pradeep
ଭୁବନେଶ୍ୱର : ଫୋନିର ପାଖାପାଖି ଦୁଇମାସ ପରେ ବି ଅଣ୍ଟା ସଳଖି ନାହାଁନ୍ତି ବିପନ୍ନ। ବାତ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ଜୀବନ କଟୁଛି ପଲିଥିନ ତଳେ। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ବୋଲି ଅଭିଯୋଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଘରଭଙ୍ଗା ତଦନ୍ତରେ ୬୦ରୁ ୭୦ ପ୍ରତିଶତ ଭୁଲ୍ ଥିବା ଅଭିଯୋଗ ଆଣି ସରକାରଙ୍କ ଗୁମର ଖୋଲିଥିଲେ ଖୋଦ୍ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ ଉତ୍ତର ରଖିବା ବେଳେ ସରକାରଙ୍କ ପାରିବାପଣିଆ ଓ ବାହାବା କଥାକୁ ବଖାଣିଥିଲେ ରାଜସ୍ୱ ମନ୍ତ୍ରୀ।
ପଲିଥିନ ତଳେ କଟୁଛି ଜୀବନ। ବାତ୍ୟା ଫୋନି ଏମିତି ମାଡ଼ ମାରିଛି ଯେ, ଆଜି ଯାଏଁ ବି ଅଣ୍ଟା ସଳଖି ପାରିନାହାଁନ୍ତି ପ୍ରଭାବିତ ଲୋକେ। ପୁରୀ କୃଷ୍ଣପ୍ରସାଦ ବ୍ଲକ ଜଙ୍ଗଲ ସାହିରୁ ଏମିତି କିଛି ଚିତ୍ର ଆସିଛି।
ମିଳିଛି ଚାଉଳ ଗୋଟିଏ ବସ୍ତା ଓ ୨ ହଜାର ଟଙ୍କା । ମିଳିଥିବା ପଲିଥିନରେ କୁଡ଼ିଆ କରି ରହୁଛନ୍ତି । ୧୦ରୁ ଅଧିକ ପରିବାର ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ କଣ କରିବେ ସେଇ ଚିନ୍ତା ଘାରିଛି।
ବିଡମ୍ବନା ଘର ସଂପୂର୍ଣ୍ଣ ଭାଙ୍ଗିଥିଲେ ବି ସରକାରୀ ତାଲିକାରୁ ବାଦ ପଡିଛନ୍ତି ଅନେକ ବାସହରା । ନିମାପଡା ପିପଳିଆ ଗାଁରେ ଘରଭଙ୍ଗା ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଁ ଲୋକେ। ଗାଁର ୩୭ ପରିବାରର ଘର ସଂପୂର୍ଣ ଭାଙ୍ଗିଥିବା ବେଳେ ମାତ୍ର ୭ ଜଣଙ୍କର ତାଲିକାରେ ନାଁ ଅଛି। ନିମାପଡା ବ୍ଲକରେ ୨୮ ହଜାରରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବା ରିପୋର୍ଟ ଆସିଛି। ତେବେ ବହୁସଂଖ୍ୟାରେ ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ ପଡିଥିବା ଅଭିଯୋଗ ହୋଇଛି। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣି ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ମୁଲତବୀ ଆଲୋଚନା ବେଳେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଅଭିଯୋଗ ଆଣିଛନ୍ତି। ନଡ଼ିଆ ଓ କାଜୁ ଚାଷୀଙ୍କୁ କିଛି କ୍ଷତିପୂରଣ ମିଳିନି। ଅନ୍ୟପଟେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇ ଶାସଦ ଦଳ ବିଧାୟକ ପ୍ରଦୀପ ମହାରଥୀ ଅଭିଯୋଗ କିରଥିଲେ । ଘରଭଙ୍ଗା ରିପୋର୍ଟରେ ୬୦ରୁ ୭୦ ପ୍ରତିଶ୍ରତ ଭୁଲ ରହିଛି । କୋଠାଘର ଥିବା ଲୋକଙ୍କ ନାଁ ତାଲିକାରେ ରହିଛି ବୋଲି ମହାରଥୀ କହିଥିଲେ। ଏ ନେଇ ସେ ଓ ପୁରୀ ଜିଲ୍ଲାର ଅନ୍ୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।
ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଥିଲେ ଫୋନି ମୁକାବିଲାରେ ସରକାର ଦେଶ ବିଦେଶରୁ ଅନେକ ପ୍ରଶଂସା ସାଉଁଟିଛନ୍ତି। ଘରଭଙ୍ଗା ତଦନ୍ତ ରିପୋର୍ଟରେ ଆପତ୍ତି ଅଭିଯୋଗ ଆସିଥିବା ସ୍ଥାନରେ ଆଉ ଥରେ ତଦନ୍ତ ହେବ ବୋଲି ମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pradeep_1626507653.jpg)
