Advertisment

Disaster Strikes Gajapati & Koraput: ଗଜପତି ଓ କୋରାପୁଟରେ ଉତ୍ତରାଖଣ୍ଡ ଭଳି ପ୍ରଳୟ, ପାହା଼ଡ଼ ଧସିଲା ରାସ୍ତା ଭାଙ୍ଗିଲା

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଭଳି ସ୍ଥିତି ଗଜପତି ଜିଲ୍ଲାରେ। ଲଘୁଚାପ ପ୍ରଭାବରେ ମୂଷଳଧାରାରେ ବର୍ଷା ତାଣ୍ଡବ ରଚିଛି। ବିଭିନ୍ନ ଅଞ୍ଚଳରେ ଜଳ ପ୍ରଳୟ। କେଉଁଠି ରାସ୍ତା ଧୋଇ ଯାଇଛି ତ କେଉଁଠି ପାହାଡ଼ ଧସିଛି। ଆଉ କେଉଁଠି ଗାଁକୁ ବୁଡ଼ାଇଛି ବନ୍ୟା ପାଣି।

RAIN

RAIN Photograph: (OTV)

Advertisment

ପାରଳାଖେମୁଣ୍ଡିରେ ପାହାଡ଼ରୁ ଭୂସ୍ଖଳନ ହୋଇ ବାପା ପୁଅ ନିଖୋଜ ହୋଇଛନ୍ତି। ଗଜପତି ସମେତ ପୂରା ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ ଆଣିଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ...
ଭାଙ୍ଗିଲା...ଭସାଇଲା...ଆଉ ବୁଡ଼ାଇଲା। ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ। ଗଜପତିରେ ଉତ୍ତରାଖଣ୍ଡ ଭଳି ବିପତ୍ତି, ଆଉ ବିଭୀଷିକା। ଧସିଲା ପାହାଡ। ଭାଙ୍ଗିଲା ରାସ୍ତା। ଧୋଇନେଲା ରାସ୍ତାଘାଟ, ବୁଡ଼ିଲା ଘରଦ୍ବାର। ପାହାଡରୁ ମାଡ଼ି ଆସିଲା ପ୍ରଳୟ। ଗଜପତି ଜିଲ୍ଲାରେ ଏଭଳି ତାଣ୍ଡବ ରଚିଛି ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା।

Advertisment

ଭୂସ୍ଖଳନର ଭୟଙ୍କର ଦୃଶ୍ୟ ଦେଖିଲେ ମନେ ପଡ଼ିଯାଉଛି ଦେବଭୂମି ଉତ୍ତରାଖଣ୍ଡ ବିତ୍ପାତର ବ୍ୟଥା। ସେଠି ମୌସୁମୀ ସିଜିନରେ ପ୍ରକୃତି ଯେଉଁ ଭଳି କରାଳ ରୂପ ଦେଖାଇଥାଏ ଠିକ୍ ସେଭଳି ଧ୍ବଂସଲୀଳା ଦେଖିଛି ଗଜପତି ଜିଲ୍ଲା। କରାଳ ରୂପ ଦେଖାଉଛନ୍ତି ଶଙ୍ଖ, ଘୋଡ଼ାଶାଳ ଓ ହରଭଙ୍ଗୀ ନଦୀ।ଘୋଡ଼ାଶାଳ ନଦୀର ପାଣି ଭସାଇ ନେଇଛି ଘୋଡ଼ାଶାଳ ବ୍ରିଜ। ଜଣାପଡୁନି କେଉଁଠି ରାସ୍ତା ଥିଲା ଓ କେଉଁଠି ଥିଲା ପୋଲ। ଫଳରେ ଆର. ଉଦୟଗିରିରୁ ନୂଆଗଡ଼ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେପଟେ ଆର.ଉଦୟଗିରିକୁ ବେହାଲ୍ କରିଛି ଶଙ୍ଖ ନଦୀର ପାଣି। ପଟ୍ଟନାୟକ କଲୋନୀକୁ ବୁଡ଼ାଇଛି। ରାସ୍ତାରେ ପାଣିର ପ୍ରଖର ସୁଅ ଚାଲିଥିବା ବେଳେ ଲୋକଙ୍କ ଘରଦ୍ବାର, ରାସ୍ତାଘାଟ ଓ କାର ବି ବୁଡିଛି। ହରଭଙ୍ଗୀ ନଦୀର ଜଳସ୍ତର ବଢ଼ିବାରୁ ମୋହନା ଲେଢ଼ବନ୍ଧ ବ୍ରିଜ ଉପରେ ୩ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି l

Advertisment

ଫଳରେ ରାୟଗଡ଼ାରୁ ବ୍ରହ୍ମପୁରକୁ ସଂଲଗ୍ନ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଛି l ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଛି। ସେହିପରି ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ ହେବାରୁ ବାପପୁଅ ନିଖୋଜ ହୋଇଛନ୍ତି। ମାଟି ତଳେ ଦୁହେଁ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ...

କୋରାପୁଟ ଜିଲ୍ଲାରେ ବି ଜନଜବୀନକୁ ଅସ୍ତବ୍ୟସ୍ତ କରିଛି ଅବିଶ୍ରାନ୍ତ ବର୍ଷା।ସକାଳୁ ବର୍ଷୁଛି ଯେ ବର୍ଷୁଛି, ଛାଡିବାର ନାଁ ଧରୁନି। କୋରାପୁଟ-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୨ ଫୁଟ୍ ପାଣି ପ୍ରବାହିତ ହୋଇଛି।ଧୋଇଯାଇଛି ବାଲିଘାଟଠାରେ ପୋଲକୁ ସଂଯୋଗ କରୁଥିବା ରାସ୍ତା। ନାରାୟଣପାଟଣା ବ୍ଲକ୍ ବିଜାଘାଟି ତଳେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି।

Advertisment

ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡାର କାତୁଲପେଟା ସିଲାବାଡ଼ି ରାସ୍ତା ଉପରେ ବି ପଡିଛି ଗଛ। ପ୍ରବଳ ବର୍ଷା ଯୋଗୁଁ କୋରାପୁଟ-ରାୟଗଡ଼ା ଟ୍ରେନ୍ ଟ୍ରାକ୍ ରେ ମାଟି ଅତଡା ଧସିବା ସହ ବଡ଼ ପଥର ଖଣ୍ଡ ପଡିଛି। ସେପଟେ ବେହାଲ୍ ହୋଇଛି ଲମତାପୁଟ। ବର୍ଷା ଧୋଇ ଦେଇଛି ବିଜୟା ଦଶମୀ ଓ ରାବଣପୋଡ଼ି ମଜା। ବର୍ଷାରେ ବତୁରି ଯାଇଛି ରାବଣ। ... 

ଲଘୁଚାପ ବର୍ଷାରେ ବଢିଛି ଗଞ୍ଜାମ ଜିଲ୍ଲାରେ ପୁଇଁଚାନ୍ଦିଆ ନଦୀର ଜଳସ୍ତର। ଆଗକୁ ଅଧିକ ବର୍ଷା ହେଲେ ପାତ୍ରପୁର ମନ୍ଦରଡ଼ା ପଞ୍ଚାୟତ ତିନିଘରିଆ ଗାଁରେ ପାଣି ପଶିବା ଆଶଙ୍କା ଦେଖାଦେଇଛି। 
ଲଘୁଚାପ ବର୍ଷାରେ ଅଣାୟତ୍ତ ହୋଇଛି ପୂରା ଦକ୍ଷିଣ ଓଡ଼ିଶା। ପାଣିପାଗ ବିଭାଗ ଆଜି ପାଇଁ ଭୀଷଣ ବର୍ଷା ଚେତାବନୀ ଦେଇଥିବାରୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ। ... 

Disaster Odisha Calamities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ