ଫାଣ୍ଡି ବାବୁଙ୍କ ଡବଲ୍ ରୋଲ୍ Photograph: (OTV)
ଆଇଟମ୍ ଡ୍ୟାନ୍ସର୍ ନିଶା ମହାରଣାଙ୍କ ନିଶା ଘାରିଛି କି ଖୋଦ୍ ପୋଲିସ ବିଭାଗକୁ ? କାରଣ ଛତିଶଗଡ଼ ହେଉ କି ଓଡ଼ିଶା। ନିଶାଙ୍କ ନଗ୍ନନୃତ୍ୟକୁ ଚର୍ମଚକ୍ଷୁରେ ଦର୍ଶନ କରି ବାଉଳା ହେଉଛନ୍ତି ଖାକି ବାବୁ। ନଡ଼ିଆ ବାଡ଼େଇ ମଞ୍ଚରେ ଆବାହନ କରୁଛନ୍ତି ନଗ୍ନ ନୃତ୍ୟର ବ୍ରାଣ୍ଡ ଆମ୍ବାସଡର୍ ନିଶା ମହାରଣାଙ୍କୁ। ଆଇନକାନୁନ ସଂପର୍କରେ ସଚେତନ ଥାଇ ବି ବାଡ଼ ସାଜି ଫସଲ ଖାଇଲା ଭଳି ନିଶାଙ୍କ ନୃତ୍ୟକୁ ପ୍ରଶ୍ରୟ ଦେଇ ପୋଲିସ ନିଜେ ସାଜୁଛି ଦର୍ଶକ।
ପରିଣାମସ୍ୱରୂପ ଆଜିକୁ ୩ ଦିନ ବିତିଗଲା, ସର୍ବସାଧାରଣ ସ୍ଥାନରେ ଆପତ୍ତିଜନକ ନୃତ୍ୟ ପ୍ରଦର୍ଶନ ବିରୋଧରେ ମାମଲା ରୁଜୁ ହୋଇଥିଲେ ବି ନିଶାଙ୍କୁ ବାନ୍ଧିପାରୁନି ପୋଲିସ। ତେବେ କାହିଁକି, ଜାଣିବା ପାଇଁ ପଢନ୍ତୁ।
ଖାକି ଖେଳୁଛି କି ‘ନିଶା’ ଖେଳ ? ନିଶାଙ୍କ ନିଶାରେ ମତୁଆଲା ହେଉଛନ୍ତି ପୋଲିସ ବାବୁ। ନିଶାଙ୍କ ନଗ୍ନ ନୃତ୍ୟର ସାକ୍ଷୀ ସାଜୁଛନ୍ତି, ଚର୍ମଚକ୍ଷୁରେ ଦର୍ଶନ କରି ସତେଯେମିତି କୃତ୍ୟ କୃତ୍ୟ ହେଉଛନ୍ତି। କିଛିଦିନ ତଳେ ଛତିଶଗଡ଼ ଗରିଆବନ୍ଦ ଅଞ୍ଚଳର ଦୃଶ୍ୟ ଦେଖିଥିଲେ ଆପଣମାନେ। ଆଉ ଏବେ ବଲାଙ୍ଗିର ଚନ୍ଦନଭାଟିର ଚିତ୍ର ଓ ଚରିତ୍ର ବି ସାମ୍ନାକୁ ଆସିଛି।
ବଲାଙ୍ଗିର ସଦର ମହକୁମାର ଠାରୁ ମାତ୍ର ୧୦ କିଲୋମିଟର ଦୂର ଚନ୍ଦନଭାଟି ଗାଁ। ଯେଉଁଠି ଯାତ୍ରା ଦୂର୍ଗାମନ୍ଦିର ମଞ୍ଚକୁ ଗତ ୧୨ ତାରିଖରେ ନିଜକୁ ଓଡ଼ିଶାର ସନି ଲିଓନି କହୁଥିବା ନିଶା ମହାରଣା ଓହ୍ଲାଇଥିଲେ। ତା’ପୂର୍ବରୁ ନଡ଼ିଆ ବାଡ଼େଇ ଶୁଭାରମ୍ଭ କରିଥିଲେ ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିର ଫାଣ୍ଡି ବାବୁ ରଞ୍ଜିତ ପଧାନ।
ତାପରେ ନିଶାଙ୍କ ଆପତ୍ତିଜନକ ଅଙ୍ଗଭଙ୍ଗୀରେ ଏବଂ ନିଶା ମହାରଣାଙ୍କ ନାଚରେ ଦୁଲୁକୁଥିଲା ମଞ୍ଚ। ଦର୍ଶକଙ୍କ ଗହଳି ଭିତରୁ ଫାଣ୍ଡି ବାବୁ ଅନାଇ ରହୁଥିଲେ ନୃତ୍ୟକୁ, ଉପଭୋଗ କରିଥିଲେ ଆଇଟମ୍ ନମ୍ବରକୁ। ଯାହାର ଭିଡ଼ିଓ ଏବଂ ଫଟୋ ଏବେ ଭାଇରାଲ୍ ହେଉଥିବାବେଳେ ସଂପୃକ୍ତ ଫାଣ୍ଡି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ପରଠୁ ଛତିଶଗଡ଼ ପରେ ଓଡ଼ିଶାରେ ବି ଚର୍ଚ୍ଚା ବଢ଼ିଛି। ଏନେଇ ଫାଣ୍ଡି ବାବୁ ନିଶା ମହାରଣାଙ୍କ ସହ ଯାତ୍ରା ଆୟୋଜକଙ୍କ ବିରୋଧରେ ଏତଲା ବି ଦେଇଛନ୍ତି। ଯେଉଁ ଏତଲାକୁ ଭିତ୍ତି କରି ବଲାଙ୍ଗିର ପୋଲିସ ୨ ଆୟୋଜକଙ୍କୁ ଗିରଫ କରିଛି। ନିଶା ମହାରଣାଙ୍କ ବିରୋଧରେ ପୋଲିସ ମାମଲା ବି ରୁଜୁ କରିଛି। ହେଲେ ନଡ଼ିଆ ବାଡ଼େଇ ମଞ୍ଚର ଶୁଭାରମ୍ଭ କରିବା ଏବଂ ନିଶାଙ୍କ ନୃତ୍ୟକୁ ଉପଭୋଗ କରିବା ପରେ ହଠାତ୍ କାହିଁକି ନିଜ ଆଡୁ ଏତଲା ଦେଲେ ସଂପୃକ୍ତ ଫାଣ୍ଡି ବାବୁ ?
କୁହାଯାଉଛି, ନିଶା ଆସିବାର ୨ ଦିନ ଆଗରୁ ଲଭଲି ନାମକ ଆଉ ଜଣେ ଆଇଟମ୍ ଗାର୍ଲ ମଧ୍ୟ ଏହି ମଞ୍ଚ ଉପରେ ସିଗାରେଟ୍ ଟାଣି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅଥଚ ସବୁ ଜାଣି ବି ଫାଣ୍ଡି ବାବୁ ପଦୁଟିଏ କାହାକୁ କହିଲେନି। ତାପଛର ରହସ୍ୟ କ’ଣ ? ସେପଟେ ନିଶାଙ୍କ ବିରୋଧରେ ଏତଲା ପରଠୁ ତାଙ୍କୁ ଧରିବା ପାଇଁ ଭୁବନେଶ୍ବର ଆସି ଡେରା ପକାଇଛି ବଲାଙ୍ଗିର ପୋଲିସ।
କିନ୍ତୁ ଆଜିକୁ ୨ ଦିନ ବିତିଗଲା ପୋଲିସ ନିଶା ମହାରଣାଙ୍କ ପତ୍ତା ପାଉନି କି ଆକ୍ସନ ସଂପର୍କରେ ମୁହଁ ଖୋଲୁନି। ତେବେ ଓଟିଭିକୁ ପ୍ରତିକ୍ରିୟା ଦେଇ ନିଶା କହିଛନ୍ତି, ଆୟୋଜନ କମିଟିର କହିବା ଅନୁଯାୟୀ ନୃତ୍ୟ ପରିବେଷଣ କରିଛି। ଯଦି ଆକ୍ସନ ନେବାର ଅଛି ତ ସମସ୍ତଙ୍କ ବିରୋଧରେ ଆକ୍ସନ ନେବା ସହ ଆଇଟମ୍ ଡ୍ୟାନସକୁ ବନ୍ଦ କର।
ଛତିଶଗଡ଼ରେ ନିଶା ମହାରଣାଙ୍କ ନିଶାରେ ପଡ଼ିଥିବା ୩ ପୋଲିସ ବାବୁ ନିଲମ୍ବିତ ହେବା ସହ ବଦଳିଗଲେ ଉପ ଜିଲ୍ଲାପାଳ। କିନ୍ତୁ ବଲାଙ୍ଗିରରେ ପୋଲିସ ପ୍ରଶାସନର ଅଜବ ସ୍ଥିତି। ଗୋଟିଏ ପଟେ ନିଶାଙ୍କ ଆପତ୍ତିଜନକ ନୃତ୍ୟକୁ ଉପଭୋଗ କରୁଛି, ପରେ ନିଜ ଆଡୁ ପୁଣି ମାମଲା ରୁଜୁ କରୁଛି। ଅର୍ଥାତ ଡାହାଣୀ ଯିଏ, ଗୁଣିଆ ସିଏ ଅବସ୍ଥା। ଯାହାକୁ ନେଇ ଅଡୁଆରେ ବଲାଙ୍ଗିର ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/16/item-dancer-nisha-maharana-controversy-2026-01-16-19-57-46.jpg)