ପଞ୍ଚାୟତ ଭୋଟ୍ ପାଗ ଭିଡ଼ା ପାଇଁ ନେତା ଗାଁ ମୁହାଁ Photograph: (OTV)
ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି। ତା’ପୂର୍ବରୁ କିନ୍ତୁ ରାଜ୍ୟର ୩ ପ୍ରମୁଖ ଦଳର ନେତା ପଞ୍ଚାୟତ ଭୋଟ୍ ପାଇଁ ପାଗ ଭିଡ଼ିଲେଣି। ନେତାଙ୍କଠୁ କର୍ମୀଙ୍କ ଯାଏଁ ଏବେ ଗାଁ ମୁହାଁ। ବଜେଟରୁ ଫାଇଦା ସହ SIR ବିଷୟରେ ବୁଝାଇ ବିଜେପି ନେତା ପଞ୍ଚାୟତର ନାଡ଼ି ମାପିବାକୁ ଥିବାବେଳେ ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଧରି କାଲିଠୁ ବରଗଡ଼ରୁ ଅଭିଯାନ ଆରମ୍ଭ କରିବ ବିଜେଡି। ସେପଟେ ଜିଲ୍ଲା ବୁଲି ସଂଗଠନ ସଜାଡ଼ିବାରେ ଲାଗିଛନ୍ତି ପିସିସି ମୁଖିଆ।
ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ବର୍ଷେ ବାକି। ନେତା ଏବେ ଗାଁ ମୁହାଁ। ରାଜନୈତିକଦଳ ଗୁଡ଼ିକର ପାଗ ଭିଡ଼ା ଆରମ୍ଭ। ଭୋଟ ବ୍ୟାଙ୍କ ସଜାଡ଼ିବା ସହ ପଞ୍ଚାୟତ ସଂଗଠନ ସୁଦୃଢ କରିବାକୁ ଅଧିକ ଗୁରୁତ୍ୱ। ସେହି କ୍ରମରେ ଆସନ୍ତାକାଲି ଠାରୁ ବିଜେଡି ବରଗଡ଼ରୁ ଆରମ୍ଭ କରିବ ଆନ୍ଦୋଳନ। ଚାଷୀ ସମସ୍ୟା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଦଳ ଆସନ୍ତାକାଲି ଠାରୁ ଫେବ୍ରୁଆରୀ ୧୭ ଯାଏ ସବୁ ଜିଲ୍ଲାରେ ଆନ୍ଦୋଳନ କରିବ।
ଏହାପରେ ସରକାରଙ୍କୁ ଚେତାବନୀ ଦେବାକୁ ଭୁବନେଶ୍ବରରେ ବଡ ସମାବେଶ ମଧ୍ୟ କରିବ। କେବଳ ବିରୋଧୀ ବିଜେଡି ନୁହଁ ସରକାରୀ ଦଳ ବିଜେପି ମଧ୍ୟ ଗାଁ ମୁହାଁ। ଗାଁକୁ ଯାଇ ଲୋକଙ୍କୁ SIR ବିଷୟରେ ବୁଝାଇବା ସହ ପଞ୍ଚାୟତ ପଲସ୍ ମାପିବ ଦଳ। ସେହିପରି ମନ୍ତ୍ରୀମାନେ କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରି ନେତା ଓ କର୍ମୀଙ୍କ ସହ ଲୋକଙ୍କୁ ସଚେତନ କରିବେ।
କଂଗ୍ରେସ କିନ୍ତୁ ଏଯାଏଁ କୌଣସି କାର୍ଯ୍ୟକ୍ରମ ଘୋଷଣା କରି ନଥିଲେ ମଧ୍ୟ ପିସିସି ସଭାପତି ବିଭିନ୍ନ ଜିଲ୍ଲା ଗସ୍ତ କରି ସଂଗଠନ ସଜାଡ଼ିବା ଆରମ୍ଭ କରିଛନ୍ତି।
୨୪ ବିପର୍ଯ୍ୟୟ ପରେ ବିଜେଡିରେ ଅସ୍ଥିରତା ଲାଗି ରହିଛି। କିନ୍ତୁ ଦଳ ପାଖରେ ପଞ୍ଚାୟତ ସଂଗଠନ ଏବେବି ରହିଛି। ଯାହାକୁ ଅଧିକ ସଙ୍ଗଠିତ କରିବାକୁ ଚେଷ୍ଟା ଚଳାଇଛି ବିଜୁ ଜନତା ଦଳ। ଅନ୍ୟପଟେ ଶାସନରେ ଥିବା ବିଜେପି ପ୍ରତି ଆକର୍ଷିତ ହୋଇ ଏବେ ପଞ୍ଚାୟତ ପ୍ରତିନିଧି ପଦ୍ମ ଦଳରେ ସାମିଲ୍ ହେଉଛନ୍ତି। ରାଜ୍ୟବ୍ୟାପୀ ପଞ୍ଚାୟତ ପ୍ରତିନିଧିମାନେ ବିଜେପିକୁ ଆସୁଥିବାରୁ ଦଳ ଏବେ ପଞ୍ଚାୟତ ସ୍ତରରେ ଶକ୍ତିଶାଳୀ ହେଉଛି।
ବିଜେପିର ସଠିକ ରଣନୀତି ଦଳକୁ ଅଧିକ ମଜବୁତ କରୁଥିବା ବେଳେ ବିଜେଡି ପାଇଁ ଚାଲେଞ୍ଜ ହେଉଛି ପଞ୍ଚାୟତ ସଂଗଠନକୁ ସୁରକ୍ଷିତ ରଖିବା। ସେପଟେ କଂଗ୍ରେସ ଏବେବି ଅସଜଡା ଘରକୁ ସଜାଡିବାରେ ଲାଗିଛି।
୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ୭୬୬, ବିଜେପି ୪୮ ଓ କଂଗ୍ରେସ ୩୭ ଜିଲ୍ଲା ପରିଷଦ ସିଟ୍ ହାତେଇଥିଲା। ବିଜେଡିକୁ ୫୨.୭୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ୩୦.୦୭ % ଭୋଟ। ଏବେ କିନ୍ତୁ ବଦଳିଛି ରାଜ୍ୟ ରାଜନୀତି। ବିଜେପି ସରକାରରେ ଥିବା ବେଳେ ବିଜେଡ଼ି ବିରୋଧୀ ସିଟରେ। ତେବେ ପଞ୍ଚାୟତ ନିର୍ବାଚନରେ କାହାର ଗ୍ରହଣୀୟତା କେତେ ରହୁଛି ତାହା ଦେଖିବାର କଥା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/odisha-panchayat-elections-2026-2026-02-01-19-47-20.jpg)