nirjatana
ଗଞ୍ଜାମ: ଗୁଣିଗାରେଡ଼ି ସନ୍ଦେହରେ ଟପିଗଲା ବର୍ବରତାର ସବୁ ସୀମା। ଗଂଜାମ ଚମାଖଣ୍ଡିରୁ ଯେଉଁ ଚିତ୍ର ଦେଖିବାକୁ ମିଳିଛି, ତାହା ଦେଖିଲେ ଯେକୌଣସି ସଚେତନ ଲୋକ ଚକିତ ହେବ। ଗାଁ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ତିନି ତିନି ଜଣ ତାଲିବାନୀ ଶାସନଠୁ ବି ଅଧିକ ନିର୍ଯାତିତ ହୋଇଛନ୍ତି, ଆଉ ଜଣକର ଜୀବନ ବି ଯାଇଛି। ପୋଲିସର ଘଟଣାର ତଦନ୍ତ କରି ୧୪ଜଣଙ୍କୁ ଗିରଫ କରିଛି। ହେଲେ ସମସ୍ତଙ୍କୁ ଗିରଫ କରି ଦଣ୍ଡ ଦେବାକୁ ମୃତାହତଙ୍କ ପରିବାର ଦାବି କରିଛନ୍ତି।
ଅମାନୁଷିକ, ବର୍ବର, ଲୋମହର୍ଷକ ଘଟଣା। କେତେ ସାଂଘାତିକ, ସ୍ପଷ୍ଟ ବୟାନ କରୁଛି ମୋବାଇଲରେ ଉତ୍ତୋଳିତ ହୋଇଥିବା ଭିଡିଓ। କିଛି ଦୃଶ୍ୟ ତ ବିନା ଝାପ୍ସାରେ ଦେଖିବା ଅସମ୍ଭବ ହୋଇଛି। ଗୁଣିଗାରେଡ଼ି ସନ୍ଦେହରେ ତିନି ତିନି ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଚି। ଗାଁ ଲୋକେ ନିସ୍ତୁକ ମାଡ଼ ମାରିଲେ, ପ୍ଲାସରେ ଦାନ୍ତ ଉପାଡ଼ିଲେ। ଆଉ ବିଷ୍ଠା ବି ଖୁଆଇଲେ। ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀରେ ଗତ ୧୯ ତାରିଖରେ ଘଟିଥିବା ଏ ଅମାନବୀୟ କାଣ୍ଡରେ ଜଣଙ୍କର ଜୀବନ ବି ଯାଇଛି।
ସୂଚନା ଅନୁସାରେ ନିସ୍ତୁକ ମାଡ଼ ଖାଉଥିବା ବ୍ୟକ୍ତିଜଣକ ବ୍ରହ୍ମପୁର ସୁବାସନଗର ଅଞ୍ଚଳର ଭେଙ୍କଟରମଣ। ସେ ପି.ଧବେଳେଶ୍ୱର ରେଡ୍ଡୀଙ୍କ ସହ ରମେୟାପଲ୍ଲୀର ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପ୍ଲଟ ବ୍ୟବସାୟ କାମରେ ଯାଇଥିଲେ। ହଠାତ୍ ଗାଁର ୫୦ରୁ ଅଧିକ ପୁରୁଷ ଓ ମହିଳା ସେମାନଙ୍କୁ ଘେରିଯାଇ ରାସ୍ତାକୁ ଟାଣିଆଣି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଲୁହା ଚିମୁଟାରେ ଜୋର ଜବରଦସ୍ତ ଦାନ୍ତ ଓପାଡ଼ି ଥିଲେ। ରାଗ ସେତିକିରେ ସନ୍ତୁଷ୍ଟ ହୋଇନଥିଲା, ସମସ୍ତଙ୍କୁ ପଡ଼ିଆକୁ ନେଇ ବିଷ୍ଠା ବି ଖୁଆଇଥିଲେ। ନିର୍ଯାତିତମାନେ ହାତ ଯୋଡ଼ି ନେହୁରା ହେଉଥିଲେ ବି କେହି ସେମାନଙ୍କ କଥା ଶୁଣିବା ଅବସ୍ଥାରେ ନଥିଲେ ଏମିତିକି ପ୍ରବଳ ମାଡ଼ରେ ଘାଇଲା ହୋଇ ଆକ୍ତାମାକ୍ତା ଅବସ୍ଥାରେ ଭେଙ୍କଟରମଣ ପାଣି ମୁନ୍ଦେ ମାଗିଥିଲେ ବି କେହି କର୍ଣ୍ଣପାତ କରିନଥିଲେ। ଫଳରେ କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ସୂଚନା ଅନୁସାରେ ମୃତ ଭେଙ୍କଟରମଣଙ୍କ ବାପା ଜ୍ୟୋତିଷ ବିଦ୍ୟା କରି ପେଟ ପୋଷନ୍ତି। ତେବେ ଭେଙ୍କଟରମଣ କୌଣସି ଗୁଣିଗାରେଡ଼ି କରନ୍ତି ନାହିଁ। ତେଣୁ ପ୍ଲଟ ବ୍ୟବସାୟ କାମରେ ଯାଇଥିବାବେଳେ ଯେଉଁମାନେ ତାଙ୍କ ପ୍ରତି ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ଉଚିତ୍ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପରିବାର ଲୋକେ। ସେପଟେ ଆଜି ଭେଙ୍କଟରମଣଙ୍କ ଏକାଦଶାହ ଥିବାବେଳେ ତାଙ୍କ ଘରେ ଶୋକାକୁଳ ପରିବେଶ ଲାଗି ରହିଛି। ଏଣେ ସେହି ଲୋମଟାଙ୍କୁରା ଭିଡିଓ ଭାଇରାଲ୍ ହେବା ପରେ ଚମାଖଣ୍ଡି ପୋଲିସ୍ ୧୪ଜଣଙ୍କୁ ଗିରଫ କରିଛି। ଭିଡିଓରେ ଯେଉଁମାନେ ଚିହ୍ନଟ ହେବେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଂଜାମ ଏସ୍ପି କହିଛନ୍ତି। ଏଭଳି ଅମାନୁଷିକ କାଣ୍ଡ କେବଳ ଗଂଜାମ ନୁହେଁ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହେଲେ ଗୁଣିଗାରେଡ଼ି ସନ୍ଦେହରେ ବର୍ବରତାର ଏ ଚରମ ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନି ଆଜିର ସଭ୍ୟସମାଜ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nirjatana-1_1625120262.jpg)