Arun Sahoo Photograph: (OTV)
ବିଜେଡିର ପୋଲ୍ ଖୋଲିଲା ଅରୁଣଙ୍କ 'ପୀଡା'। କେମିତି ଗତ ୨୫ ବର୍ଷରେ ଦୁର୍ନୀତି ବଢିଥିଲା ତାକୁ ନିଜ ବହି ପୀଡାରେ ଉଲ୍ଲେଖ କରିଛନ୍ତି ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ। ଖାଲି ସେତିକି ନୁହେଁ ଓଡିଆ ଭାଷା ଗୁରୁତ୍ବ ହରାଇବା ଅପମାନ ଜନକ କହି ଟାର୍ଗେଟ କରିଛନ୍ତି ତତ୍କାଳୀନ ବିଜେଡି ସରକାରର ଅଣଓଡିଆ ଶାସନକୁ।
ସେହିପରି ସ୍ଥିର ସରକାର ସତ୍ତ୍ବେ ଓଡିଶା କାହିଁକି ଅସଜଡା ରହିଗଲା ତାକୁ ନେଇ ବି ଉଦବେଗ ପ୍ରକାଶ କରିଛନ୍ତି। ଅରୁଣଙ୍କ ଏହି ବହି କୁ ନେଇ ବିଜେଡି ରାଜନୀତି ସରଗରମ।...
ଚର୍ଚ୍ଚାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ବହି ‘ପୀଡ଼ା’। ସାହିତ୍ୟ ମାଧ୍ୟମରେ ପୁଣି ଅରୁଣ ଖୋଲିଲେ ବିଜେଡି ଗୁମର। ୨୪ ବର୍ଷ ଶାସନ ବ୍ୟବସ୍ଥାକୁ ନେଇ ଉଠାଇଲେ ପ୍ରଶ୍ନ। ‘ସାଇତା ସତ’ ପରେ 'ପୀଡ଼ା' ବହି ଜରିଆରେ ନିଜ ମନର ବେଦନାକୁ ଓ ବିଦ୍ରୋହକୁ ପରିପ୍ରକାଶ କରିଛନ୍ତି ଅରୁଣ।...
ଗତକାଲି ଭୁବନେଶ୍ବରରେ ନିଜ ପୁସ୍ତକ ପୀଡାକୁ ଲୋକର୍ପିତ କରିଛନ୍ତି। ତେବେ ବହିରେ ଯାହା ସେ ଉଲ୍ଲେଖ କରିଛନ୍ତି ତାହା ସିଧା ସିଧା ଅଣ ଓଡିଆ ରାଜ୍ କୁ ପରୋକ୍ଷରେ ଟାର୍ଗେଟ କରୁଛି। ଅରୁଣ ଲେଖିଛନ୍ତି, ୨୦୦୦ ରୁ ୨୦୨୫ ଭିତରେ ଓଡିଶାରେ ଦୁର୍ନୀତି ଅସ୍ଥିମଜାଗତ ହୋଇଗଲା। ଯେଉଁଥିପାଇଁ ଓଡିଶା ଆଜି ପଛରେ।
ଏହା ହିଁ ଅପମାନଜନକ
ସେହିପରି ଓଡ଼ିଆ ପଢି ନଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନଜନକ କଥା କିଛି ନାହିଁ। କାହା ଉଦ୍ଦେଶ୍ୟରେ ଅରୁଣ ଏହି ପ୍ରସଙ୍ଗଟିକୁ ଲେଖିଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଜୋରଦାର ଆଲୋଚନା । ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ଓଡ଼ିଆ ପଢି ପାରୁ ନଥିବା କି କହି ପାରୁ ନଥିବା ପ୍ରସଙ୍ଗକୁ ପରୋକ୍ଷରେ ଅରୁଣ ଉଲ୍ଲେଖ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ ନୂଆପଡା ପ୍ରସଙ୍ଗ ଉଠାଇ ପରୋକ୍ଷରେ ନବୀନଙ୍କୁ ବି କଟାକ୍ଷ କରିଛନ୍ତି। ଲେଖିଛନ୍ତି ଦୁର୍ନୀତି, ଦୁର୍ଗତି, ପଶ୍ଚାତ୍ ଗତି ପାଇଁ ଦାୟୀ କିଏ ? କାହିଁକି ଆମେ ପ୍ରଗତିର ଚରମ ଶିଖରରେ ପହଞ୍ଚି ନାହୁଁ ? ଏତେ ବର୍ଷ ର ଶାସନ ଭିତରେ କାହିଁକି ଆମେ ସବୁ କିଛି ସଜାଡ଼ି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ।...
୨୦୨୪ ବିପର୍ଯ୍ୟୟ ପରେ ଅରୁଣ କେତେ ବେଳେ ସଭା ସମିତି ଭାଷଣ ମାଧ୍ୟମରେ ତ ଆଉ କେତେବେଳେ ସାହିତ୍ୟ ମାଧ୍ୟମରେ ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଆସୁଛନ୍ତି। ଅଣଓଡିଆ ଶାସନ କଥା କହି ନବୀନ-ପାଣ୍ଡିଆନ ଯୋଡିକୁ ବି ନିଶାନା କରିଛନ୍ତି। ତେବେ ଅରୁଣ ନିଜର ନୂଆ ବହିରେ ବିଜେଡି ସରକାର ସମୟର ଦୁର୍ନୀତି କେତେ ବଢିଯାଇଥିଲା ତାକୁ ପ୍ରକାଶ କରିଥିବାରୁ ଧନ୍ୟବାଦ ଦେଇଛି ବିଜେପି। ଏଣେ ବିଜେଡି କହିଛି ଅରୁଣ ସାହୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା କେବଳ ସେ ହିଁ କହିପାରିବେ।...
ବିଜେଡିରେ ବିଦ୍ରୋହ ତୀବ୍ର। ଏହାକୁ ରୋକିବାକୁ ବର୍ତ୍ତମାନ ନବୀନ ଆରମ୍ଭ କରିଛନ୍ତି ନିଲମ୍ବନ ପର୍ବ। ଆଉ ତାରି ଭିତରେ ଅରୁଣଙ୍କ ପୀଡା ବିଜେଡି ଦଳୀୟ ରାଜନୀତିକୁ ଆହୁରି ସରଗରମ କରିଛି।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/arun-sahoo-2026-02-03-19-46-38.jpg)