VC-APPOINTMENT Photograph: (OTV)
ରାଜ୍ୟରେ ଉଚ୍ଚଶିକ୍ଷାର ବିଚିତ୍ର ସ୍ଥିତି। ଅଧ୍ୟାପକ ମରୁଡ଼ିରେ ଅନ୍ତ ନାହିଁ କି ଶେଷ ହେଉନି କୁଳପତି ଚୟନ ପ୍ରକ୍ରିୟା। ଶିକ୍ଷାବର୍ଷ ସରିବାକୁ ବସିଥିଲା ବେଳେ 17 ସରକାରୀ ବିଶ୍ବବିଦ୍ୟାଳୟରୁ 13ଟିରେ ଏବେ ବି କୁଳପତି ପଦ ଖାଲି। କୁଳପତି ନିଯୁକ୍ତି ବିଳମ୍ବରୁ ଅଧ୍ୟାପକ ପଦ ବି ପୂରା ହୋଇ ନପାରିବାରୁ ଅସ୍ଥାୟୀ ଶିକ୍ଷକଙ୍କ ଭରସାରେ ଚାଲିଚି କାମଚଳା ପାଠପଢା। ଏସବୁ ଭିତରେ ନୂଆବର୍ଷରେ ବିଶ୍ବବିଦ୍ୟାଳୟ ସବୁକୁ ନୂଆ କୁଳପତି ମିଳିବା କୁହାଯାଉଥିଲା ବେଳେ ମନ୍ତ୍ରୀ ବି କହିଛନ୍ତି ଖୁବ୍ ଶୀଘ୍ର ସରିବ ପ୍ରକ୍ରିୟା।...
ସରୁନି କୁଳିପତି ଚୟନ । ହୋଇପାରୁନି ଅଧ୍ୟାପକ ନିଯୁକ୍ତି । ଅତିଥି ଅଧ୍ୟାପକଙ୍କ ଭରସାରେ ରାଜ୍ୟ ଉଚ୍ଚଶିକ୍ଷାର ଭବିଷ୍ୟତ ।
କେମିତି ବିକଶିତ ହେବ ଉଚ୍ଚଶିକ୍ଷା ? କିପରି ପଢ଼ିବେ ଆଉ ଭବିଷ୍ୟତ ଗଢିବେ ପିଲା ?
ବର୍ଷ ପରେ ବର୍ଷ ବିତୁଛି ହେଲେ ରାଜ୍ୟର ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟାପକ ମରୁଡ଼ିରେ ଯେମିତି ଅନ୍ତ ନାହିଁ। ବଡ଼କଥା ହେଉଛି ଗତ ଜୁଲାଇ ମାସରୁ ବିଧାନସଭାରେ ଉଚ୍ଚଶିକ୍ଷା ସଂଶୋଧନ ବିଲ ଉପରେ ମୋହର ବାଜିସାରିଛି। ପଥ ପରିଷ୍କାର ପରେ ରାଜ୍ୟର ବିଶ୍ବବିଦ୍ୟାଳୟରେ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ତାହା ଏଯାଏଁ ସରୁନି କି ନିଯୁକ୍ତି ହୋଇପାରୁନି। କେଉଁଠି ରହିଛି ଅସୁବିଧା ? କାହିଁକି ସରୁନି ଚୟନ ପ୍ରକ୍ରିୟା ?
ଏଭଳି ସଂଶୟ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏକ ନିରପେକ୍ଷ ଟିମ ଗଠନ ହୋଇଛି। ଟିମ୍ ଅନୁସାରେ ଚୟନ ପ୍ରକ୍ରିୟା ଚାଲିଛି। ନିଯୁକ୍ତି ବ୍ୟବସ୍ଥାରେ ଆମେ ହସ୍ତକ୍ଷେପ କରିନୁ। ଏପରିକି ଚୂଡାନ୍ତ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ପାଖକୁ ପଠା ସରିଛି। ଖୁବଶୀଘ୍ର ସବୁ ପ୍ରକ୍ରିୟା ସରିବ।....
ସର୍ବାଧିକ ପଦବୀ ଖାଲିପଡିଛି ରେଭେନ୍ସାରେ
ଏପଟେ କୁଳପତି ଚୟନରେ ବିଳମ୍ୱରୁ ଅଧ୍ୟାପକ ନିଯୁକ୍ତି ବି ଅଟିକିଛି। ଗତ ସେପ୍ଟେମ୍ବର ମାସରେ ବିଧାନସଭା ତଥ୍ୟ କହୁଛି ରାଜ୍ୟର 17 ସରକାରୀ ବିଶ୍ବବିଦ୍ୟାଳୟରେ 14 ଶହରୁ ଅଧିକ ଅଧ୍ୟାପକ ଓ ପ୍ରାଧ୍ୟାପକ ପଦବୀ ଖାଲି ପଡ଼ିଛି। ଏ ହେଉଛି ସେହି ତଥ୍ୟ। ସର୍ବାଧିକ ପଦବୀ ଖାଲିପଡିଛି ରେଭେନ୍ସା ଏବଂ ତା ପଛକୁ ଉତ୍କଳ ବିଶ୍ବ ବିଦ୍ୟାଳୟରେ। ରେଭେନସାରେ ମଞ୍ଜୁରୀପ୍ରାପ୍ତ 267ଟି ପଦରୁ 161ଟି ଖାଲି ପଡ଼ିଥିବା ବେଳେ ଉତ୍କଳରେ ମଞ୍ଜୁରୀପ୍ରାପ୍ତ 244ଟି ପଦରୁ 136ଟି ଖାଲି ପଡ଼ିଛି।
ଗବେଷଣାଭିତ୍ତିକ ଶିକ୍ଷା ବାଧାପ୍ରାପ୍ତ
ସେହିପରି ସରକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକରେ 2 ହଜାର 286 ଅଣଶିକ୍ଷକ ପଦବୀ ବି ଫାଙ୍କା ପଡିଛି। ସେମିତି ସରକାରୀ ଡିଗ୍ରୀ କଲେଜରେ ମଧ୍ୟ ଅଧ୍ୟାପକ ମରୁଡିରୁ 18 ଶହରୁ ଅଧିକ ଅତିଥି ଅଧ୍ୟାପକରେ ଚାଲିଛି କାମଚଳା ପାଠପଢା। ତେଣୁ ପିଲାଙ୍କ ପାଠପଢାରେ ସାଂଘାତିକ ସ୍ଥିତି। କେବଳ ଗେଷ୍ଟ ଫାକଲଟିରେ କାମଚଳା ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ତେଜୁଛି। ଶିକ୍ଷାବିତଙ୍କ ମତ ନିୟମିତ ଅଧ୍ୟାପକ ନଥିବା କାରଣରୁ ପାଠପଢା ସାଙ୍ଗକୁ ଗବେଷଣାଭିତ୍ତିକ ଶିକ୍ଷା ବି ବାଧାପ୍ରାପ୍ତ ହେଉଛି।...
ଏହାରି ଭିତରେ ଆସନ୍ତା ଜାନୁଆରୀ 21 ତାରିଖରେ ଫକୀର ମୋହନ ଓ ଫେବ୍ରୁଆରୀରେ ଉତ୍କଳ ବିଶ୍ବ ବିଦ୍ୟାଳୟର ଅସ୍ଥାୟୀ କୁଳପତିଙ୍କ କାର୍ଯ୍ୟକାଳ ବି ଶେଷ ହେଉଛି। ନିକଟରେ କୁଳପତି ଚୟନ ନେଇ ରାଜ୍ୟପାଳଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଆଲୋଚନା କରିଥିବାରୁ ନୂଆବର୍ଷରେ ନୂଆ କୁଳପତିଙ୍କ ନିଯୁକ୍ତି ନେଇ ଆଶା ବଢ଼ିଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/vc-appointment-2025-12-30-20-11-54.jpg)