Advertisment

Odisha CM Mohan Majhi launches Kanya Bibaha Yojana: ଆଜିଠୁ ଗରୀବ ଝିଅଙ୍କ ବିବାହ ସ୍ୱପ୍ନ ପୂରଣ, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ

ଆଜିଠୁ ଗରୀବ ଝିଅଙ୍କ ବିବାହ ସ୍ୱପ୍ନ ପୂରଣ। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାର ଶୁଭାରମ୍ଭ କଲେ ସିଏମ୍। ଗଞ୍ଜାମ ତାରାତାରିଣୀ ପୀଠରେ ୨୦୧ ଯୋଡ଼ା ଦମ୍ପତ୍ତିଙ୍କ ଗଣ ବିବାହ। ନିଜେ କର୍ତ୍ତା ସାଜି ବିବାହ କରାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କନ୍ୟାଙ୍କୁ DBTରେ ଦେଲେ ୪୫ ହଜାର ଲେଖାଏଁ ଆର୍ଥିକ ସହାୟତା।

Odisha CM Mohan Majhi launches Kanya Bibaha Yojana

ଆଜିଠୁ ଗରୀବ ଝିଅଙ୍କ ବିବାହ ସ୍ୱପ୍ନ ପୂରଣ Photograph: (OTV)

Advertisment

କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ, ହିତାଧିକାରୀ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ଦେଲେ। ଗଞ୍ଜାମରେ ମା’ ତାରାତାରିଣୀଙ୍କ ପୀଠରେ ୨୦୧ ଦମ୍ପତ୍ତିଙ୍କ ସମୂହ ବିବାହ କରାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ସିଏମ୍ ମୋହନ ମାଝୀ। ତା’ସହ ବାପା-ଭାଇର ଭୂମିକା ବି ନିର୍ବାହ କରିଛନ୍ତି ନିଜେ। ଏହି ଅବସରରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ପାରମ୍ପରିକ ବେଶ ପୋଷାକ ପିନ୍ଧି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଯୋଜନାରେ ସଂପୃକ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର କନ୍ୟାଙ୍କୁ ୬୦ ହଜାର ଟଙ୍କାର ମୋଟ୍ ଆର୍ଥିକ ସହାୟତାରୁ ଡିବିଟି ମାଧ୍ୟମରେ ୪୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

Advertisment

ପୁରୋହିତଙ୍କ ମନ୍ତ୍ରପାଠରେ କମ୍ପୁଥିଲା ସାରା ପରିବେଶ... ବାଜୁଥିଲା ଯୋଡ଼ି ନାଗରା... କାହା ଆଖିରେ ଥିଲା ଆଖିଏ ସ୍ୱପ୍ନ ତ ଆଉ କାହା ମନରେ ଜୀବନର ନୂଆ ଅଧ୍ୟାୟକୁ ନେଇ ନୂଆ ଆଶା ସଞ୍ଚାର ହେଉଥିଲା। ତାହାରି ଭିତରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ବରଣ ମାଳା ପିନ୍ଧାଇ କରିନେଉଥିଲେ ଜୀବନ ସାଥୀ। ତା’ସହ ଜମିଥିଲା କଉଡ଼ି ଖେଳ। 

ଗଞ୍ଜାମର ମା’ତାରାତାରିଣୀଙ୍କ ପୀଠରେ ଏଭଳି ଗଣବିବାହର ଜମିଥିଲା ଆସର। ଅବସର ଥିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ୨୦୧ ଯୋଡ଼ା ଦମ୍ପତ୍ତିଙ୍କୁ ଗଣବିବାହ କରାଇ ଯୋଜନାର ଶୁଭାରମ୍ଭ ସହ ଆଶିର୍ବାଦ ପ୍ରଦାନ କରିଛନ୍ତି। ତା’ସହ ଯୋଜନା ମୂତାବକ ୬୦ ହଜାର ଟଙ୍କା ମଧ୍ୟରୁ ଡିବିଟି ମାଧ୍ୟମରେ ୪୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ନବବିବାହିତା କନ୍ୟାଙ୍କୁ। 

Advertisment

ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଗରୀବ ଝିଅଟିଏକୁ ଯେପରି ବିବାହଜନିତ ଆର୍ଥିକ ବୋଝ ପଡ଼ିବନି,ଏହି ଯୋଜନା ସହାୟକ ହେବ। ତା’ସହ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥାର ବିଲୋପ ଘଟିବ। 

ଗରୀବ ପରିବାର ଝିଅଟିଏକୁ ହାତକୁ ଦି’ହାତ କରି ଜୀବନ ସାଥୀ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଯୋଜନାର ହିତାଧିକାରୀ ହେବା ପାଇଁ ଆବେଦନକାରିଣୀଙ୍କ ବୟସ ୧୮ରୁ ୩୫ ବର୍ଷ ଏବଂ ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଦରକାର। ଆର୍ଥିକ ସ୍ୱଚ୍ଛଳ ନଥିବା ପରିବାରର କେବଳ ଜଣେ ଝିଅ ହିଁ ଯୋଜନା ପାଇଁ ଯୋଗ୍ୟା ହେବେ। ବିଧବା ହୋଇଥିଲେ ବି ଆବେଦନ କରିପାରିବେ। 

Advertisment

ଆବେଦନ ପାଇଁ ଜାତିଗତ ପ୍ରମାଣପତ୍ର, ଆଧାରକାର୍ଡ, ଇନକମ୍ ସାର୍ଟିଫିକେଟ୍, ବିଧବା ହୋଇଥିଲେ ସ୍ୱାମୀଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଆଦି ଦରକାର। ଆବେଦନକାରୀ ଯୁବତୀ କିମ୍ବା ମହିଳା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଦରକାର। ବ୍ଲକ ଓ ଜିଲ୍ଲାସ୍ତରରେ ପ୍ରଥମେ ସର୍ଟଲିଷ୍ଟ ପରେ ଏକ ସ୍ୱତନ୍ତ୍ର ଏଜେନସୀ ଆୟୋଜନ କରିବ ଗଣବିବାହ। 

ସରକାର ବିବାହ ପଞ୍ଜିକରଣ ପରେ ୬୦ ହଜାର ଟଙ୍କା ଭିତରୁ ୪୫ ହଜାର ଟଙ୍କା ସିଧାସଳଖ ନବ ବିବାହିତାଙ୍କ ଆକାଉଣ୍ଟକୁ ଯିବ। ବଳକା ୧୫ ହଜାର ଟଙ୍କା ସମୂହ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହେବ। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୫-୨୬ରୁ ୨୦୨୯-୩୦ ଯାଏଁ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏଥିପାଇଁ ବଜେଟରେ ରହିଛି ୫୯ କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ। 

ଓଡ଼ିଶା ବ୍ୟତୀତ ଏଭଳି କନ୍ୟା ବିବାହ ଯୋଜନା ଅନ୍ୟାନ୍ୟ ରାଜ୍ୟରେ ବି ଭିନ୍ନ ଭିନ୍ନ ଢ଼ାଞ୍ଚାରେ ପ୍ରଚଳିତ ହେଉଛି। ଉତ୍ତରପ୍ରଦେଶରେ ୧ ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଧ୍ୟପ୍ରଦେଶରେ ୫୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ରାଜସ୍ଥାନରେ ଅନୁସୂଚିତ ଜାତିରେ ବିବାହ କଲେ ଅନ୍ୟ ଜାତିର ପୁଅ କିମ୍ବା ଝିଅଙ୍କୁ ମିଳୁଛି ୧୦ ଲକ୍ଷ ଟଙ୍କା। ତାମିଲନାଡୁରେ ଶିକ୍ଷାଗତ ଯୋଗ୍ୟତା ଆଧାରରେ ୮ ଗ୍ରାମ ଓଜନର ୨୨ କ୍ୟାରେଟ୍ ସୁନା କଏନ୍ ସହ ୨୫ରୁ ୫୦ ହଜାର ଯାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

odisha cm mohan charan majhi Mohan Charan Majhi Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ