RAIN-AND-FLOOD Photograph: (OTV)
ଲଘୁଚାପ ପ୍ରଭାବରେ ଅତିପ୍ରବଳ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାରେ ବେହାଲ ହୋଇଯାଇଛି ସ୍ଥିତି। କୋରାପୁଟ, ରାୟଗଡ଼ା, ଗଞ୍ଜାମରେ ବି ବିତ୍ପାତ ରଚିଛି ବର୍ଷା।
ଭୟଙ୍କର ପ୍ରଳୟ, ଛାତିଥରା ତାଣ୍ଡବ। ନଦେଖିଲେ ବିଶ୍ବାସ କରିହେବନି କି ଦେଖିଲେ ସହିହେଉନି। ଯୁଆଁଡ଼େ ଚାହିଁବେ ପ୍ରକୃତିର କରାଳରୂପ। ସତେଯେମିତି ବର୍ଷା ବଦଳରେ ପଥର ଖସିଛି, ବନ୍ୟା ବଦଳରେ ମାଟିର ଜୁଆର ମାଡ଼ିଆସିଛି। ଇଏ ଉତ୍ତରାଖଣ୍ଡ ନୁହେଁ କି ଦେଶର ଅନ୍ୟ କେଉଁ ପାହାଡ଼ି ଇଲାକା ବି ନୁହେଁ । ଓଡ଼ିଶାର ଗଜପତି ଜିଲ୍ଲାରେ ହୋଇଛି ଏଭଳି ଭୟଙ୍କର ଭୂସ୍ଖଳନ। ଏକଦମ୍ ଉତ୍ତରାଖଣ୍ଡ ଭଳି।
ବାଦଲଫଟା ବର୍ଷାରେ ବିପର୍ଯ୍ୟସ୍ତ ରାୟଗଡ଼ ବ୍ଲକର ପେକେଟ ଗାଁ। ଗତକାଲି ଏଇଠି ଭୂସ୍ଖଳନ ଘଟି ମାଟିତଳେ ପୋତିହୋଇଯାଇଥିଲେ ବାପା କାର୍ତ୍ତିକ ଓ ପୁଅ ରାଜିବ ଶବର। ଉଭୟଙ୍କୁ ଉଦ୍ଧାର କରିବାକୁ ଚାଲିଥିଲା ନନଷ୍ଟପ୍ ରେସ୍କ୍ୟୁ ଅପରେସନ୍। ଅହରହ ମାଟି ଆଡ଼େଇ ଜୀବନ ଖୋଜୁଥିଲା ଜେସିବି। ଶେଷରେ ସନ୍ଧାନୀ କୁକୁର ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହୋଇଛି ମୃତଦେହ । ଏନେଇ ସ୍ପଷ୍ଟ କରିଛି ଜିଲ୍ଲାପ୍ରଶାସନ। ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିବା ସହିତ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ଖାଲି ମଣିଷ ନୁହେଁ, ନଦୀକୁ ବି ପୋତି ପକାଇଛି ପ୍ରଳୟଙ୍କରୀ ଭୂସ୍ଖଳନ। ବଦଳାଇଦେଇଛି ନଦୀର ଗତିପଥ। ଯେଉଁଠି ନଦୀ ଥିଲା ସେଠି ଏବେ ସମତଳ ରାସ୍ତା।
କେବଳ ପେକଟ ନୁହେଁ, ମହେନ୍ଦ୍ରଗିରିରେ ମଧ୍ୟ ଭୂସ୍ଖଳନ ଘଟି ଫସିରହିଥିଲେ ୨୪ ପର୍ଯ୍ୟଟକ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଗନ୍ତବ୍ୟସ୍ଥଳକୁ ପଠାଇଛି ପ୍ରଶାସନ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଜପତିରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଖଣିମନ୍ତ୍ରୀ ବିଭୂତି ଜେନା । ଗ୍ରାଉଣ୍ଡକୁ ଯାଇ ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।
ଏପଟେ ମୋହନାରେ ବି ସମାନ ଆଉ ସଂଗୀନ ସ୍ଥିତି । ଲଗାଣ ବର୍ଷାରେ ପାଜିଗୁଡ଼ି ଘାଟି ରାସ୍ତାରେ ପାହାଡ଼ ଉପରୁ ଖସିଛି ମାଟି ଅତଡ଼ା। ଗଛ ବି ଉପୁଡି ପଡ଼ିଛି ରାସ୍ତା ଉପରେ । ଫଳରେ ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଜାରି ରଖିଛି। ସେହିଭଳି ବାଲିବାଡ ଗାଁରେ ମାଟି କାନ୍ଥ ପଡ଼ି ଗୋଟିଏ ପରିବାରର ୩ ଜଣ ଓ ଲମତାପୁଟରେ ୪ ଜଣ ଆହତ ହୋଇଛନ୍ତି l ଲେଢ଼ବନ୍ଧ ପୋଲରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହେବା ସହ ଗୋଟିଏ ପାର୍ଶ୍ବ ଧୋଇଯାଇଛି ।
ବର୍ଷା ବିତ୍ପାତରୁ ବର୍ତ୍ତିନି କୋରାପୁଟ ଓ ରାୟଗଡ଼ା। ନିର୍ଧୁମ ବର୍ଷାରେ କୋରାପୁଟ-ରାୟଗଡ଼ା ରେଳପଥରେ ଯାତାୟାତ ବାଧାପ୍ରାପ୍ତ । କେଉଁଠି ପାହାଡ଼ ଉପରୁ ପଥର ଧସିଛି ତ ଆଉ କେଉଁଠି ଟ୍ରାକରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ବୈଷୟିକ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତିରେ ଟ୍ରାକ୍ ମରାମତି ଚଳାଇଛନ୍ତି। ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ଏକାଧିକ ଆହତ ହୋଇଥିବାବେଳେ ବ୍ୟାପକ ଜମିରେ ଫସଲ ବି ନଷ୍ଟ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ବିପର୍ଯ୍ୟୟ ଆଣିଛି ବର୍ଷା।
ଦୁର୍ବଳ ହୋଇ ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତରେ ପରିଣତ ହୋଇଛି ଗଭୀର ଅବପାତ । ଫଳରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜି ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ କାଲି କାଁ ଭାଁ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/rain-and-flood-2025-10-03-20-22-14.jpg)