puri
ପୁରୀ : ପୁଲିସ୍-ଦୋକାନୀ ମୁହାଁମୁହିଁ। ପୁରୀ ବଡ଼ଶଙ୍ଖରେ ପୁଲିସ୍ ଓ ଦୋକାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ବଡ଼ଶଙ୍ଖ ନିକଟରେ କିଛି ଦୋକାନୀ ବସିଥିବା ବେଳେ ପୁଲିସ୍ ସେମାନଙ୍କୁ ଉଠାଇଥିଲା। ଏହାକୁ ନେଇ ପୁଲିସ୍ ସହ ଯୁକ୍ତିତର୍କ କରିଥିଲେ ଦୋକାନୀ। ତେବେ ପୁଲିସ୍ ଏହି ସମୟରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦୋକାନୀ। ପରିସ୍ଥିତି ଏପରି ହୋଇଥିଲା କି ରାସ୍ତା ଉପରେ ବସି ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ଦୋକାନୀ।
ସକାଳ ୭ଟାରୁ ୧୧ ଦୋକାନ ଖୋଲା ରହିବ ବୋଲି ଘୋଷଣା ହୋଇଥିବାରୁ ସେମାନେ ଦୋକାନ ଖୋଲିଥିଲେ। କିନ୍ତୁ ପୁଲିସ୍ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଜୁଲୁମ୍ ଦେଖେଇଥିବା ଦୋକାନୀ କୁହନ୍ତି। ଏହା ସହିତ ଜଣେ ଦୋକାନୀ କହିଛନ୍ତି ଯେ ପ୍ରତିଦିନ ପୁଲିସ୍ ଆସି ସେମାନଙ୍କ ଠାରୁ ଦୋକାନ ସାମଗ୍ରୀ ଛଡେଇ ନଉଥିବା ବେଳେ ସେମାନଙ୍କୁ ଟଙ୍କା ଦେଲେ ଫେରଉଛନ୍ତି। ପୁଲିସ୍ର ଏହି ଦାଦାଗିରିକୁ ଦୋକାନୀମାନେ ବିରୋଧ କରିବା ସହ ନ୍ୟାୟ ମାଗିଛନ୍ତି।
ସେପଟେ ଘଟଣା ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ସାମ୍ବାଦିକଙ୍କୁ ତଳେପକେଇ ପୁଲିସ୍ ବୁଟ୍ରେ ଗୋଇଠା ମାଡ ମାରିଥିବା ସେ କହିଛନ୍ତି। ଦୋକାନୀ ଓ ପୁଲିସ୍ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ସାମ୍ବାଦିକ ଜଣକୁ ପଚାରିବାରୁ ତାଙ୍କୁ ପୁଲିସ୍ ଏକ କଣକୁ ନେଇ ମାଡମାରିଥିବା ସେ ଅଭିଯୋଗ କରିଛନ୍ତି।
ଦୁଇଟା ଯାକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସ୍ପି। ଅତିରିକ୍ତ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ କରିଛନ୍ତି। ତେବେ କିପରି ଏଭଳି ଅଭାବନୀୟ ଘଟଣା ଘଟିଲା ସେନେଇ ତଦନ୍ତ ପରେ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଏସ୍ପି ମିହିର ପଣ୍ଡା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/puri_1621406891.jpg)