ଆସୁଛନ୍ତି ରାଷ୍ଟ୍ରପତି, ୬ ଦିନରେ ୫ ଜିଲ୍ଲାରେ କାର୍ଯ୍ୟକ୍ରମ Photograph: (OTV)
ଆସୁଛନ୍ତି ରାଷ୍ଟ୍ରପତି, ୬ ଦିନରେ ୫ ଜିଲ୍ଲାରେ କାର୍ଯ୍ୟକ୍ରମ। ଏଥର ଗସ୍ତ ଟିକିଏ ବଡ଼, କାର୍ଯ୍ୟକ୍ରମ ବି ଅନେକ। ଯାଜପୁର ଓ ପୁରୀରେ ଏଥର ରାଷ୍ଟ୍ରପତି ବିତାଇବେ ଜୀବନର ଅଭୁଲା ମୁହୂର୍ତ୍ତ। ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେବେ, ଅଧିଷ୍ଠାତ୍ରୀ ଦେବୀ ମାଆ ବୀରଜା ଓ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଆଉ ଦୁଇ ଦିନ ନିଜ ଜନ୍ମମାଟି ମୟୂରଭଞ୍ଜ ରାଇରଙ୍ଗପୁରରେ ରହିବେ। ମହାମହିମଙ୍କୁ ପାଖରୁ ଦେଖିବା ସୁଯୋଗକୁ କେହି ବି ହାତ ଛଡ଼ା କରିବାକୁ ଚାହିଁନାହାନ୍ତି।
ଆସିବେ ମହାମହିମ...ସଜେଇ ହେଲାଣି ଶ୍ରୀକ୍ଷେତ୍ର, ସ୍ୱାଗତ ପାଇଁ ଅପେକ୍ଷାରତ। ମୟୂରଭଞ୍ଜରୁ ପୁରୀ ସବୁଠି ପ୍ରସ୍ତୁତି, ସବୁଠି ଉତ୍ସାହ। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ...୫ ଜିଲ୍ଲାରେ ରାଷ୍ଟ୍ରପତି ବିତାଇବେ ୬ ଦିନ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି।...ୟେ ଯାଜପୁରର ଦୃଶ୍ୟ। ହାତକୁ ଫୁରସତ ନାହିଁ, ରଙ୍ଗ ଦିଆ ସରିଲାଣି, ଝୋଟି ଅଙ୍କା ଚାଲିଛି।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ତେଣୁ ମନ୍ଦିରର ଚୂଡ଼ାରୁ ଚାରିପାଖ ସବୁକିଛି ନୂଆ ନୂଆ କରି ଦିଆ ଯାଇଛି। ପୌରାଣିକ କଥା ବସ୍ତୁ ଆଧାରରେ ଏଠି ଥିବା ନାଭିଗୟାରେ ପିଣ୍ଡ ଦାନର ମହତ୍ବ ରହିଛି। ରାଷ୍ଟ୍ରପତି ବି ଏଠି ନିଜ ପୂର୍ବ ପୁରୁଷଙ୍କ ପାଇଁ ପିଣ୍ଡଦାନ କରିବେ।
ଆସନ୍ତା ୩ ତାରିଖ ସକାଳେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିରଜା ମନ୍ଦିରରେ ବିତାଇବେ ମହାମହିମ। ସେଠୁ ସେ ଯିବେ ବାଲେଶ୍ୱର। ଫକିରମୋକନ ବିଶ୍ୱବିଦ୍ୟାଳୟ ୧୨ତମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିବେ। ନିଜ ସଂଘର୍ଷମୟ କାହାଣୀ ବାଣ୍ଟିବା ସହ ମନଖୋଲି କଥା ହେବେ। ସେଥିପାଇଁ ବାଲେଶ୍ବରରେ ବାୟୁସେନା ବିମାନ ଓହ୍ଲାଇଛି, ଜିଲ୍ଲା ଓ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ପରଖିଛି।
ଶ୍ରୀକ୍ଷେତ୍ର ପୁରୀର ଶ୍ୱେତଗଙ୍ଗା। କାହିଁ କେଉଁ କାଳରୁ ଏଠି ପିଣ୍ଡ ଦେବା ପରମ୍ପରା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଶ୍ବେତଗଙ୍ଗା ଯିବେ। ୩ ତାରିଖ ସଂଧ୍ୟାରେ ପୁରୀରେ ପହଞ୍ଚି ରାତ୍ରୀଯାପନ କରିବେ। ୪ ତାରିଖରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା, ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବେ।
ସେଥିପାଇଁ ୪ ତାରିଖରେ ସଅଳ ହେବ ନୀତିକାନ୍ତି। ଭୋର୍ ୪ଟା ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି ହେବ। ସେ ଦିନ କେବଳ ପାଳିଆ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ରହିବେ। ରାଷ୍ଟ୍ରପତି ଯେବେ ଯେବେ ପୁରୀ ଆସିଛନ୍ତି, ବଡ଼ଦାଣ୍ଡରେ ଚାଲି ଚାଲି ଯାଇଛନ୍ତି। ଏଥର ବି ସେମିତି ଯାଇପାରନ୍ତି, ସେଥିପାଇଁ ବଡ଼ଦାଣ୍ଡରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ରହିବେ।
ଏଥର ଗସ୍ତରେ ସବୁଠୁ ବ୍ୟସ୍ତବହୁଳ ରହିବ ମୟୂରଭଞ୍ଜର କାର୍ଯ୍ୟକ୍ରମ। ପୁରୀରୁ ୪ ତାରିଖରେ ରାଷ୍ଟ୍ରପତି ସିଧା ଯିବେ ମୟୁରଭଞ୍ଜ ରାଇରଙ୍ଗପୁର। ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଜନ୍ମମାଟିରେ ଲୋକଙ୍କୁ ଭେଟିବେ। ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ ବି କରିବେ। ତା ପରଦିନ ଅର୍ଥାତ ୫ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅପରାହ୍ନରେ ସେ ଜଶିପୁର ଦେଇ ପ୍ରକୃତିର ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ଯିବେ। ସେଠାରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି।
୬ ତାରିଖରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ କିଛି ରାସ୍ତା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଲୋକଙ୍କ ଅତି ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତାଙ୍କ ଗୋଟିଏ ଝଲକ ପାଇଁ ଲୋକେ ଅପେକ୍ଷା କରିଛନ୍ତି।
ଏସବୁ ଭିତରେ ପ୍ରସ୍ତୁତିରେ ପଛରେ ପଡ଼ିନି ରାଜଧାନୀ ଭୁବନେଶ୍ବର। ଦୁଇ ତାରିଖ ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସହ ରାଜଭବନକୁ ପାଛୋଟି ନିଆଯିବ। ୨ ଓ ୩ ତାରିଖ ରାଷ୍ଟ୍ରପତି ଭୁବନେଶ୍ୱରରେ ରହିବେ, ଏଥିପାଇଁ ପୋଲିସ୍ ଛାଉଣୀରେ ପାଲଟିଛି ରାଜଧାନୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/president-six-day-odisha-tour-2026-02-01-20-06-37.jpg)