Advertisment

Piyush Tripathy Skips Court Hearing: କୋର୍ଟରେ ହାଜର ହେଲେନି ପୀୟୂଷ; ମଞ୍ଚ ଚଢ଼ିବା ନେଇ ପୁଣି ଝୁଲିଲା ନିଷ୍ପତ୍ତି

କୋର୍ଟରେ ହାଜର ହେଲେନି ପୀୟୂଷ। କି ଆସିଲାନି ରାୟ। ତେଣୁ ମଞ୍ଚ ଚଢ଼ିବା ନେଇ ପୁଣି ଝୁଲନ୍ତା ସ୍ଥିତିରେ ଜଲିଉଡ୍ ବ୍ୟାଡବୟ। ଦୋଦୁଲ୍ୟମାନ ହୋଇ ରହିଲା ଯାତ୍ରା ସୁପରଷ୍ଟାର ପୀୟୂଷଙ୍କ ଅଭିନୟ ନିଷ୍ପତ୍ତି।

Piyush Tripathy Skips Court Hearing

କୋର୍ଟରେ ହାଜର ହେଲେନି ପୀୟୂଷ Photograph: (OTV)

Advertisment

ନୋଟିସ୍ ସତ୍ତ୍ୱେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ଜଳିଉଡ୍ ବ୍ୟାଡ୍‌ବୟ ପୀୟୂଷ ତ୍ରିପାଠୀ। ନିଜ ଓକିଲ ମାଧ୍ୟମରେ ସେ ପକ୍ଷ ରଖିଥିବା ବେଳେ କୋର୍ଟ ବି ଦେଇନାହାନ୍ତି କୌଣସି ରାୟ। ପରବର୍ତ୍ତୀ ଶୁଣାଣି ତାରିଖ ବି ସ୍ଥିର ହୋଇନି। ତେଣେ ପୀୟୂଷଙ୍କ ଓକିଲ କହିଛନ୍ତି- ମୋ ମହକିଲ କୌଣସି ଚୁକ୍ତିରେ ଦସ୍ତଖତ କରି ନାହାନ୍ତି। ଏପଟେ ଖଣ୍ଡିଗିରି ଯାତ୍ରା ମହାସମର ପାଖେଇ ଆସୁଥିବା ବେଳେ ପୀୟୂଷଙ୍କୁ ସେଠୁ ଦୂରେଇ ରଖିବାକୁ ଷଡ଼ଯନ୍ତ୍ର ହେଉଥିବା ଚର୍ଚ୍ଚା ବି ଜୋର ଧରିଛି।

Advertisment

ଏହାସହ ଏଗ୍ରିମେଣ୍ଟ ଉଲ୍ଲଂଘନ ନେଇ ଅପେରା ସୂର୍ଯ୍ୟ ମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁ ଓ ପୀୟୂଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବି ସେଇଠି ଅଟକିଲା। ବଡ଼ କଥା ହେଲା ପୂର୍ବ ନୋଟିସ୍ କ୍ରମେ ଆଜି ଭୁବନେଶ୍ୱର ସିଭିଲ କୋର୍ଟରେ ପୀୟୂଷ ତ୍ରିପାଠୀ ଓ ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀ ବ୍ୟକ୍ତିଗତ ଭାବେ ହାଜର ହେବାର ଥିଲା, କିନ୍ତୁ ଉଭୟେ ନିଜ ଓକିଲ ମାଧ୍ୟମରେ ପକ୍ଷ ରଖିଥିଲେ। 

ପୀୟୂଷଙ୍କ ଓକିଲ କହିଛନ୍ତି- ତାଙ୍କ ମହକିଲଙ୍କ ନାଁରେ ଆସିଥିବା ସବୁ ଅଭିଯୋଗ କପୋଳ କଳ୍ପିତ। ସେ ଅପେରା ସୂର୍ଯ୍ୟମନ୍ଦିର ସହ କୌଣସି ଚୁକ୍ତିନାମାରେ ଦସ୍ତଖତ କରି ନାହାନ୍ତି। ଯେହେତୁ ପୀୟୂଷ ଜଣେ ଲୋକପ୍ରିୟ କଳାକାର, ତେଣୁ ତାଙ୍କୁ ମଞ୍ଚ ଚଢ଼ାଇ ନଦେବାକୁ ନାନା ଉଦ୍ୟମ ହେଉଛି। କିନ୍ତୁ କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ପୀୟୂଷ ମାନିନେବେ। ତେବେ ଏଥିପାଇଁ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ। 

Advertisment

ତେବେ ଏଠି ପ୍ରଶ୍ନ- ସତରେ କଣ ପୀୟୂଷଙ୍କୁ ମଞ୍ଚ ଚଢ଼ାଇ ନଦେବାକୁ ହେଉଛି ଚକ୍ରାନ୍ତ ? ପୀୟୂଷଙ୍କ ଅଭିନୟ ଯାଦୁରୁ ଫ୍ୟାନଙ୍କୁ ବଞ୍ଚିତ କରିବାକୁ ଚାଲିଛି କି ଷଡ଼ଯନ୍ତ୍ର ? ଯେହେତୁ ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା ମହାସମର। ତେଣୁ ଏଥର ଯାତ୍ରା ସିଂହବାହିନୀ, ପୀୟୂଷଙ୍କ ଅଭିନୀତ ନାଟକ ତୁ ମୋ ବଜରଙ୍ଗୀର ସଫଳତାକୁ ନେଇ ଅନେକ ଆଶାବାଦୀ ଅଛି। ହେଲେ ଖଣ୍ଡଗିରି ପେଣ୍ଡାଲଠୁ ପୀୟୂଷଙ୍କୁ ଦୂରେଇ ରଖାଯିବାକୁ ବଡ଼ ଚକ୍ରାନ୍ତ ଚାଲିଥିବା ଚର୍ଚ୍ଚାକୁ ବି ଏଡ଼ାଇ ଯାଇନାହାନ୍ତି ଯାତ୍ରା ପ୍ରେମୀ। 

ତାସହ ମାଲିକ-ମାଲିକ ବିବାଦରେ ଜଣେ କଳାକାର ବଳି ପଡ଼ୁଥିବା କଥାକୁ ବି କେହି ଅସ୍ବୀକାର କରି ନାହାନ୍ତି। ହେଲେ ଗୋଟିଏ ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ କରି ଅନ୍ୟ ଏକ ଯାତ୍ରା ପାର୍ଟିରେ ଅଭିନୟ ଠିକ୍ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ତେଣେ ଯାତ୍ରାପାର୍ଟି ମାଲିକ ବି କହିଲେଣି ବିବାଦ ଯେତେ ଶୀଘ୍ର ସମାଧାନ ହେବ- ସମସ୍ତଙ୍କ ପାଇଁ ଉତ୍ତମ।

Advertisment

ଚୁକ୍ତି ଉଲ୍ଲଂଘନ ବିବାଦ କାରଣରୁ ବର୍ଷେ ପାଇଁ ଯାତ୍ରା ମଞ୍ଚରୁ ବିରତି ନେବାକୁ ଘୋଷଣା କରିଥିଲେ ପୀୟୂଷ ତ୍ରିପାଠୀ। ହେଲେ ହଠାତ୍ ଗଲା ୫ତାରିଖ ରାତିରେ ଚଣ୍ଡିଖୋଲରେ ସେ ମଞ୍ଚ ଚଢିଥିଲେ। ଯାତ୍ରା ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀରେ ଅଭିନୟ କରିଥିଲେ। ଯାହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅପେରା ସୂର୍ଯ୍ୟ ମନ୍ଦିର ମାଲିକ। ତାପରେ ପୀୟୂଷଙ୍କ ପାଖକୁ ମଞ୍ଚ ନଚଢ଼ିବାକୁ ଆସିଥିଲା ନୋଟିସ୍।

Odisha News Controversy Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ