ram
ଭୁବନେଶ୍ୱର : ପବିତ୍ର ରାମନବମୀରେ ରାଜଧାନୀର ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳିଚହଳି। ବିଧି ବିଧାନରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ନାମ ସଙ୍କୀର୍ତ୍ତନରେ ଉଚ୍ଛୁଳି ଉଠିଥିଲା ପରିବେଶ।
ଏପଟେ ରାମନବମୀ ଅବସରରେ ବେଶ୍ ଚଳଚଞ୍ଚଳ ଥିଲା ରାଉରକେଲା ହନୁମାନ ବାଟିକାସ୍ଥିତ ରାମ ମନ୍ଦିର ପରିସର। ଏଠାରେ ତିନି ଦିନ ଧରି ନାମ, ଯଜ୍ଞ ଚାଲିଥିବା ବେଳେ ଆଜି ବିଭିନ୍ନ ଆଖଡ଼ା ପକ୍ଷରୁ ବାହାରିଥିଲା ରଙ୍ଗାରଙ୍ଗ ମେଢ଼ ଶୋଭାଯାତ୍ରା।
ସେହିପରି ଭଦ୍ରକ ସହରରେ ବି ଧୁମଧାମରେ ପାଳିତ ହୋଇଛି ରାମନବମୀ ଉତ୍ସବ। ଏ ବର୍ଷ ପ୍ରାୟ ୬୦ରୁ ଅଧିକ ସୁସଜ୍ଜିତ ମେଢ଼ ନେହରୁ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରିଥିଲେ। ବାଲେଶ୍ୱର ସହରରେ ବି ବେଶ୍ ଧୂମଧାମରେ ପାଳିତ ହୋଇଛି ରାମନବମୀ ଉତ୍ସବ।
ଆଜି ଗୋଟିଏ ଦିନରେ ରାମ ନବମୀ ସାଙ୍ଗକୁ ଅଶୋକାଷ୍ଟମୀ ତିଥି ପଡିଥିବାରୁ ଏକାମ୍ର କ୍ଷେତ୍ରରେ ଗଡ଼ିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ମଧ୍ୟାହ୍ନରେ ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଥିଲେ ଦେବୀ ରୁକୁଣା ଓ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର। ଅପରାହ୍ନ ୪ଟା ପରେ ରଥ ଟଣା ବେଳକୁ ଲୋକାରଣ୍ୟ ହୋଇ ଉଠିଥିଲା ପୁରୁଣା ଭୁବନେଶ୍ୱର। ଏହା ପୂର୍ବରୁ ଗତକାଲି ରାତିରେ ପରମ୍ପରା ଅନୁସାରେ ସାଧାରଣ ଭକ୍ତଙ୍କ ପାଇଁ ନିଲାମ ହୋଇଥିଲା ମରିଚିକୁଣ୍ଡର ପବିତ୍ର ଜଳ।
ଏପଟେ ୧୩ ଦିନ ଧରି ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ବେଶ୍ ଧୂମଧାମରେ ଚାଲିଥିବା ପ୍ରସିଦ୍ଧ ଚଡ଼କ ମେଳା ଆଜି ଉଦଯାପିତ ହୋଇଛି। ବିଶ୍ୱାସ ଓ ପରମ୍ପରାର ଅନନ୍ୟ ନିଦର୍ଶନ ଚଡ଼କ ଯାତ୍ରାର ଆଜି ଅନ୍ତିମ ଚରଣ ପାଟ ପର୍ବରେ ସାମିଲ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସକାଳୁ ମାଳ ଚନ୍ଦନ ନୀତି ପରେ ଅପରାହ୍ନରେ ମାନସିକ କରିଥିବା ପାଟ ଭକ୍ତମାନେ ଦେହରେ କଣ୍ଟା ଫୋଡ଼ି ଭକ୍ତି ଓ କୁଛ୍ର ସାଧନାରେ ନିଆରା ପରାକାଷ୍ଠା ପ୍ରଦର୍ଶନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ram_1626435588.jpg)