Bhubaneswar
ଭୁବନେଶ୍ୱର: ୭୦ ବର୍ଷର ମାଆକୁ ପଚାରିଲାନି ପୁଅ। କୋଭିଡ୍ ଟିକା ପାଇଁ ମାଆକୁ ଆଧାର କାର୍ଡ ଦେଲା ନାହିଁ ଓଲଟି ହିନସ୍ତା କଲା। ଶେଷରେ ପୁଅ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମାଆ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚକେଇସିଆଣି ଅଞ୍ଚଳରେ। ଗୋଲାପ ମିଶ୍ର ନାମକ ଜଣେ ମହିଳା ତାଙ୍କ ପୁଅ ବିରୋଧରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଆଧାର କାର୍ଡ ନେବା ପାଇଁ ପୁଅ ତାଙ୍କୁ ଘରେ ପୁରାଉନଥିବା ମହିଳା ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ତଳେ ଗୋଲାପଙ୍କୁ ତାଙ୍କର ଦୁଇ ପୁଅ ଘରୁ ବହାର କରିଦେଇଥିଲେ। ସେବେଠାରୁ ଢେଙ୍କାନାଳରେ ନିଜ ଝିଅ ଘରେ ରହିଆସୁଛନ୍ତି ଗୋଲାପ।
କରୋନା ଟିକା ନେବା ପାଇଁ ଆଧାର କାର୍ଡ ଆବଶ୍ୟକ ପଡ଼ିବାରୁ ସେ କାର୍ଡ ନେବା ପାଇଁ ଭୁବନେଶ୍ୱର ଚକେଇସିଆଣି ସ୍ଥିତ ନିଜ ଘରକୁ ଆସିଥିଲେ। ମାତ୍ର ପୁଅ ଘରେ ପଶାଇ ଦେଉନଥିବା ମହିଳା ଅଭିଯୋଗ କରିଛନ୍ତି। ତେବେ ମାଙ୍କ ଅଭିଯୋଗକୁ ନେଇ ପୁଅ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ପୋଲିସ ଦୁଇ ପକ୍ଷଙ୍କୁ ଡାକି ଆଲୋଚନା କରିଛି।
ସେପଟେ ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି। ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ ଗଲାବେଳକୁ ପ୍ରଥମ ଡୋଜର ପ୍ରମାଣ ମଗାଯାଉଛି। ହେଲେ ଏହାର ପଂଜୀକରଣ ହୋଇ ନ ଥିବାରୁ ଲୋକେ ନାଁ ପ୍ରମାଣ ଦେଇପାରୁଛନ୍ତି, ନା ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମିଳୁଛି।
ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅମରା ଓ ଡାଳିମ୍ବପୁର ଗାଁର ପ୍ରାୟ ୧୩୦ ଜଣ। ଏମାନଙ୍କ ବୟସ ୪୫ରୁ ଅଧିକ। ମାର୍ଚ୍ଚ ୨୫ରେ ସେମାନେ କରୋନାର ପ୍ରଥମ ଡୋଜ୍ ଟିକା ନେଇଥିଲେ। ସେତେବେଳେ ଆଧାରକାର୍ଡ କପି ଓ ମୋବାଇଲ ନମ୍ବର ବି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ଡୋଜ୍ ନେଇଥିବାର ମେସେଜ ସେମାନଙ୍କୁ ଆସି ନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଏପଟେ, ରାଜ୍ୟରେ ପୁଣି ରେକର୍ଡ଼ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୨୩୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wfrtheyj_1620986662.jpg)