Nuapada-Floods-Devastate-Crops Photograph: (OTV)
ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ। ଉଜୁଡି ଗଲା ଫସଲ। ଧାନ, କପା, ବାଦାମ, ହରଡ଼ ସବୁ ଧୋଇଗଲା। ସରକାର ସହଯୋଗ ନ ଦେଲେ ଆଉ ତ୍ରାହୀ ନାହିଁ। ଉଜୁଡା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଏମିତି ଦୁଃଖ ଦେଇଛି ନୂଆପଡା ଜିଲ୍ଲାର ପ୍ରମୁଖ ଜଳ ସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଡ୍ୟାମର ଜଳ ସ୍ତର ବୃଦ୍ଧି ପାଇଥିଲା। ବାଧ୍ୟହୋଇ କର୍ତ୍ତୃପକ୍ଷ ପାଣି ଛାଡିଥିଲେ। ଏହା ପାରେସବୁ ନଦୀରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ନଦୀ କୂଳରେ ଥିବା ହଜାର ହଜାର ହେକ୍ଟର ଜମିରେ ମାଡିଗଲା ପାଣି ଆଉ ଉଜୁଡି ଗଲା ବର୍ଷକର ଚାଷ।
ଚାଷୀଟିଏ ଯେଉଁ ଆଶା ନେଇ ତା ପିଲାଛୁଆଙ୍କ ମୁହଁରେ ମୁଠେ ଆହାର ଦେବାକୁ ଏତେ ପରିଶ୍ରମ କରିଥିଲା ସେସବୁ ତିଖାଲି ବନ୍ୟା ପାଣିରେ ଧୋଇଯାଇଛି। ବନ୍ୟା କମିଛି, ରାସ୍ତା ଘାଟ ଆଉ ଗାଁ-ଗଣ୍ଡାରୁ ଛାଡ଼ିଯାଇଛି ପାଣି। ହେଲେ ଏବେ ବି ଜିଲ୍ଲାର ଚିନ୍ଦାଗୁଡ଼ା, ମାଣ୍ଡୋସିଲ, ଲାଞ୍ଜି, ବିରିଘାଟ ଭଳି ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି। ଆଗକୁ ବର୍ଷା କମିଲେ ମଧ୍ୟ କୌଣସି ଲାଭ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ଯେଇଁ ଡ୍ୟାମ ଦିନେ ଚାଷୀ ଆଉ ଚାଷର ଉନ୍ନତି ପାଇଁ ତିଆରି ତିଆରି ହୋଇଥିଲା ତାହା ଆଜି ଚାଷୀର ଦୁଃଖ ପାଲଟିଛି। ଏହି କ୍ଷୟକ୍ଷତି ବାବଦରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଚ୍ଛି ଏବଂ ତଦନ୍ତ ପରେ ଚାଷୀଙ୍କୁ ସହାୟତ ଦିଆଯିବ ବୋଲି ଖଡ଼ିଆଳ ସହକାରୀ କୃଷି ଅଧିକାରୀ କହିଛନ୍ତି।
ପାଣି ବଢ଼ିଲେ ମଧ୍ୟ ଡ୍ୟାମରୁ ଗେଟ୍ ଖୋଲିବା ଅନିବାର୍ଯ୍ୟ । ଏହା କରିବା ପୂର୍ବରୁ ପ୍ରଚାର ପ୍ରସାର କରିବାକୁ ଥିଲେ ମଧ୍ୟ ତାହା କରାଯାଇନି। ପୁଣି ଏକାଥରେ ପାଞ୍ଚଟି ଗେଟ୍ ଖୋଲିବା ଦ୍ୱାରା ଚାଷୀଙ୍କ ବର୍ଷକର ପରିଶ୍ରମ ନଷ୍ଟ ହୋଇଯାଇଛି। ପ୍ରକଳ୍ପ ଅଧିକାରୀଙ୍କ ଏଭଳି ଖାମଖିଆଲ୍ ନୀତିକୁ ନେଇ ସାଧାରଣରେ ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/06/nuapada-floods-devastate-crops-2025-10-06-10-26-21.jpg)