Advertisment

Minor Rescued After Repeated Sexual Assault: ସଭ୍ୟ ସମାଜକୁ ଲଜ୍ଜିତ; ଗରିବ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଉଦ୍ୟମ, ବନ୍ଧା ହେଲା ୭୦ ବର୍ଷୀୟ ବୃଦ୍ଧ

ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି କାଣ୍ଡ। ଯାଜପୁରରେ ଗରିବ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଉଦ୍ୟମ। ପ୍ରମାଣ ଲୁଚାଇବାକୁ ନବଜାତ କନ୍ୟାକୁ କରିଥିଲା ଗାଏବ। ବନ୍ଧା ହେଲା ଅଭିଯୁକ୍ତ ୭୦ ବର୍ଷୀୟ ବୃଦ୍ଧ ପଦ୍ମନାଭ। ସିଡବ୍ଲୁସି ହେପାଜତରେ ପୀଡିତା ଓ ଶିଶୁ।

Minor Rescued After Repeated Sexual Assault

ସଭ୍ୟ ସମାଜକୁ ଲଜ୍ଜିତ; ଗରିବ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଉଦ୍ୟମ Photograph: (OTV)

Advertisment

ସାରା ରାଜ୍ୟକୁ ଦୋହଲାଇ ଦେଇଛି ଯାଜପୁର ଜିଲ୍ଲାର ଜଘନ୍ୟ କାଣ୍ଡ। ଜଣେ ଗରିବ ନାବାଳିକାକୁ ଏକ ୭୦ ବୟସ୍କ ବୃଦ୍ଧ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଓ ପରେ ବେଆଇନ୍ ଗର୍ଭପାତ ଉଦ୍ୟମବେଳେ ଜନ୍ମିତ ଶିଶୁକନ୍ୟାକୁ ଗାଏବ କରିବା ଭଳି ହୀନ ଘଟଣା ସଭ୍ୟ ସମାଜକୁ ଲଜ୍ଜିତ କରିଛି। ଯଦିଓ ଉଭୟ ନବଜାତଶିଶୁ ଓ ପୀଡ଼ିତାଙ୍କୁ ଯାଜପୁର ସିଡବ୍ଲୁସି ଉଦ୍ଧାର କରି ନିଜ ହେପାଜତକୁ ନେବା ସହ ଉଭୟ ଦୁଷ୍କର୍ମକାରୀ ଓ ଗର୍ଭପାତ କରାଇଥିବା ନର୍ସିଂହୋମ ମାଲିକକୁ ବାନ୍ଧି ଜେଲ ପଠାଇଛି ପୋଲିସ୍।

Advertisment

ପୁଣି ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଘଟଣା। କାରଣ ଜଣେ ଯୌନ ରାକ୍ଷସ ନାତୁଣୀ ବୟସର ଜଣେ ଗରିବ ନାବାଳିକାକୁ ଦେଇଛି ବାରମ୍ବାର ଦୁଷ୍କର୍ମ ଯନ୍ତ୍ରଣା। ମନ ଏତିକିରେ ଶାନ୍ତି ହୋଇନି ଯେ, ନିରୀହ ଝିଅଟିକୁ ଗର୍ଭବତୀ କରି ଏକ ଘରୋଇ ନର୍ସିଂହୋମରେ ବେଆଇନ୍ ପ୍ରସବ କରାଇଛି ଓ ତା ଛୁଆକୁ ବି ଗାଏବ କରିବାର ରଚିଛି କୁତ୍ସିତ କାଣ୍ଡ। ଯାହାକୁ ବାନ୍ଧି ଜେଲ୍ ଚାରିକାନ୍ଥ ଭିତରକୁ ପଠାଇଛି ପୋଲିସ୍।

ଯାଜପୁର ଜିଲ୍ଲାର ଏ ଘୃଣ୍ୟ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ଆଲୋଡ଼ନ। ସେହି ଯୌନ ପିପାସୁ ହେଲେ ପଦ୍ମନାଭ ଶତପଥୀ। ବୟସ ୭୦ ପାର। ଯିଏ ତା କାରନାମା ଶୁଣୁଛି କାନରେ ହାତ ଦେଉଛି। ମିଳିଥିବା ସୂଚନା ଅନୁସାରେ- ଦେଢ଼ ବର୍ଷ ତଳେ ବ୍ୟାସନଗର କୋପଣ୍ଡ ଗାଁର ଅଭିଯୁକ୍ତ ପଦ୍ମନାଭ, ନିଜ ଘରେ ଜଣେ ଗରିବ ନାବାଳିକାକୁ କାମରେ ନିୟୋଜିତ କରିଥିଲା। 

Advertisment

ନାବାଳିକାର ବାପା ବାହାର ଜିଲ୍ଲାର ହୋଇଥିବାବେଳେ ଏଠି ଦିନ ମଜୁରୀଆ ଭାବେ ଖଟୁଥିଲେ ଓ ଘରଭଡ଼ା ନେଇ ରହୁଥିଲେ। ତେଣେ ଏକାକୀର ସୁଯୋଗ ନେଇ କିଛି ମାସ ତଳେ ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା ପଦ୍ମନାଭ। ବାରମ୍ବାର ଦୁଷ୍କର୍ମ କରି ଝିଅଟିକୁ ଗର୍ଭବତୀ କରିଥିଲା। ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଗତ ଶୁକ୍ରବାର ନାବାଳିକାକୁ ଯାଜପୁର ରୋଡ଼ ଅଞ୍ଚଳର ଏକ ଘରୋଇ ନର୍ସିଂହୋମକୁ ନେଇଥିଲା। ସେଠି ଡାକ୍ତରଙ୍କୁ ହାତ କରି ବେଆଇନ୍ ଗର୍ଭପାତ କରାଇବାକୁ ଉଦ୍ୟମ କରିବାବେଳେ ନାବାଳିକାର ଏକ କନ୍ୟା ସନ୍ତାନ ପ୍ରସବ ହୋଇଥିଲା। ଆଉ ପ୍ରମାଣ ନଷ୍ଟ କରିବାକୁ ଉକ୍ତ ନବଜାତ କନ୍ୟାକୁ କେଉଁଆଡ଼େ ଗାଏବ କରି ଦେଇଥିଲା ପଦ୍ମନାଭ। 

ଗତକାଲି କିନ୍ତୁ ବିଳମ୍ବିତ ରାତିରେ ଶିଶୁଟି ପଦ୍ମନାଭର ଘର ପାଖରୁ ଦୟନୀୟ ଅବସ୍ଥାରେ ଉଦ୍ଧାର ହେବା ପରେ ତା କଳା କାରନାମା ପଦାକୁ ଆସିଥିଲା। ପିଲାଟିକୁ ଉଦ୍ଧାର କରି ଗାଁ ଲୋକେ ପୋଲିସ୍ ଜିମା ଦେଇଥିଲେ।

Advertisment

ନବଜାତ ଶିଶୁ କନ୍ୟା ଉଦ୍ଧାର ହେବା ପରେ ଅସଲ ଘଟଣା ପ୍ରଘଟ ହେବା ସହ ଅଭିଯୁକ୍ତ ପଦ୍ମନାଭକୁ ଥାନାକୁ ଆଣିଥିଲା ଯାଜପୁର ରୋଡ୍ ପୋଲିସ୍। ସେ ସବୁ ସତ ମାନିବା ପରେ ତାକୁ ବାନ୍ଧିଥିଲା ଓ ଯେଉଁ ଘରୋଇ ନର୍ସିଂ ହୋମରେ ବେଆଇନ୍ ଭାବେ ଗର୍ଭପାତ କରାଇବାକୁ ଉଦ୍ୟମ କରିଥିଲା, ଉକ୍ତ ନର୍ସିଂହୋମ ପରିଚାଳନା ନିର୍ଦ୍ଦେଶକ ମନୋଜ ନାୟକକୁ ବି ଗିରଫ କରିଥିଲା। ତେବେ ଗର୍ଭପାତ କରାଇଥିବା ଡାକ୍ତରଙ୍କ ପତ୍ତା ମିଳୁନି। ସେପଟେ ନବଜାତ ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍। 

ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ତାକୁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଜି କୋରେଇ ସିଡିପିଓଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଏକ ଟିମ୍ ଓ ପୋଲିସ ଅଧିକାରୀ ମେଡିକାଲରେ ପହଞ୍ଚିଥିଲେ। ସେପଟେ ପୀଡ଼ିତାଙ୍କୁ ସଖୀ ଗୃହରେ ରଖାଯାଇଛି। ଏପଟେ ନାବାଳିକାଙ୍କ ବାପାଙ୍କ ଏତଲା ଆଧାରରେ ଯାଜପୁର ରୋଡ ପୋଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ପଦ୍ମନାଭ ଓ ମନୋଜଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି। ତେଣେ ବେଆଇନ୍ ଗର୍ଭପାତ ଅଭିଯୋଗରେ ଯାଜପୁର ରୋଡର ସଂପୃକ୍ତ ଘରୋଇ ନର୍ସିଂହୋମକୁ ୨୦ ତାରିଖ ସୁଦ୍ଧା ସିଲ୍ କରାଯିବ ବୋଲି କହିଛନ୍ତି ସିଡିଏମଓ।

ସେପଟେ ଉଭୟ ପୀଡ଼ିତା ଓ ତାଙ୍କ ନବଜାତ ଶିଶୁ କନ୍ୟା ଭଲ ଅଛନ୍ତି। ଯେହେତୁ ନାବାଳିକା ମାଟ୍ରିକ ପଢୁଥିଲେ, ତେଣୁ ଏବେ ତାଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ ବୋଲି ବି କହିଛନ୍ତି ଯାଜପୁର ସିଡବ୍ଲୁସି ଚେୟାରମ୍ୟାନ।

Odisha News POCSO Act Minor Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ