ଓଡ଼ିଶାରୁ ଖାଲି ହେଉଥିବା ୪ ଆସନରେ କିଏ ଯିବେ ରାଜ୍ୟସଭା Photograph: (OTV)
ଓଡ଼ିଶାରୁ ଖାଲି ହେଉଥିବା ୪ ଆସନରେ କିଏ ଯିବେ ରାଜ୍ୟସଭା। ବହୁଚର୍ଚ୍ଚିତ ଚତୁର୍ଥ ଆସନକୁ ନେବ କିଏ। ଓଡ଼ିଶା ସହ ବିଭିନ୍ନ ରାଜ୍ୟର ୩୭ ରାଜ୍ୟସଭା ଆସନ ଲାଗି ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା । ନିର୍ବାଚନୀ ଗଣିତ ଅନୁସାରେ, ଓଡ଼ିଶାରେ ଗୋଟିଏ ସିଟ ଦଖଲ ପାଇଁ ୩୦ ବିଧାୟକଙ୍କ ଭୋଟ ଆବଶ୍ୟକ । ତେବେ ଚତୁର୍ଥ ଆସନକୁ ହାତେଇବାକୁ କିଏ ଆପଣାଇବ କେଉଁ ରଣନୀତି ତାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଆଲୋଚନା।
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆସନ୍ତା ୨୬ରୁ ନାମାଙ୍କନ, ମାର୍ଚ୍ଚ ୧୬ରେ ଭୋଟ୍। କିଏ ହେବେ ପ୍ରାର୍ଥୀ। କାହା ପାଖକୁ ଯିବ ଚତୁର୍ଥ ଆସନ। ନିର୍ବାଚନ କମିଶନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ସରଗରମ ରାଜ୍ୟ ରାଜନୀତି। ଆସନ୍ତା ଏପ୍ରିଲରେ ଖାଲି ହେଉଛି ଓଡିଶା ସମେତ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ । ଓଡ଼ିଶାର ଦୁଇ ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହନ୍ତ ଏବଂ ଦୁଇ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ମୁନ୍ନା ଖାନଙ୍କ ଏପ୍ରିଲ ୨ରେ ସରୁଛି କାର୍ଯ୍ୟକାଳ ।
ତେବେ ଏମାନଙ୍କ ବଦଳରେ କିଏ ଯିବେ ରାଜ୍ୟସଭା। ଶାସକ ବିଜେପିରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଲାଣି। ରେସରେ ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ସମୀର ମହାନ୍ତି, ଗୋଲକ ମହାପାତ୍ର, ବିଶ୍ବେଶ୍ବର ଟୁଡୁ ନାଁକୁ ନେଇ ଆଲୋଚନା ହେଉଛି। ବିଜେପିରୁ ପ୍ରାର୍ଥୀ କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନମୋହନ ।
ସେହିଭଳି ବିଜୁ ଜନତା ଦଳରୁ ସଂତୃପ୍ତ ମିଶ୍ରଙ୍କ ନାଁ ଆଗରେ ରହିଥିବା ବେଳେ ପ୍ରଣବ ପ୍ରକାଶ ଦାସ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ମଧ୍ୟ ଲବି କରୁଥିବା କୁହାଯାଉଛି । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ନାଁକୁ ନେଇ ଦଳ ଭିତରେ ଏବଂ ବାହାରେ ଚର୍ଚ୍ଚା ଲାଗି ରହିଛି । ବିଜେଡି ନେତାଙ୍କ କହିବା ଅନୁସାରେ ଦଳର ରାଜନୈତିକ ବ୍ୟାପାର କମିଟି ଏବଂ ସଂସଦୀୟ ବୋର୍ଡ ଏ ନେଇ ନିଷ୍ପତ୍ତି ନେବ । ଅନ୍ୟପଟେ ସଂଖ୍ୟା ନ ଥିଲେ ବି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।
ରାଜ୍ୟସଭା ନିର୍ବାଚନ ଗଣିତକୁ ଯଦି ଦେଖିବା ତେବେ ଓଡ଼ିଶାର ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୦୦ । ଏଣୁ ଓଡ଼ିଶାର ସମସ୍ତ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ହେଉଛି ୧୪ ହଜାର ୭୦୦ । ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ହେଲେ ନିର୍ଦ୍ଦିଷ୍ଟ ନମ୍ବରର ଭୋଟ ମୂଲ୍ୟ ବା କୋଟା ଦରକାର ହୋଇଥାଏ । ଏହି ଅନୁସାରେ ଫର୍ମୁଲା ହେଉଛି ବିଧାନସଭାର ମୋଟ ଭୋଟ ମୂଲ୍ୟକୁ ଖାଲି ହେଉଥିବା ଆସନ ସହ ୧କୁ ମିଶାଇ ହରଣ କରାଯିବ । ଯେଉଁ ଫଳାଫଳ ହେବ ତାକୁ ପୁଣି ୧ରେ ମିଶାଣ କରାଯିବ । (୧୪୭୦୦ / ୪ +୧)+ ୧ = ୨୯୪୧ ।
ଏହା ହେଲେ ଏଥର ଓଡ଼ିଶାରୁ ରାଜ୍ୟସଭା ଯିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଦରକାର ମ୍ୟାଜିକ ନମ୍ବର ୩୦ । ଅର୍ଥାତ୍ ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ହେଲେ ୩୦ ବିଧାୟକଙ୍କ ଭୋଟ ଆବଶ୍ୟକ । ଏହି ହିସାବକୁ ଦେଖିଲେ ୪ଟି ଆସନରୁ ବିଜେପି ୨ଟି ଏବଂ ଗୋଟିଏ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ ଅନ୍ୟ ଗୋଟିଏ ଆସନ ଲାଗି କାହା ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଣୁ ଏହି ସିଟକୁ ହାତେଇବାକୁ ଶାସକ ଦଳ ବିଜେପି ସବୁ ରଣନୀତି ଆପଣାଇ ପାରେ । ଏପରିକି ଚତୁର୍ଥ ଆସନରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି ।
ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁସାରେ ଫେବୃଆରୀ ୨୬ରେ ବିଜ୍ଞପ୍ତି, ମାର୍ଚ୍ଚ ୫ରେ ନାମାଙ୍କନ ଶେଷ ତାରିଖ ଥିବା ବେଳେ ୬ରେ ନାମାଙ୍କନ ଯାଞ୍ଚ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ଆଉ ଦରକାର ପଡ଼ିଲେ ମାର୍ଚ୍ଚ ୧୬ରେ ଭୋଟ ପଡିବା ସହ ଗଣତି ହେବ । ପୁରା ପ୍ରକ୍ରିୟାକୁ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/odisha-rajya-sabha-race-heats-2026-02-18-20-30-52.jpg)