Bhadrak Lover Murder Photograph: (OTV)
ପ୍ରତିଶୋଧ ନେଲା ନାବାଳିକା ପ୍ରେମିକା ! ଛଟପଟ କରି ପ୍ରେମିକର ନେଲା ଜୀବନ । ମର୍ଡରରେ ସହଯୋଗ କରିଥିଲା ଭଣୋଇ । ହତ୍ୟା ପାଇଁ ସାଙ୍ଗ ବି ବଢ଼ାଇଥିଲା ହାତ ! ୨୧ ବର୍ଷୀୟ ପ୍ରେମିକକୁ ରାସ୍ତାରୁ ହଟାଇ ଦେବାକୁ ନାବାଳିକା ପ୍ରେମିକା ରଚିଥିଲା ସାଂଘାତିକ ଷଡ଼ଯନ୍ତ୍ର ।
ମିଠା ମିଠା କଥା କହି ପ୍ରେମିକକୁ ବାଙ୍ଗାଲୋରରୁ ଡକାଇ ଶେଷରେ ଅତିନିର୍ମମ ଭାବେ ହତ୍ୟା କରିଥିଲା ନାବାଳିକା ପ୍ରେମିକା । ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବିରିଡିରେ ଘଟିଥିବା ବେଳେ ପୋଲିସ ମର୍ଡର ପୂରା ଘଟଣା ଉପରୁ ପରଦା ହଟାଇଛି । ଆଉ ଏବେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ ।
କଲେଜ ପଢ଼ୁଆ ନାବାଳିକା ପ୍ରେମିକା, କଣ୍ଟାପଡ଼ା ଅଞ୍ଚଳର ଜଗବନ୍ଧୁ ଦାସଙ୍କ ପୁଅ ରଞ୍ଜନଙ୍କୁ ପ୍ରେମ କରୁଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ହେଲେ ପରେ ସଂପର୍କରେ ଫାଟ ସୃଷ୍ଟି ହେଲା ।
ଏଇ ୨ ମାସ ହେବ ପ୍ରେମିକ ରଞ୍ଜନଙ୍କ ଠାରୁ ଦୂରେଇ ଯାଇଥିଲା ନାବାଳିକା । ଗତ ୪ ତାରିଖରେ ନାବାଳିକା ଜଣକ ରଞ୍ଜନଙ୍କୁ ଦେଖା କରିବାକୁ କହି ବାଙ୍ଗାଲୁରୁରୁ ଘରକୁ ଆସିବାକୁ କହିଥିଲା । ଆଉ ପ୍ରେମିକାର କଥା ରଖି ରଞ୍ଜନ ବିରିଡିରେ ଆସି ପହଞ୍ଚିଥିଲେ ।
ପ୍ରେମିକାକୁ ଦେଖା କରିବା ସମୟରେ ନାବାଳିକା ପ୍ରେମିକା ଓ ତା’ର ଜଣେ ବନ୍ଧୁ ରଞ୍ଜନଙ୍କୁ ରେଳ ଲାଇନ୍ ନିକଟରେ ଥିବା ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ । ଆଉ ସେଠାରେ ନାବାଳିକାଙ୍କ ଭିଣୋଇ ଆସି ପହଞ୍ଚିବା ପରେ ରଞ୍ଜନଙ୍କୁ ସମସ୍ତେ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ କହିଛି ।
ହତ୍ୟାରେ ବ୍ୟବହୃତ ବାଡ଼ି, ପଥର ଓ ଅନ୍ୟାନ୍ୟ ଜିନିଷ ପୋଲିସ ଜବତ କରିଛି । ଏଥିସହିତ ଅଭିଯୁକ୍ତ ଭିଣୋଇ ନୀଳମଣି ଓଝାକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି, ଏବଂ ନାବାଳିକା ଓ ନାବାଳିକାର ବନ୍ଧୁଙ୍କୁ ବାଳସୁଧାର ଗୃହକୁ ପଠାଇଦିଆଯାଇଛି । ତା’ ଛଡ଼ା ଏହି ଘଟଣାରେ ଆଉ କାହାର ହାତ ଅଛିକି ନାହିଁ ସେନେଇ ପୋଲିସ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/bhadrak-lover-murder-2026-02-12-19-10-23.jpg)