ଶାଢି ପିନ୍ଧି ଗୋଲ୍ ପରେ ଗୋଲ୍ Photograph: (OTV)
ସ୍ମାର୍ଟଫୋନ୍ ସ୍କ୍ରିନ୍ରେ ଆଙ୍ଗୁଠି ଚାଲୁଥିବା ସମୟରେ, ଗାଁ ପଡ଼ିଆରେ ମାଟି ଉପରେ ଦୌଡ଼ୁଛନ୍ତି ମହିଳା। ଯେତେବେଳେ ସହରୀ ସମାଜ ସୋସିଆଲ୍ ମିଡ଼ିଆ ନିଶାରେ ବୁଡ଼ି ରହିଛି, ସେହି ସମୟରେ ଓଡ଼ିଶାର ଏକ ଦୁର୍ଗମ, ମାଓପ୍ରବଣ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅପୂର୍ବ ଓ ପ୍ରେରଣାଦାୟକ ଦୃଶ୍ୟ—ଶାଢି ପିନ୍ଧି ମହିଳାମାନେ ଫୁଟ୍ବଲ୍ ପଡିଆରେ ବିଜୁଳି ବେଗରେ ଦୌଡ଼ି ଗୋଲ୍ କରୁଛନ୍ତି।
ଏହି ନିଆରା ଦୃଶ୍ୟ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି। କିନ୍ତୁ ଭାଇରାଲ୍ ହେବାଠାରୁ ବହୁତ ଅଧିକ, ଏହା ହେଉଛି ସାହସ, ସଂଘର୍ଷ ଓ ଆନନ୍ଦର ଏକ ଜୀବନ୍ତ କାହାଣୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋଇଡ଼ା ବ୍ଲକ୍ ଅନ୍ତର୍ଗତ ମାଓପ୍ରବଣ ସୋୟମ୍ବା ପଞ୍ଚାୟତର ବଡ଼ବାଲିଯୋର ଖେଳପଡ଼ିଆରେ।
ଯେଉଁ ଅଞ୍ଚଳକୁ ଦୀର୍ଘ ସମୟ ଧରି ମାଓ ହିଂସା, ଭୟ ଓ ଅସୁରକ୍ଷାର ପରିଚୟ ଭାବେ ଦେଖାଯାଉଥିଲା - ବାଙ୍କୋ ପଥରଖଣିରୁ ବିସ୍ଫୋରକ ଲୁଟ୍ ଘଟଣା ଯାହାର ସାକ୍ଷୀ, ସେହି ଅଞ୍ଚଳ ଆଜି ଚର୍ଚ୍ଚାରେ ଏକ ନୂଆ ପରିଚୟ ନେଇ। ଏହା ହେଉଛି ଆଦିବାସୀ ମହିଳାମାନଙ୍କର ଖେଳ ପ୍ରତି ଆଗ୍ରହ, ଏକତା ଓ ଆତ୍ମବିଶ୍ୱାସର ପରିଚୟ।
ଘରକାମ, ଜଙ୍ଗଲ ଜୀବନ ଓ ଦୈନନ୍ଦିନ ସଂଘର୍ଷ ମଧ୍ୟରୁ ସମୟ ବାହାର କରି ଏଠାକାର ମହିଳାମାନେ ପ୍ରତିବର୍ଷ କିଛିକିଛି ଟଙ୍କା ସଞ୍ଚୟ କରନ୍ତି। ସେହି ସଞ୍ଚୟ ଟଙ୍କାରେ ସେମାନେ ନିଜେ ନିଜେ ଆୟୋଜନ କରନ୍ତି ଫୁଟ୍ବଲ୍, ଦୌଡ଼ିଡିଆଁ, ପୁଚି, କବାଡ଼ି ଭଳି ବିଭିନ୍ନ ପ୍ରତିଯୋଗିତା। କୌଣସି ବଡ଼ ସ୍ପନସର୍ ନ ଥାଏ, କୌଣସି ଆଡ଼ମ୍ବର ନ ଥାଏ - କେବଳ ଆନନ୍ଦ, ସହଭାଗିତା ଓ ଆତ୍ମସମ୍ମାନ।
ପ୍ରତିଯୋଗିତା ପରେ ପୁରସ୍କାର ମଧ୍ୟ ସେମାନେ ନିଜେ ନିଜେ ବଣ୍ଟନ କରନ୍ତି। ଏହା କେବଳ ଖେଳ ନୁହେଁ, ଏହା ହେଉଛି ଜୀବନର ଦୁଃଖକଷ୍ଟ ମଧ୍ୟରେ ଖୁସି ଖୋଜିବାର ଏକ ସାହସୀ ପ୍ରୟାସ।
ଶାଢି ପିନ୍ଧି ଫୁଟ୍ବଲ୍ ମାଟିରେ ଦୌଡ଼ୁଥିବା ଏହି ମହିଳାମାନେ ପ୍ରମାଣ କରିଦେଇଛନ୍ତି, ସଶକ୍ତିକରଣ ପାଇଁ ମଞ୍ଚ ଦରକାର ନାହିଁ, ଦରକାର କେବଳ ମନୋବଳ। ଏହି ନିଆରା ଦୃଶ୍ୟ ଆଜି ସମଗ୍ର ସମାଜ ପାଇଁ ଏକ ସକାରାତ୍ମକ ସନ୍ଦେଶ ଓ ପ୍ରେରଣାର ଉତ୍ସ ହୋଇଉଠିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/women-empowerment-2026-01-10-14-43-57.jpg)