Advertisment

A Journey of Struggle to the Padma Award: ପଦ୍ମ ପୁରସ୍କାର ଯାଏଁ ସଂଘର୍ଷର ଯାତ୍ରା, କଥା କହିଛି ଅରଟ ଓ ଜମି ବିକିଛନ୍ତି ସାଧକ

ଜଣେ କଳାର ପୂଜାରୀ ଆଉ ଜଣେ ବାନ୍ଧକଳାର ବିନ୍ଧାଣୀ। ଜଣେ ସାହିତ୍ୟ ସାଧାକ ଆଉ ଜଣେ ଅପହଞ୍ଚ ଆଦିବାସୀଙ୍କ ପାଇଁ ଆଲୋକ ବର୍ତ୍ତିକା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷିତ ୪ ଓଡ଼ିଆଙ୍କ ଭିତରେ ରହିଛି ପ୍ରଚଣ୍ଡ ପ୍ରତିଭା।

Padma Awardee

Padma Awardee Photograph: (OTV)

Advertisment

କଥା କହିଛି ଅରଟ, ସୂତା ଦେଇଛି ପରିଚୟ ଆଉ ପରିଶ୍ରମ ଆଣିଛି ପ୍ରସିଦ୍ଧି। ବାନ୍ଧକଳାର ମହାନ ବିନ୍ଧାଣୀଙ୍କୁ ପଦ୍ମଶ୍ରୀ ସମ୍ମାନ ପରେ ଇଏ ସେହି ଖୁସୀର ମୁହୂର୍ତ୍ତ। କଟକ ଜିଲ୍ଲା ତିଗିରିଆ ବ୍ଲକ୍ ନୂଆପାଟଣା ଗାଁର ହସ୍ତତନ୍ତ ଶିଳ୍ପୀ ଶରତ କୁମାର ପାତ୍ର। ପିଲାଟି ଦିନରୁ ନିଜ ପାରିବାରିକ କୌଳିକ ବୃତ୍ତିକୁ ସାଦରେ ଆଦରି ନେଇଥିଲେ। ଆଉ ହେତୁ ପାଇବା ପରେ ବାନ୍ଧକଳାକୁ ଭିନ୍ନ ଢଙ୍ଗରେ ପରଷିଦେବାର ମନୋବୃତ୍ତି ଏବଂ ସ୍ବତନ୍ତ୍ର ପରିଚୟ ଦେବାର ଝୁଙ୍କ୍ ତାଙ୍କୁ ଅନ୍ୟ ଶିଳ୍ପୀଙ୍କଠାରୁ କରିଥିଲା ଅନନ୍ୟ।

Advertisment

ବାନ୍ଧକଳାର ବିନ୍ଧାଣୀ

ଶାଢ଼ୀର କାନଭାସ ଉପରେ ତାଙ୍କର ହାତର ରଙ୍ଗତୁଳୀ ଲାଗିଲେ, ସତେ ଯେମିତି କଥା କହେ ସୂତା, ଆଉ ଜୀବନ୍ତ ହୋଇ ଉଠନ୍ତି ଚରିତ୍ର। ଶାଢ଼ୀ ଏବଂ ଖଣ୍ଡୁଆ ପାଟ ଉପରେ ଚିତ୍ର ଆଉ ଚରିତ୍ରକୁ ଯେ ଖାଲି ନିଖୁଣ ଭାବେ ଫୁଟାନ୍ତି, ତା ନୁହେଁ, ତାରି ଉପରେ ନିର୍ଭୁଲ ଭାବେ ଉତ୍ତାର ପାରନ୍ତି ଶହ ଶହ କାବ୍ୟ, କବିତା ଓ କଥା। ତେବେ ଶରତଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଦୀର୍ଘ ୫୨ ମିଟର ଲମ୍ବ ଖଣ୍ଡୁଆ ପାଟରେ ଜଗନ୍ନାଥଙ୍କ ଅତି ପ୍ରିୟ ଶ୍ରୀଗୀତଗୋବିନ୍ଦ କାବ୍ୟ। ଯାହାର ନିର୍ମାଣ ପାଇଁ ଲାଗିଥିଲା ୭ ବର୍ଷର ସୁଦୀର୍ଘ ସମୟ। କିନ୍ତୁ ସେ ଲକ୍ଷ୍ୟସ୍ଥଳରୁ ନା ସେ କେବେ ହଟିଥିଲେ ନା କେବେ ପୂର୍ଣ୍ଣ କରିବା ଆଗରୁ ପଛାଇଥିଲେ।

ଲୋକକଳାର ପରମ ପୂଜାରୀ

ଏପଟେ ହଜି ଯାଉଥିବା ଲୋକକଳା, ଓଡ଼ିଶାର ପ୍ରାଚୀନ ପରମ୍ପରା ଆଉ ଗଂଜାମ ମାଟିର ସମୃଦ୍ଧ ସଂସ୍କୃତିକୁ ସାଇତି ରଖିଥିବା ଆଉ ଜଣେ ସାଧକ ସୀମାଞ୍ଚଳ ପାତ୍ର। ପଦ୍ମଶ୍ରୀ ସମ୍ମାନ ପାଇଁ ନାଁ ଘୋଷଣା ପରେ ଏବେ ଉତ୍ସବମୁଖର ଗଂଜାମ ଦିଗପହଣ୍ଡି ବ୍ଲକ୍ ବୋମକେଇ ଗାଁ। ସୀମାଞ୍ଚଳଙ୍କୁ ଶୁଭେଚ୍ଛା ଜଣାଇବାକୁ ଯେମିତି ଥମୁନି ପ୍ରଶଂସକଙ୍କ ଭିଡ଼। ସୀମାଞ୍ଚଳଙ୍କ ପରିଚୟ ଖାଲି ନୃତ୍ୟଗୁରୁରେ ସୀମିତ ନୁହେଁ। ସେ ଏକଧାରାରେ ଅଭିନେତା, ସଂଳାପକାର, ଉଚ୍ଚାଙ୍ଗ ଶାସ୍ତ୍ରୀୟ ସଙ୍ଗୀତର ଗାୟକ।

Advertisment

ଜୀବନ ବ୍ୟାପୀ କଳାର ପୂଜାରୀ ସାଜିଥିବା ସୀମାଞ୍ଚଳଙ୍କୁ ପରିଚୟ ଦେଇଛି ପ୍ରସିଦ୍ଧ ଲୋକନାଟକ ପ୍ରହଲ୍ଲାଦ। ଯାହାକୁ ପିଲାଟି ଦିନରୁ ଆଜି ଯାଏଁ ବଞ୍ଚାଇ ରଖିବାରେ ସେ ହିଁ ସାଜିଛନ୍ତି ମୁଖ୍ୟ ପୁରୋଧା। ଏହି ନାଟକ ପାଇଁ ରାଜ୍ୟ ଓ ଜାତୀୟ ସ୍ତରରେ ବହୁ ମାନ ସମ୍ମାନ ପାଇଥିଲେ ବି ଏବେ ପଦ୍ମଶ୍ରୀ ସମ୍ମାନ, ତାଙ୍କୁ ଆଣି ଦେଇଛି ପରମ ଆନନ୍ଦ ଓ ଆତ୍ମସନ୍ତୋଷ।...

Padma Award Padma Awardee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ