OXHEN TANKER
ଭୁବନେଶ୍ୱର: ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ଓଡିଶା ଦେଶର ସଙ୍କଟ ମୋଚକ ସାଜିଥିବାବେଳେ ଓଡିଶା ପୋଲିସ ମଧ୍ୟ ସକ୍ରିୟତାର ସହ ଏହି ଅଭିଯାନକୁ ସଫଳ ରୂପ ଦେବାରେ ଲାଗିଛି। ସୂଚନା ଅନୁସାରେ, ବିଜୟୱାଡ଼ାକୁ ଅକ୍ସିଜେନ ନେଇ ଯାଉଥିବା ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଓଡିଶା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଗନ୍ତବ୍ୟସ୍ଥଳକୁ ଛାଡିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ନିକଟରେ ଏହି ଗାଡିଟି ହଠାତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଅନୁଗୁଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଗାଡିକୁ ଉଦ୍ଧାର କରିବା ସହ ମେକାନିକ ଡକାଇ ଏହାକୁ ଠିକ କରାଇଥିଲେ। ପରେ ସଙ୍ଗେ ସଙ୍ଗେ ଏହାକୁ ବିଜୟୱାଡ଼ାକୁ ପଠାଇଦେଇଥିଲେ।
ପୂର୍ବରୁ ଗତ ୮ ତାରିଖରେ ଅକ୍ସିଜେନ୍ ବୋଝେଇ ଦୁଇଟି ଟ୍ୟାଙ୍କର ହିନ୍ଦୋଳ ଏବଂ ବାଙ୍କି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ହେଲେ ପୋଲିସ ଟିମ ପହଂଚି ଜେସିବି ଓ କ୍ରେନ ଦ୍ୱାରା ଗାଡିକୁ ଉଦ୍ଧାର କରିଥିଲେ। ପରେ ଗାଡିକୁ ମରାମତି କରି ତୁରନ୍ତ ଗନ୍ତବ୍ୟସ୍ଥଳକୁ ପଠାଇଥିଲେ। ଓଡିଶା ପୋଲିସର ସୂଚନା ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ୬୩୩ ଟି ଟ୍ୟାଙ୍କର ପୋଲିସ ନୀରିକ୍ଷଣରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ଦେଶର ୧୨ଟି ରାଜ୍ୟକୁ ପଠାସରିଛି। ଆଇନ ଶୃଙ୍ଖଳା ଏଡିଜି ଜଶୱନ୍ତ ଜେଠୱାଙ୍କ ନେତୃତ୍ୱରେ ଏଥିପାଇଁ ଏକ ସ୍ପେଶାଲ୍ ସେଲ୍ ଗଠନ କରାଯାଇଛି, ଯାହା ଅକ୍ସିଜେନ ପରିବହନଠାରୁ ଯୋଗାଣ ଯାଏଁ ସମସ୍ତ କାର୍ଯ୍ୟର ସଞ୍ଚାଳନା ଦାୟିତ୍ୱ ନେଇଛି।
ତେବେ ଦେଶରେ ଅକ୍ସିଜଜେନର ଗୁରୁତର ସଙ୍କଟ ଭିତରେ ଓଡ଼ିଶାର ବିଭିନ୍ନ ପ୍ଲାଣ୍ଟରୁ ଯୋଗାଇ ଦିଆଯାଉଛି ବିପୁଳ ପରିମାଣର ମେଡିକାଲ ଲିକ୍ୟୁଇଡ୍ ଅକ୍ସିଜେନ୍। ରାଉରକେଲାର ସେଲ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ, ଜେଏସ୍ପିଏଲରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି ମେଡିକାଲ ଅକ୍ସିଜେନ୍। ଏଥିପାଇଁ ଓଡ଼ିଶା ପୋଲିସ୍ ପକ୍ଷରୁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇ କିଭଳି ସ୍ୱଚ୍ଛନ୍ଦରେ ଅକ୍ସିଜେନ୍ ଟ୍ୟାଙ୍କର ଯାଇପାରିବ, ତାର ବ୍ୟବସ୍ଥା କରାଯାଇଛି। ଏପଟେ ସମୟର ଆହ୍ୱାନ କ୍ରମେ ଦେଶର ସମସ୍ତ ଷ୍ଟିଲ କମ୍ପାନୀ ଏବେ ୨୪ ଘଣ୍ଟିଆ ମେଡିକାଲ ଅକ୍ସିଜେନ୍ ପ୍ରସ୍ତୁତିରେ ଲାଗିଥିବାରୁ ଏସବୁ କମ୍ପାନୀକୁ ଧନ୍ୟବାଦ ଜଣାଇସାରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେବଳ ଦିଲ୍ଲୀ କିମ୍ବା ମହାରାଷ୍ଟ୍ର ନୁହେଁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ମଧ୍ୟ ଓଡ଼ିଶା ଅକ୍ସିଜେନ୍ ପଠାଇବା ଆରମ୍ଭ କରିଛି। ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯ଼ୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯ଼ାଇଛି। ଏହାର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ରହିଛନ୍ତି। ତେବେ କହିବାକୁ ଗଲେ ଦେଶରେ ବର୍ତ୍ତମାନ ସମୟରେ ଓଡ଼ିଶା ଅକ୍ସିଜେନ୍ ହବ୍ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/OXHEN-TANKER_1620906930.jpg)