Advertisment

Nuapada Votes Peacefully: ଶାନ୍ତିଶୃଙ୍ଖଳାର ସହ ନୂଆ ବିଧାୟକ ବାଛିଲା ନୂଆପଡ଼ା, ରାତି ୭ଟା ସୁଦ୍ଧା ରେକର୍ଡ ୭୭.୯୩ ପ୍ରତିଶତ ଭୋଟ୍

ମାଓ ଇଲାକା ସୁନାବେଡ଼ା ହେଉ କିମ୍ବା ବ୍ୟାବସାୟିକ ପେଣ୍ଠ ଖରିଆର ରୋଡ୍। ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା।

NUAPADA-JANADESH

NUAPADA-JANADESH Photograph: (OTV)

Advertisment

ନା କେଉଁଠି ହିଂସା, ନା କେଉଁଠି ଗଣ୍ଡଗୋଳ। କାଁ ଭାଁ ତୁତୁ ମେଁମେଁକୁ ଛାଡ଼ିଦେଲେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସରିଛି ନୂଆପଡ଼ା ଉପ ନିର୍ବାଚନ ପାଇଁ ମତଦାନ। ମାଓ ଇଲାକା ସୁନାବେଡ଼ା ହେଉ କିମ୍ବା ବ୍ୟାବସାୟିକ ପେଣ୍ଠ ଖରିଆର ରୋଡ୍। ସବୁଠି ବେଶ୍ ଉତ୍ସାହର ସହ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି ଜିଲ୍ଲାର ୨ ଲକ୍ଷ ୫୩ ହଜାରରୁ ଅଧିକ ମତଦାତା। ଜନତା ଜନାର୍ଦ୍ଦନ ଭାଗ୍ୟ ନିର୍ଦ୍ଧାରଣ କରିବା ପରେ EVMରେ ସିଲ୍ ହୋଇଛି ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ସଂଧ୍ୟା ୭ଟା ସୁଦ୍ଧା ମତଦାନ ଥିଲା ୭୭.୯୩ ପ୍ରତିଶତ।...

Advertisment

ମନରେ ଥିଲା ଅଜସ୍ର ଉତ୍କଣ୍ଠା...ନେତା ବାଛିବା ପାଇଁ ପ୍ରବଳ ଉତ୍ସାହ ସହ ଆବେଗ ବି କାହିଁରେ କେତେ ଥିଲା...ଶୀତୁଆ ସକାଳରେ ବାରି ହେଉଥିଲା ନିର୍ବାଚନୀ ଉଷ୍ମତା...ଆଉ ତାହାରି ଭିତରେ ଆରମ୍ଭ ହୋଇଥିଲା ମତଦାନର ପର୍ବ। ନା ଥିଲା ଲାଲବାହିନୀ ପ୍ରତି ଭୟ...ନା ପରିଣତ ବୟସ ପ୍ରତି ଥିଲା ପରବାୟ...ଏଇ ଯେମିତି ୮୪ ବର୍ଷୀୟ ବୃଦ୍ଧା। ନାଁ ତାଙ୍କର ପୁଷ୍ପା। ଖରିଆର୍ ରୋଡ୍ ସରକାରୀ ବାଳିକା ବିଦ୍ୟାଳୟରେ ଥିବା ମତଦାନ କେନ୍ଦ୍ରକୁ ଆସି ସାବ୍ୟସ୍ତ କରିଛନ୍ତି ନିଜର ଗଣତାନ୍ତ୍ରିକ ଅଧିକାର। କେବଳ ସେ ନୁହଁନ୍ତି, ଶତାୟୁ ହେବାକୁ ଆଉ ମାତ୍ର ୨ ବର୍ଷ ବାକିଥିବା  ଜ୍ଞାନେଶ୍ବର। 

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜ ମନ ପସନ୍ଦର ନେତା ବାଛିବାକୁ ଶିଖର ଛୁଇଁଥିଲା ତାଙ୍କର ଆଗ୍ରହ। ତାଙ୍କ ଭଳି ଏମିତି ଅନେକ ପରିଣତ ବୟସରେ ମତଦାତା ନିଜେ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ନିଜ ନିଜ ଇଲାକାର ବୁଥରେ। 

Advertisment

କେବଳ ବୟସ୍କ ନୁହଁନ୍ତି, ମତଦାନର ଉତ୍ସବରେ ନବାଗତଙ୍କ ଉତ୍ସାହ ବି ବାରି ହେଉଥିଲା। ମନରେ ଅଜସ୍ର ଉତ୍କଣ୍ଠା ଆଉ ଆବେଗ ଭିତରେ ପ୍ରଥମ ଥର ପାଇଁ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ଯୁବ ଭୋଟର। ନୂଆପଡ଼ା ଅଞ୍ଚଳର ବିକାଶ ଏବଂ ଭବିଷ୍ୟତକୁ ଆଖିରେ ରଖି ଅଙ୍ଗୁଳିରେ କାଳି ଲଗାଇ, ଇଭିଏମ ମେସିନରେ ବଟନ ଦବାଇ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିଛନ୍ତି। 

ବାପା ରାଜୁ ଢୋଲକିଆଙ୍କ ଦେହାନ୍ତ ପରେ ପ୍ରଥମ ଥର ପାଇଁ ବିଜେପିରୁ ନିଜ ଭାଗ୍ୟ ପରୀକ୍ଷା କରିଥିବା ପୁଅ ଜୟ ଆଜି ମତଦାନ କେନ୍ଦ୍ରକୁ ଯିବା ଆଗରୁ ପତ୍ନୀଙ୍କ ସହ କରିଥିଲେ ଏଭଳି ପୂଜା ପାଠ। ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ମତଦାନ କେନ୍ଦ୍ରରେ ମତଦାନ କରିଥିଲେ। ତେବେ ୩ ପ୍ରମୁଖ ପ୍ରାର୍ଥୀଙ୍କ ଆଶା, ନିଜ ନିଜର ବିଜୟକୁ ନେଇ।

Advertisment

କଡ଼ା ସୁରକ୍ଷା ବ୍ୟବସ୍ଥା

ମତଦାନକୁ ଅବାଧ, ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ଥିଲା ସବୁଠୁ ବଡ଼ ଚାଲେଞ୍ଜ। ମାଓ ପ୍ରଭାବିତ ସୁନାବେଡ଼ାର ୮ଟି ବୁଥ୍ ଥିଲା ଅତି ସମ୍ବେଦନଶୀଳ। ତେଣୁ ସାରା ଇଲାକାକୁ ଘେରି ରହିଥିଲେ SOG କମାଣ୍ଡାଣ୍ଟଙ୍କ ସହ CRPF। ଆଉ ଠିକ୍ ଅପରାହ୍ନ ୪ଟାରେ ସୁରୁଖୁରୁରେ ମତଦାନ ସରିବା ପରେ EVM ସହ ପୋଲିଂ ପାର୍ଟିକୁ ଧରି ବାୟୁସେନାର ହେଲିକପଟର ପହଞ୍ଚିଥିଲା ଗୋତମା ଏୟାରଷ୍ଟ୍ରିପ୍। ସେଠାରୁ ନିଆଯାଇଥିଲା ଷ୍ଟ୍ରଙ୍ଗ ରୁମକୁ। ତେବେ ମତଦାନବେଳେ କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଦେଖାଇଥିଲା ସାମାନ୍ୟ ତୁତୁ ମେଁମେଁ। କିନ୍ତୁ କୌଣସି ପ୍ରଭାବ ପକାଇନି ମତଦାନ ପ୍ରକ୍ରିୟାକୁ।

୮୦ ଏବଂ ୨୯୮ ନମ୍ବର ବୁଥରେ VVPATରେ ସମସ୍ୟା ଯୋଗୁ ବଦଳାଯାଇଥିଲା। ୨୫୦ ନମ୍ବର ବୁଥରେ ଗୋଟିଏ ବଟନ୍ ଦବାଇଲେ ଆଉ ଗୋଟେ ଚିହ୍ନକୁ ଭୋଟ୍ ଯିବା ଘଟଣା ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି CEO। ସେହିପରି ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସିନାପାଲି ୪୬ ନଂ ବୁଥର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁ ଏବଂ କୁଳିଆବନ୍ଧ ୩୬ ନଂ ବୁଥର ଧନଞ୍ଜୟ ମଲ୍ଲିକଙ୍କୁ ସସପେଣ୍ଡ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ନୂଆପଡ଼ାର ପ୍ରାୟ ୨ ଲକ୍ଷ ୫୩ ହଜାର ଭୋଟର୍ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିବାବେଳେ ଏବେ ଅପେକ୍ଷା ଆସନ୍ତା ୧୪ ତାରିଖକୁ। ଯେଉଁଦିନ EVM ସହ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ।... 

BJD BJP Congress nuapada byelection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ