Untitled-1
ଭୁବନେଶ୍ୱର : ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍ନିକାଲ୍ କମିଟି ଗଠନ କରାଯାଇଛି। ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତା’ର ତର୍ଜମା କରାଯାଉଛି ଏବଂ ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ଆଇଏଲ୍ଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ତେବେ ଆଇସିଏମ୍ଆର୍ ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ୍ ନେଇ ୦.୦୪ ପ୍ରତିଶତ ଏବଂ ସେକେଣ୍ଡ ଡୋଜ୍ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।
ଏହାମଧ୍ୟରେ ଭଲ ଖବର ହେଉଛି ଯେ, ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡ଼ିକାଲ୍ ଯିବାକୁ ପଡୁନି। ସେପଟେ ଦେଶରେ ଏବେ ୨୮ଟି ଲ୍ୟାବରେ ୪୦ ହଜାର ସାମ୍ପୁଲର ଜିନମ ସିକ୍ୟୁଏନ୍ସିଂ କରାଯାଇଛି । ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲ୍କୁ ନେଇ ଆଇଏଲ୍ଏସ୍ରେ ଜିନମ ସିକ୍ୟୁଏନ୍ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ ଟି କେସରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ସରକାର ସିକ୍ୟୁଏନ୍ସିଂକୁ ବଢେଇବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ ଆଉ ୧୮ଟି ଲ୍ୟାବର ଆବଶ୍ୟକତା ଥିବା ସେ କହିବା ସହ ସିକ୍ୟୁଏନ୍ସିଂ ହେବା ଦ୍ୱାରା ଭାଇରସ୍ର ମ୍ୟୁଟେସନ୍ ବିଷୟ ଜଣାପଡେ ବୋଲି କହିଛନ୍ତି।
ପ୍ରକାଶଥାଉ ଯେ ଆଜି ଗୋଟିଏ ଦିନରେ ୩,୪୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି। ଗତକାଲି ୩୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ୪୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩,୫୫୦କୁ ଛୁଇଁଛି।
ଆକ୍ରାନ୍ତଙ୍କ ତାଲିକାରେ ଆଜି ବି ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏଠାରୁ ସର୍ବାଧିକ ୫୫୩ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୩୮, ବାଲେଶ୍ୱରରୁ ୨୬୧, ବରଗଡ଼ରୁ ୫୨, ଭଦ୍ରକରୁ ୧୩୯, ବଲାଙ୍ଗିରରୁ ୪୦, ବୌଦ୍ଧରୁ ୩୧, କଟକରୁ ୩୯୬, ଦେବଗଡ଼ରୁ ୨୨, ଢେଙ୍କାନାଳରୁ ୭୮, ଗଜପତିରୁ ୨୭, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୮୫, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୧୧, କେନ୍ଦୁଝରରୁ ୪୭, କୋରାପୁଟରୁ ୭୨, ମାଲକାନଗିରିରୁ ୩୮, ମୟୂରଭଂଜରୁ ୧୬୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୧୪୨, ନୂଆପଡ଼ାରୁ ୨୦, ପୁରୀରୁ ୨୧୭, ରାୟଗଡ଼ାରୁ ୯୪, ସମ୍ବଲପୁରରୁ ୩୨, ସୁବର୍ଣ୍ଣପୁରରୁ ୩୦, ସୁନ୍ଦରଗଡ଼ରୁ ୭୮, ଷ୍ଟେଟପୁଲରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ ଛୁଇଁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-78_1624095351.jpg)