odisha
ସାଲେପୁର: ମହଙ୍ଗା ପଡ଼ିଲା ମ୍ୟାଟ୍ରିମୋନିଆଲ୍ ପ୍ରେମ। ମିଠା ମିଠା କଥା କହି ଓ ବିବାହର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ଯୁବତୀ। ଠକାମିର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗାଁର ସର୍ବପ୍ରସନ୍ନ ପଣ୍ଡା। ଓଡ଼ିଆ ମ୍ୟାଟ୍ରିମୋନିରୁ ଜଣେ ଯୁବତୀଙ୍କ ଯୋଗାଯୋଗରେ ଆସିବା ପରେ ତାଙ୍କ ସହ ପରବର୍ତ୍ତୀ ମୁହୂର୍ତ୍ତରେ ଭାବ ବଢ଼ାଇବା ଏବେ ସର୍ବପ୍ରସନ୍ନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ସୂଚନା ଅନୁସାରେ, ମ୍ୟାଟ୍ରିମୋନି ଆପ୍ ମାଧ୍ୟମରେ ଇଂଲଣ୍ଡରେ ରହୁଥିବା ଛତିଶଗଡ଼ର ପ୍ରୀତି ରାଜପୁତ ନାମକ ଜଣେ ଯୁବତୀଙ୍କ ସହ ସର୍ବପ୍ରସନ୍ନଙ୍କ ଯୋଗାଯୋଗ ହୋଇଥିଲା। ମ୍ୟାଟ୍ରିମୋନି ଆପ୍ରେ ନମ୍ବର ଦିଆନିଆ ପରେ ସର୍ବପ୍ରସନ୍ନ ହ୍ୱାଟ୍ସଆପ୍ରେ ସମ୍ପୃକ୍ତ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଏପରିକି ସେ ଯୁବତୀଙ୍କ ସହ ଫୋନ୍ରେ କଥା ମଧ୍ୟ ହେଉଥିଲେ। ଏହାପରେ ଯୁବତୀ ଜଣକ ସର୍ବପ୍ରସନ୍ନଙ୍କୁ ବିବାହ କରିବେ ବୋଲି ହଁ କରିଥିଲେ।
ବିବାହ ପୂର୍ବରୁ କିଛି ଦାମୀ ଉପହାର ଓ ଡଲାର ବିମାନ ଯୋଗେ ପଠାଇଥିବା ନେଇ ଯୁବତୀ ଜଣକ ସର୍ବପ୍ରସନ୍ନଙ୍କୁ କହିଥିଲେ। ଇଂଲଣ୍ଡରୁ ପଠା ଯାଇଥିବା ଏହି ଦାମୀ ଗିଫ୍ଟ ଓ ଏହା ମଧ୍ୟରେ ଥିବା ଭାରତୀୟ ମୁଦ୍ରା ଅନୁଯାୟୀ, ୩୭ ଲକ୍ଷ ଟଙ୍କା ପାଇବାକୁ ହେଲେ ଏକ ଆକାଉଣ୍ଟ୍ରେ ଟଙ୍କା ଜମା କରିବାକୁ ପଡ଼ିବ ଯୁବତୀ ଜଣକ କହିଥିଲେ। ଯୁବତୀଙ୍କ ପ୍ରେମରେ ଅନ୍ଧ ହୋଇ ସର୍ବପ୍ରସନ୍ନ ପର୍ଯ୍ୟାୟକ୍ରମେ ମୋଟ୍ ୩ ଲକ୍ଷ ୯୫ ହଜାର ଟଙ୍କା ଯୁବତୀ ଜଣକ କହିଥିବା ଆକାଉଣ୍ଟରେ ପଠାଇ ଥିଲେ। ଶେଷରେ କୌଣସି ଗିଫ୍ଟ କି ଟଙ୍କା ନ ଆସିବାରୁ ଠକାମିର ଶିକାର ହୋଇଥିବା ସର୍ବପ୍ରସନ୍ନ ଜାଣି ପାରିଥିଲେ। ଏନେଇ ସେ ନେମାଳ ଥାନା ଓ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜ କରିଛି ନେମାଳ ପୋଲିସ୍। ସାଇବର୍ ସେଲ୍ର ସହଯୋଗରେ ଠକ ଗ୍ୟାଙ୍ଗକୁ ଧରାଯିବ ବୋଲି ସାଲେପୁର ଏସ୍ଡିପିଓ କହିଛନ୍ତି।
ଘଟଣାକୁ ନେଇ ସର୍ବପ୍ରସନ୍ନ କହିଛନ୍ତି, ‘ବିବାହ ପାଇଁ ମୁଁ ଓଡ଼ିଆ ମ୍ୟାଟ୍ରିମୋନି ଆପ୍ ଡାଉନ୍ଲୋଡ୍ କରିଥିଲି। ଏହାପରେ ଜଣେ ଯୁବତୀ ମୋତେ Hi ମେସେଜ କରିଥିଲେ। ଯାହାର ଉତ୍ତରରେ ମୁଁ I am Fine ବୋଲି ଲେଖିଥିଲି। ସେ ଜଣେ ଡାକ୍ତର ବୋଲି ତାଙ୍କ ପ୍ରୋଫାଇଲରେ ଲେଖିଥିଲେ। ତାଙ୍କୁ ମୁଁ ଆଇ ଲାଇକ୍ ୟୁ ଭେରି ମଚ୍ ବୋଲି କହିଥିଲି ଓ ତାଙ୍କୁ କଲ୍ କରିବା ପାଇଁ ଚେଷ୍ଟା କରିଥିଲି। ତାଙ୍କ ନମ୍ବର ପ୍ରୋଟେକ୍ଟେଡ୍ ଥିବାରୁ କଲ୍ ଲାଗି ନଥିଲା। ତା‘ପରେ ତାଙ୍କୁ ମୁଁ କଲ୍ କରିବାକୁ କହିଥିଲେ ଓ ସେ ମୋତେ ହ୍ୱାଟ୍ସଆପ୍ ନମ୍ବର ମାଗିଥିଲେ। ଏହାପରେ ଆମେ ହ୍ୱାଟ୍ସଆପ୍ ଚାଟିଂରେ କରିଥିଲୁ। ମୋତେ ମ୍ୟାରେଜ୍ କରିବେ ବୋଲି ସେ କହିଥିଲେ। ହେଲେ ଶେଷରେ ମୁଁ ଠକାମିର ଶିକାର ହୋଇଥିବା ଜାଣିପାରିଲି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/thaka_1625119811.jpg)