CRIME BRANCH Photograph: (OTV)
ପୋଲିସ SI ନିଯୁକ୍ତି ଜାଲିଆତି ଖୋଳତାଡ ଫାନ୍ଦରେ ପଡିଛି ବଣିକ୍। କାଲି ଏହି କୋଚିଂ ସେଣ୍ଟର ଉପରେ ରେଡ୍ ପରେ ଆଜି ତାର ୩ ବରିଷ୍ଠ କର୍ମଚାରୀଙ୍କୁ ଝାଳବୁହା ଜେରା କରିଛି କ୍ରାଇମବ୍ରାଞ୍ଚ। ତେବେ ଚାକିରି କେଳେଙ୍କାରୀରେ ସମ୍ପୃକ୍ତିକୁଏହାର ସଂସ୍ଥା ମୁଖ୍ୟ ସୁବ୍ରତ ଛାଟୋଇ ଖଣ୍ଡନ କରିଥିଲେ ହେଁ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିଙ୍କ ସହ ତାଙ୍କ ଲିଙ୍କ୍ ରହସ୍ୟ ଭେଦ କରିବାକୁ ଉଦ୍ୟମ ଚଳାଇଛି ତଦନ୍ତକାରୀ ସଂସ୍ଥା। ଯେହେତୁ ପୂର୍ବରୁ ମଧ୍ୟ ବଣିକ ଉପରେ ବିଭିନ୍ନ କାରଣରୁ ରେଡ୍ ହୋଇଛି, ତେଣୁ ସଂସ୍ଥା ମୁଖ୍ୟ ସୁବ୍ରତ ଛାଟୋଇ ବି ବିବାଦକୁ ନେଇ ଚର୍ଚ୍ଚାରେ।...
ଗତକାଲି ରେଡ କରିଥିଲେ । ଆଜି ଝାଳବୁହା ଜେରା କଲେ । ଗତକାଲି ଅଫିସରେ ପଶି ୫ ବର୍ଷର ଡାଟା ନେଇଥିଲେ । ଆଜି ଅଫିସକୁ ଡାକି ପୋଲିସ ଏସଆଇ ଚାକିରି ଡିଲ ସିଣ୍ଡିକେଟ ବିଷୟରେ ଖୋଳତାଡ କଲେ । ପୋଲିସ ଏସଆଇ ଚାକିରି ବିକ୍ରି କେଳେଙ୍କାରୀରେ ଜଣାଶୁଣା କୋଚିଂ ସେଣ୍ଟର 'ବଣିକ୍' ନାଁ ଆସିବା ପରେ ଏଭଳି ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ ।
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ ଗିରଫ ୧୧୪ ଆଶାୟୀଙ୍କ ଭିତରୁ ୧୨ ଜଣ ବଣିକ୍ କୋଚିଂ ସେଣ୍ଟରରୁ ସ୍ପନ୍ସର ହୋଇଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା । ଯେଉଁ ଆଧାରରେ ପୁରା କେଳେଙ୍କାରୀରେ ବଣିକର ସଂପୃକ୍ତି ନେଇ ଚାଲିଛି ଖୋଳତାଡ । ଆଉ ଏହାକୁ ନେଇ ଗତକାଲି କୋଚିଂ ସେଣ୍ଟର ଉପରେ ରେଡ ପରେ ଆଜି ୩ ବରିଷ୍ଠ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବାକୁ କହିଥିଲେ । ଏହି ଅନୁସାରେ ଆଜି ଦିନ ପାଖାପାଖି ସାଢେ ୧୧ ଟା ବେଳେ ବଣିକ୍ କୋଚିଂ ସେଣ୍ଟରର ଏଚଆର ମ୍ୟାନେଜର, ମାର୍କେଟିଂ ମ୍ୟାନେଜର ଓ ଆକାଉଣ୍ଟସ୍ ହେଡ କଟକ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ପାଖାପାଖି ଅଢେଇ ଘଣ୍ଟା କାଳ ୩ ଜଣ କର୍ମଚାରୀଙ୍କୁ ଗୁଡେଇ ତୁଡେଇ ଜେରା କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ ।
କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ସହ ବଣିକ ମୁଖ୍ୟ ସୁବ୍ରତ ଛାଟୋଇଙ୍କ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିବା କ୍ରାଇମବ୍ରାଞ୍ଚ ଆଗକୁ ମଧ୍ୟ ଆଉ କିଛି କର୍ମଚାରୀଙ୍କୁ ଜେରା କରିପାରେ ବୋଲି କୁହାଯାଉଛି । ଅନ୍ୟପଟେ ପରୀକ୍ଷା ଘୋଟାଲା ସହ ତାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗତକାଲି ସ୍ପଷ୍ଟ କରିଥିଲେ ସୁବ୍ରତ ଛାଟୋଇ ।
ତେବେ ବଣିକ କୋଚିଂ ସେଣ୍ଟର ଉପରେ ଏହା ପ୍ରଥମ ରେଡ୍ ନୁହଁ । ପୂର୍ବରୁ ୨୦୨୪ ଏପ୍ରିଲ ୧ରେ ଆୟକର ବିଭାଗ ପକ୍ଷରୁ ଟିକସ ଫାଙ୍କି ଅଭିଯୋଗରେ ଏହି ସଂସ୍ଥା ଉପରେ ବ୍ୟାପକ ରେଡ୍ କରାଯାଇଥିଲା । ବଣିକ ମୁଖ୍ୟ ସୁବ୍ରତ ଛାଟୋଇଙ୍କ ଘର ଓ ତାଙ୍କ ସହିତ ଲିଙ୍କ ଥିବା ଅନ୍ୟ ସଂସ୍ଥାଗୁଡିକ ଉପରେ ଚଢଉ ହୋଇଥିଲା । ସେହିପରି କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗରେ ୨୦୨୩ ମାର୍ଚ୍ଚ ମାସରେ ମଧ୍ୟ ବଣିକ ଭିତରେ ପଶିଥିଲା ଜିଏସଟି ଇଣ୍ଟିଲିଜେନ୍ସ। ରାଜ୍ୟର ୩ଟି ସ୍ଥାନ ବ୍ୟତୀତ କୋଲକାତାରେ ମଧ୍ୟ ରେଡ୍ ହୋଇଥିଲା । ଖାଲି ଏତିକି ନୁହେଁ ବଣିକ ମାଲିକ ସୁବ୍ରତ ଛାଟୋଇଙ୍କ ସହ ତତ୍କାଳୀନ ବିଜେଡି ସରକାରର ଲିଙ୍କକୁ ନେଇ ଚର୍ଚ୍ଚା ହୋଇଥିଲା ।
ସୁବ୍ରତ ନିଜେ ବିଜେଡି ଆଇଟି ସେଲର ସଦସ୍ୟ ଥିବା ବେଳେ ସେତେବେଳେ ସରକାରରେ ପ୍ରଭାବଶାଳୀ କୁହାଯାଉଥିବା ବରିଷ୍ଠ ବିଜେଡି ନେତାଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା । ଏଣୁ ବଣିକ କୋଚିଂ ସେଣ୍ଟରରେ ସରକାରୀ ନିଯୁକ୍ତିରେ ଜାଲିଆତି ହେଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏ ନେଇ ସେତେବେଳେ କିଛି ମୁହଁ ଖୋଲି ନ ଥିଲେ ସୁବ୍ରତ ।
ପୋଲିସ ଏସଆଇ ପରୀକ୍ଷା ଘୋଟାଲାରେ ଏ ପର୍ଯ୍ୟନ୍ତ ୧୧୯ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ତଥାପି ମଧ୍ୟ ପୁରା ଘଟଣାର ମୁଖ୍ୟ କୁହାଯାଉଥିବା ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଓ ସହଯୋଗୀ ମୁନା ମହାନ୍ତିଙ୍କ ପାଖରେ ପହଞ୍ଚିପାରିନାହିଁ କ୍ରାଇମବ୍ରାଞ୍ଚ । କୁଆଡେ ଗଲେ ଶଙ୍କର ଓ ମୁନା ? କାହିଁକି ଦୁଇ ଜଣଙ୍କ ଟେର୍ ପାଇପାରୁନି ତଦନ୍ତକାରୀ ଟିମ୍ ? ଘଟଣାରେ ଆହୁରି ବଡବଡିଆ ସମ୍ପୃକ୍ତି ରହିଛନ୍ତି କି ? କେବେ ହେବେ ଏହାର ପର୍ଦ୍ଦାଫାଶ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/crime-branch-2025-10-10-20-44-38.jpg)