Advertisment

From Street to Wedding Mandap: ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ; ହାତ ଧରିଲେ ସଫଟୱେର ଇଞ୍ଜିନିୟର

ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ। ଏକାକୀ କାନ୍ଦୁଥିଲେ, ଆଜି ଜୀବନ ସାଥୀ ପାଇଲେ। ୧୦ ବର୍ଷ ତଳେ ରାଜଧାନୀରୁ ଅନାଥ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ସନ୍ତୋଷିନୀଙ୍କ ହାତ ଧରିଲେ ସଫଟୱେର ଇଞ୍ଜିନିୟର କ୍ଷୀରୋଦ।

From Street to Wedding Mandap

ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ Photograph: (OTV)

Advertisment

ଦିନେ ପରିଚୟ ଖୋଜୁଥିଲେ, ଆଜି ନୂଆ ପରିବାର ପାଇଲେ। ଦିନେ ରାସ୍ତାକଡ଼ରେ ଏକାକୀ ବସି କାନ୍ଦୁଥିଲେ, ଆଜି ସାତଜନ୍ମର ସାଥୀଟିଏ ପାଇ ସଂସାର ଗଢିଲେ। ୧୦ ବର୍ଷ ତଳେ ମଞ୍ଚେଶ୍ବରରେ ମାମୁମାଇଁ ଛାଡ଼ି ଚାଲିଯାଇଥିବା ସନ୍ତୋଷିନୀ ହୋଇଛନ୍ତି ହାତକୁ ଦି’ହାତ। 

Advertisment

ଆଶ୍ରମ ପରିସରରେ ଅନାଥ ଝିଅର ହାତ ଧରି ଉଦାହରଣ ସାଜିଛନ୍ତି ସପ୍ଟୱେର ଇଞ୍ଜିନିୟର୍ କ୍ଷୀରୋଦ ପଟ୍ଟନାୟକ। ଏପଟେ ଘରର ଅଲିଅଳି ଝିଅ ଭଳି ସନ୍ତୋଷିନୀଙ୍କୁ ଜାକଜମକରେ ବାହା କରାଇ ଦାୟିତ୍ୱ ଓ ଭଲପାଇବାର କାହାଣୀ ଲେଖିଛନ୍ତି ଆଶ୍ରମ କର୍ତ୍ତୃପକ୍ଷ।

କେବେ ଦେଖିନଥିବା ସ୍ୱାପ୍ନକୁ ହାତ ପାଆନ୍ତାରେ ପାଇଛନ୍ତି ସନ୍ତୋଷିନୀ। ରାଜଧାନୀର ରାସ୍ତାକଡ଼ରୁ ସଂସାର ଦୁଆର ଯାଏଁ ଲମ୍ବା ବାଟ ଚାଲିଥିବା ସନ୍ତୋଷିନୀଙ୍କର କାହାଣୀ ପୂରା ନିଆରା। ସବୁ ଝିଅଙ୍କ ସ୍ୱପ୍ନ ଭଳି ବାହାଘରଟିଏ ସତ, ହେଲେ ସବୁ ଝିଅ ଭାଗ୍ୟ ଭଳି ନୁହେଁ। କାରଣ ବେଦୀ ଉପରେ ସିନ୍ଦୂର ନାଉଁଥିବା ସନ୍ତୋଷିନୀ ପିଲାଟି ବେଳୁ ଅନାଥ। ବାପାମାଆ ଆରପାରିରେ, ରାସ୍ତାରେ ଛାଡ଼ି ଚାଲିଗଲେ ମାମୁମାଇଁ ।

Advertisment

ଦିନେ ମଞ୍ଚେଶ୍ୱରର ରାସ୍ତାକଡ଼ରେ ବଞ୍ଚିବା ପାଇଁ ବାଟ ଖୋଜୁଥିବା ଝିଅଟି ଆଜି ବାହା ହେଉଛି। ତାପୁଣି ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ। ପାଦରେ ପାଉଁଜି ଓ ଦେହରେ ପାଟଲୁଗା ପିନ୍ଧି ସନ୍ତୋଷିନୀ ସାଜିଛନ୍ତି କ୍ଷୀରୋଦଙ୍କ ସାତଜନ୍ମର ସାଥୀ। ଭୁବନେଶ୍ୱର ଜୀବନ ଜ୍ୟୋତି ଆଶ୍ରମ ପରିସରରେ ଜାକଜମକରେ ଉଭୟଙ୍କର ବାହାଘର ହୋଇଛି। ଠିକ୍ ଗୋଟେ ଘରର ଅଲିଅଳି ଝିଅ ଭଳି । 

ସେ ଅନାଥ ସତ, ତଥାପି କେଉଁଥିରେ ଉଣା ନାହିଁ । ନିଜର ବୋଲି କେହି ନାହାନ୍ତି, ହେଲେ ସମସ୍ତେ ତାଙ୍କୁ ନିଜର କରିନେଇଛନ୍ତି। ସନ୍ତୋଷିନୀଙ୍କ ବାହାଘରରେ ଦେଖିବାକୁ ମିଳିଥିଲା ଆଶ୍ରମ କର୍ତ୍ତୃପକ୍ଷଙ୍କ ଭଲପାଇବାର ଅଭୁଲା ଚିତ୍ର। କୋଉଥିରେ ବି ଅଭାବ ନଥିଲା। କିଏ ଝିଅକୁ ସୁନାହାର ଦେଇଥିଲା ତ ଆଉ କିଏ ଜ୍ବାଇଁକୁ ବ୍ରେସଲେଟ୍। ବାଜାବାଣ ସାଙ୍ଗକୁ ଜମିଥିଲା ବରଯାତ୍ରୀ ନାଚ। 

Advertisment

ରସଗୋଲାଠୁ ଦହିବରା ପର୍ଯ୍ୟନ୍ତ, ଭୋଜିଭାତ ଯାହାକୁ ଯେତେ। ଝିଅ ବିଦା ବେଳେ ସଜସମ୍ପତ୍ତି ଦେବାକୁ ମଧ୍ୟ ଭୁଲି ନଥିଲେ କେହି । ଝିଅଟି ଯେମିତି ଅନାଥ ବୋଲି ଅନୁଭବ ନ କରିବ ସେଥିପାଇଁ ଧୁମଧାମରେ ବାହାଘର କରିଥିଲେ ଆଶ୍ରମ କର୍ତ୍ତୃପକ୍ଷ। 

୧୨ ବର୍ଷ ବୟସରେ ବାପାମାଆଙ୍କ ଦେହାନ୍ତ ପରେ ମାମୁମାଇଁଙ୍କ ପାଖେ ଆଶ୍ରୟ ନେଇଥିଲେ ସନ୍ତୋଷିନୀ। ହେଲେ ଭୁବନେଶ୍ୱରରେ ପାଠ ପଢାଇବାକୁ କହି ମଞ୍ଚେଶ୍ୱରରେ ଝିଅଟିକୁ ଛାଡ଼ିଦେଇ ଚାଲିଯାଇଥିଲେ ଉଭୟ। ସେବେଠୁ ଭୁବନେଶ୍ୱର ଘାଟିକିଆ ଜୀବନଜ୍ୟୋତୀ ଆଶ୍ରମ ପାଲଟିଯାଇଥିଲା ସନ୍ତୋଷିନୀଙ୍କ ନୂଆ ପରିବାର। ସେଠାରେ ପାଠ ପଢିବା ପରେ ସେ ହାଇଦ୍ରାବାଦର ଏକ ହୋଟେଲରେ ଚାକିରି କରିଥିଲେ। 

ଶେଷରେ ମଳିପଡ଼ାର ବୋହୂ ସାଜି ଆରମ୍ଭ କରିଛନ୍ତି ସୁନା ସଂସାର। ଅନାଥ ଝିଅଟିକୁ ସାଥୀ ରୂପେ ବାଛିନେଇଥିବା କ୍ଷୀରୋଦ ବି ସାଜିଛନ୍ତି ଉଦାହରଣ। ସାତ ଜନ୍ମ ପାଇଁ ଉଭୟ ଏକାଠି ହସଖୁସିରେ ଜୀବନ ବିତାନ୍ତୁ ବୋଲି ସଭିଏଁ ଆଶୀର୍ବାଦ କରୁଛନ୍ତି। 

Inspirational Story Odisha Inspirational Story Orphan Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ