ। ଅନ୍ୟ ପଟେ ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/09/cb_raid_vanik-2025-10-09-20-02-41.jpg)