Debasis Panigrahi
ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଜୁନ ୮ ତାରିଖରେ ଦେବାଶିଷ ପାଣିଗ୍ରାହୀଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ସ୍ପେଶାଲ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ବିମାନ ବନ୍ଦର ଅଣାଯାଇଥିଲା। ଏଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଥିଲା।
ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁ ସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ମଧ୍ୟ ଥିଲେ। ୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବା ପରେ ୧୯୯୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। ଚାକିରି ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍ପି ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ), ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ।
ପୋଲିସ ବିଭାଗରେ କାର୍ଯ୍ୟ କରିବା ସହିତ ସାହିତ୍ୟରେ ଦେବାଶିଷ ପାଣିଗ୍ରାହୀଙ୍କର ସ୍ୱତନ୍ତ୍ର ରୁଚି ଥିଲା। ସେ ଜଣେ ଭଲ ଦ୍ୱିଭାଷୀ ସାହିତ୍ୟିକ ଥିଲେ। ସେ ଇଂରାଜୀ ଓ ଓଡ଼ିଆରେ ୯ଟି କ୍ଷୁଦ୍ରଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଗୀତି କବିତା ରଚନା କରିଛନ୍ତି। ତାଙ୍କର କ୍ଷୁଦ୍ର ଗଳ୍ପକୁ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ରେ ଅନୁବାଦ କରାଯାଇଛି। ୨୦୦୨ରେ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କେବଳ ଏତିକି ନୁହେଁ ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସହ ମିଶି ସେ ଓଡ଼ିଆ ଲିଟରେଚର ଫେଷ୍ଟିଭାଲର ଆରମ୍ଭ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ebasis_1624087675.jpg)