Advertisment

Odisha Tourism Policy 2026 : ପର୍ଯ୍ୟଟନ ନିବେଶର ଡେଷ୍ଟିନେସନ ପାଲଟିଛି ଓଡ଼ିଶା, ରହିଛି ସରକାରଙ୍କ ଫୋକସ୍‌ରେ

ପର୍ଯ୍ୟଟନ ନିବେଶର ଡେଷ୍ଟିନେସନ ପାଲଟିଛି ଓଡ଼ିଶା । ଆହୁରି ପ୍ରୋତ୍ସାହନ ଦେବେ ସରକାର । ପର୍ଯ୍ୟଟକଙ୍କୁ ମିଳିବ ରାଜ୍ୟର ସମୃଦ୍ଧ ସାସ୍କୃତିକ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭବ । ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି- ୨୦୨୬ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

odisha-tourism
Advertisment

ଯେବେ ବି ପର୍ଯ୍ୟଟନ ସ୍ଥଳର କଥା ଆସେ ସେବେ ଆମ ରାଜ୍ୟ ଓଡ଼ିଶାର ନାମ ଆପେ ଆପେ ଆଗକୁ ଆସିଯାଏ।  ଶ୍ରୀମନ୍ଦିର ହେଉ ବା ମା' ସମଲେଶ୍ବରୀଙ୍କ ଶକ୍ତି ପୀଠ ହେଉ, କୋଣାର୍କରେ ଖୋଦିତ ଭାସ୍କର୍ଯ୍ୟ ହେଉ ବା ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ହେଉ, ସୌନ୍ଦର୍ଯ୍ୟମୟୀ ଚିଲିକା ହେଉ ବା ଶିମିଳିପାଳ, ବେଳାଭୂମି ହେଉ ବା ସ୍ମାରକୀ’ ଏ ସମସ୍ତକୁ ନେଇ ଓଡ଼ିଶା, ସମଗ୍ର ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିଛି। 

Advertisment

ତେବେ ବର୍ତ୍ତମାନର ପରିସ୍ଥିତିରେ ଓଡ଼ିଶା ସରକାର ପର୍ଯ୍ୟଟନ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି ପର୍ଯ୍ୟଟନକୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଆଧାର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । 

ବ୍ୟାବସାୟିକ ସହଜତାକୁ ଉନ୍ନତ କରିବା ଏବଂ ଅଧିକ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ସଂଶୋଧିତ ପର୍ଯ୍ୟଟନ ନୀତିରେ ୩ ତାରକା ଏବଂ ତାଠୁ ଅଧିକ ହୋଟେଲ ଓ ରିସର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ କୋଠରୀରୁ ୧୦ କୋଠରୀକୁ ହ୍ରାସ କରାଯାଇଛି।  ଏଥିସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ୟୁନିଟ ଗୁଡିକର ସହଜ ଓ ଦ୍ରୁତ ସମ୍ପ୍ରସାରଣ ପାଇଁ ଯୋଗ୍ୟତା ସୀମା ୫୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। 

Advertisment

କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ପୁଞ୍ଜି ନିବେଶ ସବସିଡିକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ୨୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୫୦ କୋଟି ପର୍ଯ୍ୟନ୍ତ ସବସିଡି ଏବଂ ୨୦୦ କୋଟି କିମ୍ବା ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ୧୦୦ କୋଟି ପର୍ଯ୍ୟନ୍ତ ସରକାର ରିହାତି ପ୍ରଦାନ କରିବେ। 

ଓଡ଼ିଶାରେ ରହିଛି ଅଧିକ ସମ୍ଭାବନା

ହୀରାକୁଦ,ସାତକୋଶିଆ, ଶିମିଳିପାଳ, ରତ୍ନଗିରି-ଉଦୟଗିରି-ଲଳିତଗିରି ଏବଂ ଭିତରକନିକା ଭଳି ଉଚ୍ଚ ସମ୍ଭାବନା ଥିବା ପର୍ଯ୍ୟଟନସ୍ଥଳୀ ଏବଂ ଚିଲିକା, କୋରାପୁଟ, ବଲାଙ୍ଗୀର, କନ୍ଧମାଳ ଓ ଗଜପତିର ସ୍ବତନ୍ତ୍ର ଜୋନରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଦିବ୍ୟାଙ୍ଗ ଉଦ୍ୟୋଗୀଙ୍କୁ ଅଧିକ ରିହାତି ମିଳିବ। ୧୦୦ କୋଟି ପର୍ଯ୍ୟନ୍ତ ନିବେଶ ପାଇଁ ୬୦ କୋଟି ପର୍ଯ୍ୟନ୍ତ ଏବଂ ୨୦୦ କୋଟି କିମ୍ବା ଉର୍ଦ୍ଧ୍ବ ପ୍ରକଳ୍ପକୁ ୧୨୦ କୋଟି ପର୍ଯ୍ୟନ୍ତ ରିହାତି ସରକାର ଦେବେ । 

Advertisment

ଏଥି ସହିତ  ଉଦୀୟମାନ ପର୍ଯ୍ୟଟନ କ୍ଷେତ୍ର ପାଇଁ ଲକ୍ଷ୍ୟଯୁକ୍ତ ସବସିଡି ବ୍ୟବସ୍ଥା କରାଯାଇଛି। ସଂଗ୍ରହାଳୟ ଓ ଐତିହ୍ୟ ସମ୍ପତ୍ତି ପାଇଁ ୪୦ ପ୍ରତିଶତ ପର୍ଯ୍ୟନ୍ତ ପୁଂଜି ରିହାତି ଏବଂ ବୈଦ୍ୟୁତ୍ୟିକ ଡଙ୍ଗା, ବୈଦ୍ୟୁତ୍ୟିକ କାରାଭାନ ଏବଂ ହସ୍ତକଳା ବିଷୟବସ୍ତୁ କମ୍ପ୍ଲ୍କେକ୍ସ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଂଜି ରିହାତି ଦିଆଯିବ।

ରାଜ୍ୟରେ ପର୍ଯ୍ୟଟନ  ଚାହିଦାକୁ ବୃଦ୍ଧି କରିବା ପାଇଁ ଡେଷ୍ଟିନେସନ ଓ୍ବେଡିଂ, ଲଗଜରୀ କ୍ୟାମ୍ପିଂ ଭଳି ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ପ୍ରୋତ୍ସାହନ ଦେବେ ସରକାର। ପର୍ଯ୍ୟଟନ ବିଭାଗ ଦ୍ବାରା ଅଧିସୂଚିତ ପର୍ଯ୍ୟଟନସ୍ଥଳୀ, ଓଡିଶା ମଧ୍ୟରେ ଏବଂ ରାଜ୍ୟ ବାହାରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଏହି ପାଞ୍ଚଟି ମେଟ୍ରୋ ସହର ସହ  ଆଗ୍ରା, ବାରାଣାସୀ, ଗୋଆ, କୋଚି ଏବଂ ଜୟପୁରରେ ଓଡିଶା ଖାଦ୍ୟର ପ୍ରଚାର-ପ୍ରସାର ପାଇଁ  ସହାୟତା ଦିଆଯିବ। ଏଥିସହିତ ପର୍ଯ୍ୟଟନ ସେବା ପ୍ରଦାନକାରୀ ଏବଂ ହୋମଷ୍ଟେ ମାଲିକଙ୍କୁ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟନ ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଯୋଗଦେବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ।

Tourism Odisha Tourism Odisha Tourism Minister Odisha Tourism Department Odisha Tourism Growth
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ